ହାୱଡ଼ା ଏବଂ ସିକନ୍ଦରାବାଦ, ଯଶବନ୍ତପୁର ମଧ୍ୟରେ ଚାଲିବ ପାର୍ସଲ ଏକ୍ସପ୍ରେସ୍‌

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ଓ ୨୧ ଦିନ ତାଲାବନ୍ଦ ସତ୍ତ୍ୱେ ରେଳ ମନ୍ତ୍ରଣାଳୟ ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା କୋଇଲା, ଖାଦ୍ୟଶସ୍ୟ, ସାର, ପେଟ୍ରୋଲିୟମ ଉତ୍ପାଦ, ଫଳ ଓ ପନିପରିବା, ଦୁଗ୍‌ଧ, ଜାଳେଣି ତେଲ, ଚିନି, ଲୁଣ ଏବଂ ଔଷଧ ଇତ୍ୟାଦି ପରିବହନ କରୁଛି। ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟର ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ସିକନ୍ଦରାବାଦ ଓ ହାୱଡ଼ା ମଧ୍ୟରେ ପାର୍ସଲ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ୍ ସିକନ୍ଦରାବାଦରୁ ଏପ୍ରିଲ ୨ ଓ ୯ ତାରିଖରେ ହାୱଡ଼ା ଅଭିମୁଖେ ଯାତ୍ରା କରିବ। ଫେରିବା ରାସ୍ତାରେ ହାୱଡ଼ାରୁ ଏପ୍ରିଲ ୪ ଓ ୧୧ ତାରିଖ ଦିନ ଛାଡ଼ି ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ୍ ସିକନ୍ଦରାବାଦରୁ ରାତି ୧୦ଟାରେ ଛାଡ଼ି ହାୱଡ଼ାରେ ଭୋର ୪ଟାରେ ପହଞ୍ଚିବ। ଫେରିବା ରାସ୍ତାରେ ହାୱଡ଼ାରୁ ଅପରାହ୍ନ ୪ଟା ୫ରେ ଛାଡ଼ି ସନ୍ଧ୍ୟା ୬ଟାରେ ସିକନ୍ଦରାବାଦରେ ପହଞ୍ଚିବ। ଏହି ଟ୍ରେନ୍ ସିକନ୍ଦରାବାଦ ଓ ହାୱଡ଼ା ମଧ୍ୟରେ କାଜିପେଟ୍‌, ବିଜୟୱାଡ଼ା, ଏଲୁରୁ, ରାଜମୁନ୍ଦ୍ରୀ, ଅଙ୍କାପାଲି, ସିହ୍ମାଞ୍ଚଳମ୍‌, ଭୁବନେଶ୍ୱର ଏବଂ ଭଦ୍ରକଠାରେ ରହିବ। ଯଶବନ୍ତପୁର ଓ ହାୱଡ଼ା ମଧ୍ୟରେ ଆଉ ଏକ ପାର୍ସଲ ଟ୍ରେନ୍ ଚଳାଚଳ କରିବ।

ଯଶବନ୍ତପୁର-ହାୱଡ଼ା-ଯଶବନ୍ତପୁର ପାର୍ସଲ ଏକ୍ସପ୍ରେସ୍ (୦୦୬୦୩/୦୦୬୦୪) ଏପ୍ରିଲ୍ ୧ରୁ ୧୧ ତାରିଖ ପୂର୍ବାହ୍ନ ୧୧ଟାରେ ଯଶବନ୍ତପୁରଠାରୁ ପ୍ରତ୍ୟେକ ବୁଧବାର ଓ ଶନିବାର ଛାଡ଼ି ହାୱଡ଼ାଠାରେ ତା’ପରଦିନ ରାତି ୯ଟାରେ ପହଞ୍ଚିବ। ଫେରିବା ବାଟରେ ଏହି ଟ୍ରେନ୍ ହାୱଡ଼ାଠାରୁ ସକାଳ ୬ଟାରେ ଏପ୍ରିଲ ୩ ରୁ ୧୩ ତାରିଖ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଓ ସୋମବାର ଦିନ ଛାଡ଼ି ତା’ପରଦିନ ଅପରାହ୍ନ ୪ଟା ୩୦ରେ ଯଶବନ୍ତପୁରରେ ପହଞ୍ଚିବ। ଏହି ଟ୍ରେନ୍ ଯଶବନ୍ତପୁର-ହାୱଡ଼ା ମଧ୍ୟରେ ଜୌଲାରପେଟାଇ, ଚେନ୍ନାଇ, ଗୁଡୁରୁ, ଦୁଭାଡ଼ା ଏବଂ ଭଦ୍ରକ ଠାରେ ରହଣୀ କରିବ। ଇଚ୍ଛୁକ ବ୍ୟବସାୟୀ ଓ ଯୋଗାଣକାରୀମାନେ ଏହି ସେବାର ସୁବିଧା ନେଇ ପାରିବେ। ଅତ୍ୟାବଶ୍ୟକ ପଦାର୍ଥ ପରିବହନ ପାଇଁ ଅଧିକ ସୂଚନା ନିମନ୍ତେ ଷ୍ଟେସନ ମ୍ୟାନେଜର ଓ ପାର୍ସଲ ସୁପରଭାଇଜରଙ୍କ ସହ ଯୋଗାଯୋଗ କରିପାରିବେ।

ପୂର୍ବତଟ ରେଳପଥ ପରିସୀମା ସମେତ ଦେଶର ବିଭିନ୍ନ ସ୍ଥାନକୁ ପାର୍ସଲ ଟ୍ରେନ୍ ସେବା ଯୋଗାଇବା ଓ ଏହି ସେବାକୁ ବୃଦ୍ଧି କରି ଅଧିକ ପାର୍ସଲ ଟ୍ରେନ୍ ଚଳାଚଳ କରିବାକୁ ରେଳ ମନ୍ତ୍ରଣାଳୟ ଯୋଜନା କରୁଛି। ଇଚ୍ଛୁକ ବ୍ୟବସାୟୀ ଓ ଯୋଗାଣକାରୀମାନେ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକଙ୍କ ସହ ଯୋଗାଯୋଗ କରିପାରିବେ। ସମ୍ବଲପୁର ପାଇଁ ସମ୍ବିତ ନାୟକ(୮୪୫୫୮୮୬୯୫୦), ଖୋର୍ଦ୍ଧାରୋଡ଼ ପି କେ ସାମଲ(୮୪୫୫୮୮୭୯୫୦), ୱାଲଟିୟର ସୁନୀଲ କୁମାର (୮୯୭୮୦୮୦୯୫୦) ଓ ଭୁବନେଶ୍ୱରଠାରେ ଏଚ୍‌ ଏଲ୍‌ ଲୁହାଙ୍ଗ, ଉପମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ(୮୪୫୫୮୮୫୯୫୫)ଙ୍କୁ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର