ଜଙ୍ଗଲ ଉଜୁଡ଼ିବାର ଆଉ ଏକ ନଗ୍ନ ଚିତ୍ର: ହ୍ରାସ ପାଉଛି କେନ୍ଦୁପତ୍ର ଉତ୍ପା‌ଦନ

କମୁଛି ଫଡ଼ି ସଂଖ୍ୟା, ସଂକଟରେ ତୋଳାଳି

ଝାରସୁଗୁଡ଼ା: ଏକଦା ପତ୍ରା ଜଙ୍ଗଲ ପାଇଁ କେନ୍ଦୁପତ୍ର ଉତ୍ପାଦନର ପେଣ୍ଠସ୍ଥଳୀ ଥିବା ଝାରସୁଗୁଡ଼ା ଜିଲ୍ଲାରେ ଏବେ ଉତ୍ପାଦନ ବହୁ ପରିମାଣରେ ହ୍ରାସ ପାଇବାରେ ଲାଗିଛି। ଗତ ୭ ବର୍ଷର ତଥ୍ୟକୁ ହିସାବକୁ ନେଲେ ଝାରସୁଗୁଡ଼ା କେନ୍ଦୁଲିଫ୍‌ ଡିଭିଜନ୍‌ରେ ଉତ୍ପାଦନ ୫୦ ପ୍ରତିଶତରୁ ତଳକୁ ଖସି ଆସିଲାଣି। ଏହି ସ୍ଥିତି ଲାଗି ରହି‌ଲେ ଆଗାମୀ ଦିନରେ ଝାରସୁଗୁଡ଼ା କେନ୍ଦୁଲିଫ୍‌ ଡିଭିଜନ୍‌ ଉଠିଯିବାର ଆଶଙ୍କା କରାଗଲାଣି। ସେପରି ହେଲେ ବିଭିନ୍ନ ସରକାରୀ ଯୋଜନା ଓ ବର୍ଦ୍ଧିତ ପାରିଶ୍ରମିକରୁ କେନ୍ଦୁପତ୍ର ତୋଳାଳିମାନେ ବଞ୍ଚିତ ହେବେ ବୋଲି ଉଦ୍‌ବେଗ ପ୍ରକାଶ ପାଇଛି।

ତଥ୍ୟ ଅନୁସାରେ, ୨୦୧୭ ମସିହାରେ ଝାରସୁଗୁଡ଼ା କେନ୍ଦୁଲିଫ୍‌ ଡିଭିଜନ୍‌ରେ ୧୧୮୦୦.୮୦ କୁଇଣ୍ଟାଲ, ୨୦୧୮ ରେ ୮୩୮୦.୮୦ କୁଇଣ୍ଟାଲ, ୨୦୧୯ ରେ ୫୯୮୮.୬୦ କୁଇଣ୍ଟାଲ, ୨୦୨୦ ରେ ୫୦୮୨.୬୦ କୁଇଣ୍ଟାଲ, ୨୦୨୧ରେ ୮୦୫୯.୨୦ କୁଇଣ୍ଟାଲ କେନ୍ଦୁପତ୍ର ଉତ୍ପାଦନ ହୋଇଥିଲା। ୨୦୨୨ ଓ ୨୦୧୩ରେ ୧୦ ହଜାର କୁଇଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଯଥାକ୍ରମେ ୮୬୩୨.୮ ଓ ୫୨୦୪ କୁଇଣ୍ଟାଲ ଉତ୍ପାଦନ ହୋଇଥିଲା। ଚଳିତ ବର୍ଷ ଫେବ୍ରୁଆରି ୨୦ ତାରିଖରୁ ଗୋଛାକଟା ଆରମ୍ଭ ହୋଇ ପତ୍ର ଶୁଖିବାକୁ ଛାଡ଼ି ଦିଆଯାଇଥିଲା। ଏପ୍ରିଲ ୨୨ ତାରିଖରୁ କେନ୍ଦୁପତ୍ର ତୋଳା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ତାରିଖ ଯାଏ ଏହା ଜାରି ରହିବ। ଝାରସୁଗୁଡ଼ା କେନ୍ଦୁଲିଫ୍‌ ଡିଭିଜନ୍‌ର ୭ଟି ସ୍ଥାନରୁ କେନ୍ଦୁପତ୍ର ଉତ୍ପାଦନ ହୋଇଥାଏ। ଏହା ମଧ୍ୟରୁ ଡୁଡୁକା ରେଞ୍ଜରେ ସର୍ବାଧିକ କେନ୍ଦୁପତ୍ର ଉତ୍ପାଦନ ହେଉଥିବା ବେଳେ କନିକା ରେଞ୍ଜରେ ଉତ୍ପାଦନ ସର୍ବନିମ୍ନ ହେଉଛି। ଏହି ବନଖଣ୍ଡ ଅଧୀନରେ ଝାରସୁଗୁଡ଼ା, ବେଲପାହାଡ଼, କଦମଡିହି, ଡୁଡୁକା, ଗୋପାଳପୁର ରେଞ୍ଜ ମଧ୍ୟ ରହିଛି। ୨୦୧୦ ମସିହା ବେଳକୁ ଝାରସୁଗୁଡ଼ା ବନଖଣ୍ଡ ଅଧୀନରେ ଫଡ଼ି ସଂଖ୍ୟା ୩୫୦ରୁ ଅଧିକ ରହିଥିଲା। ମାତ୍ର କେନ୍ଦୁପତ୍ର ଉତ୍ପାଦନ ନିୟମିତ ଭାବେ ହ୍ରାସ ପାଇବା ସହିତ ଫଡ଼ି ସଂଖ୍ୟା ମଧ୍ୟ ହ୍ରାସ ପାଇଚାଲିଛି। ୨୦୨୦ ମସିହାରେ ଏହି ବନଖଣ୍ଡରେ ଫଡ଼ି ସଂଖ୍ୟା ୩୩୦ ରହିଥିଲା। କିନ୍ତୁ ଗତବର୍ଷ ଏହା ହ୍ରାସ ପାଇ ୩୦୭ରେ ପହଞ୍ଚିଥିଲା। ଚଳିତ ବର୍ଷ ୩୦୩ଟି ଫଡ଼ି କାର୍ଯ୍ୟକ୍ଷମ ହେଉଛି। କେନ୍ଦୁପତ୍ର ତୋଳା କାମରେ ଝାରସୁଗୁଡ଼ା ଜିଲ୍ଲାର ହଜାର ହଜାର ପରିବାର ନିୟୋଜିତ ହୋଇ ଆର୍ଥିକ ସ୍ବଚ୍ଛଳ ହୋଇପାରୁଥିଲେ। କିନ୍ତୁ ଗତ ୨ ଦଶନ୍ଧି ମଧ୍ୟରେ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା  ହୁହୁ ହୋଇ ବଢ଼ି ଚାଲିଥିବାବେଳେ ଖଣି ଖନନ ଯୋଗୁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଫଳସ୍ବରୂପ କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଇବା‌ ସାଙ୍ଗକୁ ଏହା ଉପରେ ନିର୍ଭରଶୀଳ ପରିବାରଗୁଡ଼ିକ ମଧ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି।

ସମ୍ବନ୍ଧିତ ଖବର