ମେଲାଣି ନେଲେ ମା’ ଧନଲକ୍ଷ୍ମୀ

ଭୁବନେଶ୍ବର: ପାରମ୍ପରିକ ବାଦ୍ୟର ତାଳେତାଳେ ବିଦାୟ ନେଇଛନ୍ତି ମା’ ଗଜଲକ୍ଷ୍ମୀ। ଏନେଇ ଆଜି ସହିଦନଗର ଦୁର୍ଗାପୂଜା ପଡ଼ିଆରେ ଭୁବନେଶ୍ବର ଲକ୍ଷ୍ମୀପୂଜା ଭସାଣି ଉତ୍ସବ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଥିଲା ମିଳିତ ଭସାଣି ପର୍ବ। ୧୦ ପୂଜା କମିଟି ଆଡ଼ମ୍ବର ସହକା‌ରେ ଦୁର୍ଗାପୂଜା ପଡ଼ିଆରେ ପହଞ୍ଚିବା ପରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଅପରାହ୍‌ଣରୁ ପଡ଼ିଆରେ ଭିଡ଼ ଜମିଥିଲା। ପ୍ରଥମେ ଅପରାହ୍‌ଣ ୪ଟା ୩୫ରେ ଆସି ପହଞ୍ଚିଥିଲା ମହାବୀର ଯୁବକ ସଂଘ ମେଢ଼। ପରେ ପୁରୁଣା ଷ୍ଟେସନ୍‌ ବଜାର, ସହିଦନଗର, ସରକନ୍ତରା ହାଟସାହି, ଅଟଳାର ଟାଇଗର କ୍ଲବ୍‌, ବୁଦ୍ଧନଗର ଲକ୍ଷ୍ମୀପୂଜା ସମିତି, ସହିଦନଗର ବାବା ଆଖଣ୍ଡଳମଣି ଗଜଲକ୍ଷ୍ମୀ କମିଟି, ଭୋଟପଡ଼ା ଗଜଲକ୍ଷ୍ମୀ ପୂଜା ସମିତି, ମଞ୍ଚେଶ୍ବର, ୟୁନିଟ୍ ୯ ବାୟାବାବା ଲକ୍ଷ୍ମୀପୂଜା କମିଟି କ୍ରମାନ୍ବୟରେ ପଡ଼ିଆରେ ଏକାଠି ହେବା ପରେ ଅପରାହ୍‌ଣରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସେଠାରେ ପୂଜା କମିଟିର କର୍ମକର୍ତାଙ୍କୁ ସମ୍ବର୍ଧିତ କରାଯାଇଥିଲା। ପରେ ସମସ୍ତ ମେଢ଼ ଧାଡ଼ି ବିସର୍ଜନରେ ଯାଇଥିଲେ। ମିଳିତ ଭସାଣି ସହିଦନଗର ପଡ଼ିଆରୁ ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଯାଇଥିଲା। ଦୁଲ୍‌ଦୁଲି, ପଞ୍ଜାବୀ, ଢୋଲ, ଘଣ୍ଟ, ମାର୍ଦଳ ସାଙ୍ଗକୁ ଘୋଡ଼ା ଓ କଣ୍ଢେଇ ନାଚ ଦେଖିବାକୁ ସହିଦନଗରରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ସହିଦନଗର ଦୁର୍ଗାପୂଜା ସମିତିର ଉପଦେଷ୍ଟା ଜଗନ୍ନାଥ ମହାପାତ୍ର, ସଭାପତି ସଚ୍ଚିଦାନନ୍ଦ ରଥ, ସମ୍ପାଦକ ନାରାୟଣ ମହାପାତ୍ର, ଭସାଣି ସମିତି ଉତ୍ସବ ସମ୍ପାଦକ ହରୀଶ ପ୍ରସାଦ ରଥ, ସରୋଜ ପାତ୍ର, ହେମନ୍ତ କୁମାର ପରିଡ଼ା ଓ ଅନ୍ୟ ସଦସ୍ୟବୃନ୍ଦ ପୂଜା କମିଟିର ସଦସ୍ୟମାନଙ୍କୁ ସମ୍ବର୍ଧିତ କରିଥିଲେ।

ସେହିଭଳି ରାଜଧାନୀ ଉପକଣ୍ଠରେ ମଧ୍ୟ ଶିଙ୍ଘ ବାଜା, ବାଣ, ମାଦଳ, ଘଣ୍ଟୁଆ, ଢ଼ୋଲ, ମହୁରି ଓ ଚଡ଼ଚଡ଼ି ସହିତ ଡିଜେ ବାଦ୍ୟରେ ମା’ଙ୍କୁ ମେଲାଣି ଦେଇଛନ୍ତି ରାଜଧାନୀ ଉପକଣ୍ଠ ଗ୍ରାମବାସୀ। ମଞ୍ଚେଶ୍ବର ଭୋଟପଡ଼ା, କଳାରାହାଙ୍ଗ, ଚକେଇସିହାଣି ଓ ଆଖପାଖ ଗ୍ରାମରେ ୭ଦିନ ଧରି ମଣ୍ଡପରେ ପୂଜା ପାଉଥିବା ମା’ ଗଜଲକ୍ଷ୍ମୀଙ୍କୁ ମେଲାଣି ଦିଆଯାଇଛି। ଭୋଟପଡ଼ା ଗ୍ରାମର ଧନଲକ୍ଷ୍ମୀ ସବୁଠୁ ଜାକଜମକରେ ପାଳିତ ହେଉଥିବା ବେଳେ ଆଜି ସମସ୍ତ ଲକ୍ଷ୍ମୀ ମେଢ଼ ରୋଷଣି କରି ନନ୍ଦନକାନନ ଜୟଦେବ ବିହାର ରାସ୍ତା ଓ ଭିଏସ୍ଏସ୍ ନଗର ମୁଖ୍ୟ ରାସ୍ତାଦେଇ ସହର ମଧ୍ୟକୁ ପ୍ରବେଶ କରିଥିଲା। ଭୋଟପଡ଼ା ପୂଜା କମିଟିର ମୁଖ୍ୟ ଦାଶରଥୀ ନାୟକ ଭସାଣି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମେଢ଼ କୁଆଖାଇ ଓ ଦୟାନଦୀକୁ ବିସର୍ଜନ ପାଇଁ ଯାଇଥିଲେ। ପୁରୁଣା ଭୁବନେଶ୍ବରରେ ଆୟୋଜିତ ଗଜଲକ୍ଷ୍ମୀଙ୍କୁ ମେଲାଣି ଦେବା ବେଳେ ଆଡ଼ମ୍ବରପୂର୍ଣ୍ଣ ଆୟୋଜନ ଦେଖିବା ପାଇଁ ବିପୁଳ ସମାଗମ ହୋଇଥିଲା। ତେବେ ସହରରେ ଆଉ କିଛି ପ୍ରମୁଖ ସ୍ଥାନରେ ୧୦ ଦିନ ପର୍ଯ୍ୟନ୍ତ ଗଜଲକ୍ଷ୍ମୀ ପୂଜା ଚାଲିବ।

ସମ୍ବନ୍ଧିତ ଖବର