ଟ୍ରକ୍‌ ଫଛରେ ପିଟି ହେଲା ପିକ୍‌ନିକ୍‌ ବସ୍‌: ୧୦ ଆହତ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶୁକ୍ରବାର ବିଳମ୍ବିତ ରାତିରେ ଜୟଦେବବିହାର ଓଭରବ୍ରିଜ୍‌ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ଏକ ପିକ୍‌ନିକ୍‌ ବସ୍‌ ପିଟି ହୋଇଯିବାରୁ ୧୦ଜଣ ଆହତ ହୋଇଛନ୍ତି। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।

ପୁଲିସ ସୂଚନା ମୁତାବକ, ବସ୍‌ଟି ରଣପୁର ଅଞ୍ଚଳର ଏକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ କପିଳାସ ଯାଉଥିଲା। ତେବେ ରାତି ପ୍ରାୟ ସାଢ଼େ ତିନିଟାବେଳେ ଜୟଦେବବିହାର ଓଭରବ୍ରିଜ୍‌ ଉପରେ ଯାଉଥିବା ସମୟରେ ବସ୍‌ ଚାଳକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ଦେଖି ନ ପାରି ପଛକୁ ଧକ୍କା ଦେଇଥିଲା। ଫଳରେ ବସ୍‌ ଚାଳକ ଓ ହେଲ୍ପର ସମେତ ୧୦ରୁ ଅଧିକ ଆହତ ହୋଇଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ବସ୍‌କୁ ଜବତ କରି ଥାନାକୁ ଆଣିଥିଲା। ଅନ୍ୟପଟେ ପୁଲିସ ପହଞ୍ଚିବା ପୂର୍ବରୁ ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ବସ୍‌ ମାଲିକ ସହ ଯୋଗାଯୋଗ କରିଥିଲେ। ଦୁର୍ଘଟଣା ଖବର ପାଇବା ପରେ ଛାତ୍ରଛାତ୍ରୀଙ୍କୁ ନେବା ପାଇଁ ବସ୍‌ମାଲିକ ଆଉ ଏକ ବସ୍‌ ପଠାଇଥିଲେ।

ସମ୍ବନ୍ଧିତ ଖବର