ଆୟୁର୍ବେଦ ଜାଣିଥିବା ଓରାଙ୍ଗୁଟାନ୍‌!

ଜଙ୍ଗଲରେ ଉପଲବ୍‌ଧ ଔଷଧୀୟ ବୃକ୍ଷକୁ ବ୍ୟବହାର କରି ମଣିଷ ଛଡ଼ା ଆଉ କିଛି ପ୍ରାଣୀ କିପରି ନିଜର ଚିକିତ୍ସା ପାଇଁ ଚେଷ୍ଟା କରିଥା’ନ୍ତି, ତାହାର ଏକ ସଦ୍ୟ ପ୍ରମାଣ ଦେଖିବାକୁ ମିଳିଛି ଇଣ୍ଡୋନେସିଆରେ। ଇଣ୍ଡୋନେସିଆର ସୁମାତ୍ରା ଦ୍ବୀପ ସ୍ଥିତ ଗୁନ୍ନୁଂ ଲିଉଜର ଜାତୀୟ ଉଦ୍ୟାନରେ ଏକ ଓରାଙ୍ଗୁଟାନ୍‌ ଏକ ପ୍ରକାର ଔଷଧୀୟ ଉଦ୍ଭିଦରେ ନିଜ ମୁହଁରେ ଥିବା ଏକ ବଡ଼ କ୍ଷତର ଚିକିତ୍ସା କରୁଥିବା ଦେଖାଯାଇଛି। ‘ରୁକୁସ’ ନାମକ ଏହି ସୁମାତ୍ରୀୟ ବୟସ୍କ ଅଣ୍ଡିରା ଓରାଙ୍ଗୁଟାନ୍‌ ଦକ୍ଷିଣ ଏସିଆର ଏକ ଜଣାଶୁଣା ଔଷଧୀୟ ବୃକ୍ଷର ପତ୍ରକୁ ଚୋବାଉଥିବା ପ୍ରାଣୀବିଜ୍ଞାନୀମାନେ ଦେଖିବାକୁ ପାଇଥିଲେ। ତା’ପରେ ସେହି ରସକୁ ସେ ଆଙ୍ଗୁଠିରେ କାଢ଼ି ନିଜର ଡାହାଣ ଗାଲରେ ହୋଇଥିବା ଏକ କ୍ଷତରେ ବୋଳିଥିଲା। ଶେଷରେ ସେ ଚୋବାଇଥିବା ପତ୍ରଗୁଡ଼ିକୁ କାଢ଼ି କ୍ଷତ ଉପରେ ଏକ ପ୍ରଲେପ ଲଗାଇ ଦେଇଥିଲା। ଗୁନ୍ନୁଂ ଲିଉଜର ଜାତୀୟ ଉଦ୍ୟାନର ଓରାଙ୍ଗୁଟାନ୍‌ମାନଙ୍କ ଆଚରଣ ସମ୍ପର୍କରେ ଗବେଷକମାନେ ୧୯୯୪ ମସିହାରୁ ନିରୀକ୍ଷଣ କରି ଆସୁଛନ୍ତି। ପ୍ରତିଦ୍ବନ୍ଦ୍ବୀ ଅଣ୍ଡିରା ଓରାଙ୍ଗୁଟାନ୍‌ମାନଙ୍କ ସହ ସଂଘର୍ଷ ବେଳେ ‘ରୁକୁସ’ ୨୦୨୨ ଜୁନ୍‌ ମାସରେ ଆହତ ହୋଇଥିଲା ବୋଲି ଗବେଷକମାନେ କହିଛନ୍ତି। ଅନେକ ପ୍ରଜାତିର ବଣମଣିଷ ନିଜକୁ ସୁସ୍ଥ ରଖିବା ପାଇଁ ଜଙ୍ଗଲରେ ଔଷଧୀୟ ବୃକ୍ଷଲତା ଖାଉଥିବା ପୂର୍ବରୁ ଦେଖାଯାଇଛି। ମାତ୍ର ଓରାଙ୍ଗୁଟାନ୍‌ ଔଷଧୀୟ ପ୍ରଲେପ ଦ୍ବାରା ନିଜର କ୍ଷତ ଚିକିତ୍ସା କରିବା ପ୍ରଥମ ଘଟଣା ବୋଲି ପ୍ରାଣୀବିଜ୍ଞାନୀମାନେ କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ‘ଆକାର କୁନିଂ’ ନାମରେ ପରିଚିତ ଔଷଧୀୟ ଗୁଳ୍ମର ପତ୍ର ରସକୁ ରୁକୁସ ନିଜ କ୍ଷତରେ ବୋଳିବା ଦୃଶ୍ୟ ଗବେଷକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। ମାସକ ଭିତରେ ଉକ୍ତ କ୍ଷତ ମଧ୍ୟ ଠିକ୍ ହୋଇଯାଇଛି। ରୁକୁସର ଏହି ଆଚରଣର ବିଶଦ୍‌ ବିବରଣୀ ବିଜ୍ଞାନ ପତ୍ରିକା ‘ସାଇଣ୍ଟିଫିକ୍‌ ରିପୋର୍ଟସ୍‌’ରେ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର