ପରିବେଶ ଯୋଦ୍ଧା: ଆଧ୍ୟାତ୍ମିକ ମାର୍ଗରେ ପରିବେଶ ସୁରକ୍ଷା

ପରିବେଶ ସୁରକ୍ଷା ସହିତ ଆଧ୍ୟାତ୍ମିକତାର ଏକ ପରିପୂରକ ସମ୍ପର୍କ ରହିଛି। କାରଣ ଭାରତୀୟ ସଂସ୍କୃତି ଓ ଜୀବନଧାରାରେ ଆଧ୍ୟାତ୍ମିକତା ସହ ପ୍ରକୃତିର ଉପାସନାକୁ ଗୁନ୍ଥି ଦିଆଯାଇଛି। ବିଶେଷ କରି ବୃକ୍ଷରୋପଣ, ଏହାର ଯତ୍ନ, ସୁରକ୍ଷା ଓ ସମ୍ମାନ ଧାର୍ମିକ ପରମ୍ପରା ଭିତରେ ନିହିତ ରହିଛି। ଓଡ଼ିଶାରେ ଏଭଳି ବହୁ ମଠମନ୍ଦିର ରହିଛି ଯେଉଁଠି ବୃକ୍ଷପୂଜନ ଓ ରକ୍ଷଣାବେକ୍ଷଣକୁ ଧର୍ମୀୟ ପରମ୍ପରାର ଅଂଶ ଭାବେ ବିବେଚନା କରାଯାଏ। ଏହି କ୍ରମରେ ଆଲୋଚନାର ପରିସରକୁ ଆସନ୍ତି ୬୫ ବର୍ଷୀୟ ନିଆରା ପରିବେଶ ଯୋଦ୍ଧା ସାରଦା ପଟ୍ଟନାୟକ। ବୃତ୍ତିରେ ସେ ଥିଲେ ଆଇନଜୀବୀ କିନ୍ତୁ ଆଧ୍ୟାତ୍ମିକ ମାର୍ଗରେ ଯିବା ଲାଗି ଥିଲା ଜିଜ୍ଞାସା। ଏକଦା ହରିଦ୍ୱାର ଗସ୍ତରେ ଯାଇଥିବା ସମୟରେ ଜଣେ ସନ୍ଥଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା।

ସାରଦାଙ୍କ ଦ୍ବାରା ସୃଷ୍ଟ ବଉଳିଆ ପୀଠ ପଲ୍ଲୀ ବଗିଚା ଆଧ୍ୟାତ୍ମିକତା ଜରିଆରେ ଗଛ ସୁରକ୍ଷାର ଗୁରୁମନ୍ତ୍ର ବାଣ୍ଟି ଚାଲିଛି।

ସେଠାରୁ ଫେରିବା ପରେ ସେ ଜଗତ୍‌ସିଂହପୁରଠାରୁ ଅନତି ଦୂରରେ ସ୍ଥାପନ କରିଥିଲେ ଗୋଟିଏ ବିରାଟ ବଗିଚା ଏବଂ ତା’ ପରିସରରେ ସିଦ୍ଧ ମହାବୀର ଓ ନୃସିଂହନାଥ ମନ୍ଦିର। ଏହି ବଗିଚାରେ ରୁଦ୍ରାକ୍ଷ, ପାତାଳଗଙ୍ଗା ଓ ପାରିଜାତ ଭଳି ଅନେକ ବିରଳ ବୃକ୍ଷଲତା ରୋପଣ କରିବା ସହ ସାହାଡ଼ା, ପଳାସ, କଇଥ, ବାସଙ୍ଗ, ବଉଳ, ବେଲ, ନିମ୍ବ, କଦମ୍ବ, ବର ଓ ଓସ୍ତ, ଶିଆଳି ଓ କାଇଁଚ ତଥା ଗିଲ ଭଳି ଅନେକ ଗଛ ଲଗାଇ ତାହାର ସଂରକ୍ଷଣ କରିଛନ୍ତି। ଉଲ୍ଲେଖନୀୟ କଥାଟି ହେଲା, ବାର ଓ ତିଥିରେ ଏହି ସବୁ ବୃକ୍ଷଲତାକୁ ପରମ୍ପରା ଅନୁଯାୟୀ ପୂଜା କରିବାର ଧାରା ସେ ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣଙ୍କୁ ବି ସାମିଲ କରାଯାଇଛି। ଏଥିସହ ପରିବେଶ ସୁରକ୍ଷା ଓ ପ୍ରାଣୀଜଗତର କଲ୍ୟାଣ ପାଇଁ ଗତ ୧୦ ବର୍ଷ ହେବ ଏକ ବିରାଟ ଯଜ୍ଞ କରାଯାଉଛି। ବଉଳିଆ ପୀଠ ପଲ୍ଲୀ ବଗିଚା ଭାବେ ବେଶ୍ ପରିଚିତ ଏହି ଆଧ୍ୟାତ୍ମିକ ସ୍ଥଳୀଟି ବୃକ୍ଷ ସୁରକ୍ଷାର ଗୁରୁମନ୍ତ୍ର ବାଣ୍ଟି ଚାଲିଛି। ପ୍ରତିଷ୍ଠାତା ସାରଦା ପଟ୍ଟନାୟକ ଏ ପ୍ରସଙ୍ଗରେ କହନ୍ତି, ‘‘ଆଗରୁ ନିଜ ବାଡ଼ିରେ ରହିଥିବା ସାହାଡ଼ା ଗଛଟିକୁ ଏଠାକାର ଲୋକମାନେ ବିନା ଦ୍ବିଧାରେ କାଟି ଫୋପାଡ଼ି ଦେଉଥିଲେ। ବର୍ତ୍ତମାନ ସେମାନେ ଏଭଳି କାର୍ଯ୍ୟରୁ ବିରତ ହୋଇଛନ୍ତି। ଏ ଅଞ୍ଚଳରେ ପ୍ରାୟ ୮-୧୦ ଖଣ୍ଡ ଗାଁରେ ପ୍ରତିଟି ଗଛର ଅବଦାନକୁ ଗ୍ରାମବାସୀ ବୁଝି ପାରିଲେଣି। ଗଛଲତାର ବହୁବିଧ ଉପକାର ବୁଝିପାରି ନିଜ ନିଜ ଅଞ୍ଚଳରେ ଏସବୁର ସଂରକ୍ଷଣରେ ମଧ୍ୟ ଲାଗି ପଡ଼ିଛନ୍ତି।’’

ସମ୍ବନ୍ଧିତ ଖବର