ବନ୍ୟପ୍ରାଣୀ ୟୁଟ୍ୟୁବର୍‌ ମାମଲା: ପିସିସିଏଫ୍‌ଙ୍କୁ ଦସ୍ତାବିଜ ମାଗିଲା ଇଡି

ଯାଞ୍ଚ ପରେ ମନିଲଣ୍ଡରିଂ ଆଇନରେ ହେବ ମାମଲା

ଭୁବନେଶ୍ବର: ବନ୍ୟପ୍ରାଣୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ବେଆଇନ ଭାବେ ଅର୍ଥ ଉପାର୍ଜନ କରୁଥିବା ୟୁଟ୍ୟୁବର୍‌ ଭଦ୍ରା ଦମ୍ପତି ଓ ସାପ ଧରାଳି ମିର୍ଜା ମହମ୍ମଦ ଆରିଫ୍‌ଙ୍କ ଅଡ଼ୁଆ ବଢ଼ିଛି। ପୂର୍ବରୁ ଏହି ମାମଲାରେ କଟକ ଡିଭିଜନ ବନ ବିଭାଗ ଦ୍ବାରା ଗିରଫ ହୋଇଥିବା ଏହି ୟୁଟ୍ୟୁବର୍‌ଙ୍କ ଆର୍ଥିକ ଦିଗର ଖୋଳତାଡ଼ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି)। ଏହି ଦୁଇ ୟୁଟ୍ୟୁବର୍‌ଙ୍କ ମାମଲା ସମ୍ବନ୍ଧୀୟ ଦସ୍ତାବିଜ ପ୍ରଦାନ କରିବାକୁ ପିସିସିଏଫ୍ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କୁ ଇଡି ଚିଠି କରିଛି। ମାମଲା ସମ୍ବନ୍ଧୀୟ ଦସ୍ତାବିଜ ମିଳିବା ପରେ ଏହାର ଯାଞ୍ଚ କରି ଇଡି ୟୁଟ୍ୟୁବର୍‌ଙ୍କ ବିରୋଧରେ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି। ମନିଲଣ୍ଡରିଂ ଆଇନ ବଳରେ ୟୁଟ୍ୟୁବର୍‌ କେତେ ଟଙ୍କା ଉପାର୍ଜନ କରିଛନ୍ତି, କେଉଁ ଉତ୍ସରୁ ତାଙ୍କୁ କେତେ ଟଙ୍କା ମିଳିଛି ଏବଂ ସେମାନଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟର ଯାଞ୍ଚ କରିବ ଇଡି। ୟୁଟ୍ୟୁବର୍‌ଙ୍କ ବିରୁଦ୍ଧରେ ମାମଲା କରିବା ନେଇ ଇଡି ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ତା’ ପୂର୍ବରୁ ତଥ୍ୟ ମାଗିଛି। ମାମଲା ରୁଜୁ ପରେ ୟୁଟ୍ୟୁବର୍‌ ଯାଜପୁରର ବଦ୍ରିନାରାୟଣ ଭଦ୍ରା ଓ ତାଙ୍କ ପତ୍ନୀ ମୋନାଲିସା ଭଦ୍ରା ଏବଂ ସାପ ଧରାଳି ଭଦ୍ରକର ମିର୍ଜା ମହମ୍ମଦ ଆରିଫ୍‌ଙ୍କୁ ଇଡି ପକ୍ଷରୁ ନୋଟିସ ହେବ। ଯେତେ ଶୀଘ୍ର ପିସିସିଏଫ୍ (ବନ୍ୟପ୍ରାଣୀ) ଦସ୍ତାବିଜ ଦାଖଲ କରିବେ ସେତେ ଶୀଘ୍ର ଇଡି ମାମଲା ଆଗେଇବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ନିକଟରେ ବେଆଇନ ଭାବେ ବନ୍ୟପ୍ରାଣୀଙ୍କ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ କରି ଗିରଫ ହୋଇଥିବା ୟୁଟ୍ୟୁବର୍‌ଙ୍କ ଆର୍ଥିକ କାରବାରର ଖୋଳତାଡ଼ କରିବା ପାଇଁ ବନ୍ୟପ୍ରାଣୀ ପିସିସିଏଫ୍ ଇଡିକୁ ଲିଖିତ ଭାବେ ଜଣାଇଥିଲେ।

ପୂର୍ବରୁ ୟୁଟ୍ୟୁବର୍‌ ଭଦ୍ରା ଦମ୍ପତି ଓ ସାପ ଧରାଳି ମିର୍ଜା ମହମ୍ମଦ ଆରିଫ୍‌ଙ୍କ ଆର୍ଥିକ କାରବାରର ତଦନ୍ତ କରିବା ଲାଗି ଇଡିକୁ ଚିଠି ଲେଖିଥିଲେ ବନ୍ୟପ୍ରାଣୀ ପିସିସିଏଫ୍‌। ଏଭଳି ବେଆଇନ କାମ ନ କରିବାକୁ ନିଷେଧାଦେଶ ଜାରି ହୋଇଥିବା ସତ୍ତ୍ବେ ଏହି ଦୁଇ ୟୁଟ୍ୟୁବର୍‌ ଅର୍ଥ ଉପାର୍ଜନ ପାଇଁ ବାରମ୍ବାର ବନ୍ୟପ୍ରାଣୀଙ୍କୁ ନେଇ ଭିଡିଓ ସୁଟ୍‌ କରୁଥିଲେ ଏବଂ ୟୁଟ୍ୟୁବ୍‌ରେ ଭାଇରାଲ୍‌ କରୁଥିଲେ। ଭଦ୍ରା ଦମ୍ପତି ମାଙ୍କଡ଼ମାନଙ୍କୁ ନେଇ ବହୁ ଭିଡିଓ କରି ବେଶ୍‌ ଲୋକପ୍ରିୟ ହୋଇଥିଲେ। ମାତ୍ର ବନ୍ୟପ୍ରାଣୀଙ୍କୁ ନେଇ ଭିଡିଓ କରିବା ବେଆଇନ ବୋଲି ପିସିସିଏଫ୍‌ ବନ୍ୟପ୍ରାଣୀଙ୍କ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଥିଲା। କିନ୍ତୁ ଭଦ୍ରା ଦମ୍ପତି ସେସବୁକୁ ବେଖାତିର କରି ଚାଲିଥିଲେ। ସେହିଭଳି ମିର୍ଜା ଆରିଫ୍ ସାପକୁ ଉଦ୍ଧାର କରିବା ସମୟର ଦୃଶ୍ୟକୁ ଭିଡିଓ କରି ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ପ୍ରସାରଣ କରୁଥିଲେ। ତେଣୁ ନିକଟରେ କଟକ ଡିଭିଜନ ବନ ବିଭାଗ ସେମାନଙ୍କୁ ଗିରଫ କରିଥିଲା। ସେମାନେ ଏଭଳି ଭିଡିଓରୁ ବିପୁଳ ଅର୍ଥ ଉପାର୍ଜନ କରିଥିବା ପ୍ରମାଣ ମିଳିବା ପରେ ପିସିସିଏଫ୍‌ ଶ୍ରୀ ନନ୍ଦ ଇଡିକୁ ମାମଲା ହସ୍ତାନ୍ତର କରିଥିଲେ। ପ୍ରିଭେନ୍‌ସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିସିସିଏଫ୍‌ ଶ୍ରୀ ନନ୍ଦ ଇଡିକୁ ଚିଠି ଲେଖିଥିଲେ।

ସମ୍ବନ୍ଧିତ ଖବର