ରେଡକ୍ରସ୍‌ ଦିବସ ପାଳନ ଅବସରରେ ‘ସବୁଠି ସମସ୍ତଙ୍କ ପାଇଁ ହସ’

ଭୁବନେଶ୍ୱର: ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ରେଡକ୍ରସର ସ୍ୱେଚ୍ଛାସେବୀ ଭାବେ ପରିଚିତ ହେବା ଆଜିର ସମାଜରେ ଏକ ଗର୍ବ ଓ ଗୌରବର ବିଷୟ ଅଟେ। ରେଡକ୍ରସ ମନୁଷ୍ୟ ସମାଜର ସମସ୍ତ ଦୁଃଖ ଦୁର୍ଦ୍ଦଶାରେ ନିଜର କାର୍ଯ୍ୟ ଦ୍ୱାରା ସଂଗଠନର ପରାକାଷ୍ଠାକୁ ପ୍ରତିପାଦିତ କରିପାରିଛି। ସେଥିପାଇଁ ଏହା ସର୍ବବୃହତ ସଂସ୍ଥା ଭାବେ ପରିଗଣିତ ବୋଲି ଶ୍ରୀ ଦାସ କହିଥିଲେ। ସମ୍ମାନିତ ଅତିଥି ଭାବେ ପୁଲିସ କମିସନର ଓ୍ଵାଇବି ଖୁରାନିଆ ଯୋଗଦେଇ ସେବା ଦ୍ୱାରା ଅନ୍ୟର ମୁହଁରେ ହସ ଫୁଟାଇବା ହେଉଛି ରେଡକ୍ରସର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ଶାଖାର ଉପସଭାପତି ପ୍ରଫେସର ଆଶା ହଂସ ଯୋଗଦେଇ ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ଶାଖାର ଅବୈତନିକ ସଚିବ ଡା. ବିନାୟକ ପ୍ରସାଦ ପୃଷ୍ଟି ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଏଠାରେ ଏକ ଫଟୋ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହା ସହ ୧୧ଜଣ ସ୍ୱେଚ୍ଛାସେବୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ଅଧିକାରୀ ମେଜର କଳ୍ପନା ଦାସ ପରିଚାଳନା କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର