ବିପନ୍ନଙ୍କୁ ତ୍ୱରିତ ଓ ଉତ୍ତମ ସେବା ଦିଅ

୭୪ତମ ରାଜ୍ୟ ଅଗ୍ନିଶମ ସେବା ସପ୍ତାହ

ଭୁବନେଶ୍ୱର: ବିପନ୍ନଙ୍କୁ ତ୍ୱରିତ ଓ ଉତ୍ତମ ସେବା ଦିଅ। ସୁରକ୍ଷା ନେଇ ଲୋକମାନଙ୍କୁ ସଚେତନ କରାଅ। ଅଗ୍ନିଶମ ବିଭାଗ ପକ୍ଷରୁ ବରମୁଣ୍ଡାସ୍ଥିତ ଓଡ଼ିଶା ଫାୟାର୍‌ ଆଣ୍ଡ ଡିଜାଷ୍ଟର୍‌ ରେସପନ୍‌ସ ଏକାଡେମି(ଓଏଫଡିଆର୍‌ଏ)ର ୭୪ତମ ସେବା ସପ୍ତାହ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ପରେଡ୍‌୍‌ରେ ଅଭିବାଦନ ଗ୍ରହଣ କରି ଶ୍ରୀପଟ୍ଟନାୟକ କହିଥିଲେ ଯେ, ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଦେଶର ଏକ ଅଗ୍ରଣୀ ସଂସ୍ଥା। ରାଜ୍ୟର ସମସ୍ତ ବ୍ଲକ୍‌ ସମେତ ୩୨୬ଟି ସ୍ଥାନରେ ଅଗ୍ନିଶମ କେନ୍ଦ୍ର ରହିଛି। ୫୬୦୦ ଅଗ୍ନିଶମ କର୍ମଚାରୀ ରାଜ୍ୟବାସୀଙ୍କୁ କେବଳ ଅଗ୍ନି ବିପନ୍ନ ସମୟରେ ନୁହେଁ ପ୍ରାକୃତିକ ବିପଯ୍ୟର୍ୟ ଓ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଗୁଣାତ୍ମକ ସେବା ଯୋଗାଇ ଆସୁଛନ୍ତି। ଅଗ୍ନିଶମ ବିଭାଗ ନିର୍ଦେଶକ ବି କେ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥ ଭାବେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ମେୟର ଅନନ୍ତ ନାରାୟଣ ଜେନା ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏକ ସ୍ମରଣିକା ଓ ଟେଲିଫୋନ୍‌ ଡିରେକ୍ଟୋରି ଉନ୍ମୋଚିତ ହୋଇଥିଲା। ପରେ ପରେ ଏକ ମିନିଟ୍‌ ବିଶିଷ୍ଟ ଅଗ୍ନିକାଣ୍ଡ ସୁରକ୍ଷା ସମ୍ପର୍କିତ ଏକ କ୍ଷୁଦ୍ର ଚଳଚ୍ଚିତ୍ରକୁ ପ୍ରଦର୍ଶନ କରାଯାଇଥିଲା। ଏହି କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବ ବୋଲି ଅଗ୍ନିଶମ ବିଭାଗ ଡିଜି ବିକେ ଶର୍ମା କହିଛନ୍ତି। ଏହି ଅବସରରେ ଅଗ୍ନିଶମ ସେବା କ୍ଷେତ୍ରରେ ଉତ୍ସର୍ଗୀକୃତ ଓ ନିଷ୍ଠାପର କାର୍ଯ୍ୟ ପାଇଁ ରମେଶ ଚନ୍ଦ୍ର ମାଝୀ, ସରୋଜ କୁମାର ବେହେରା, ରଞ୍ଜିତ ଲେଙ୍କାଙ୍କ ସମେତ କାର୍ଯ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୫ ଜଣ ସଫଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ତେବେ ଆଜିର ପରେଡ୍‌ରେ ଓଡ଼ିଶା ଅଗ୍ନିଶମ ସେବାର ଲିଡିଂ ଫାୟାର ମ୍ୟାନ୍‌ର ୨ପ୍ଲାଟୁନ, ଫାୟାର ମ୍ୟାନ୍‌ ୨ ପ୍ଲାଟୁନ୍‌, ଆନ୍ଧ୍ରପଦେଶ ଫାୟାର ମ୍ୟାନ୍‌ ଏକ ପ୍ଲାଟୁନ୍‌, ନାଗାଲ୍ୟାଣ୍ଡ ଫାୟାର ମ୍ୟାନ୍‌ ୨ ପ୍ଲାଟୁନ୍‌ ଓ ନ୍ୟାସନାଲ୍‌ ଫାୟାର ସର୍ଭିସ କଲେଜ ନାଗପୁର ସ୍ପୋନସର୍ଡ ସବ୍‌ ଅଫିସର ଗୋଟିଏ ପ୍ଲାଟୁନ୍‌ ପରେଡ୍‌ରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର