ମଇଦାନରେ ଷ୍ଟାର୍‌ ୱାର

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ଉତ୍ତରର ବିଜେପି ପ୍ରାର୍ଥିନୀ ତଥା ଅଭିନେତ୍ରୀ ଅପରାଜିତା‌ ମହାନ୍ତିଙ୍କ କ୍ରେଜ୍‌କୁ କାଟିବା ଲାଗି ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ରାଉତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଓଲିଉଡ୍‌ ଷ୍ଟାର। ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ସମେତ ଅଭି‌‌ନେତା ସମ୍ବିତ୍‌ ଆଚାର୍ଯ୍ୟ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବୁଲି ବିଜେଡି ସୁଶାନ୍ତ ରାଉତ ଓ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। । ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଆଜି ପୂର୍ବାହ୍ନରେ ବିଏମ୍‌ସିର ଏକ ନମ୍ବର ୱାର୍ଡର ପ୍ରଶାନ୍ତିବିହାର, ଚିରଗୋଲଟୋଲା ବସ୍ତି ଓ ଦୁଇ ନମ୍ବର ୱାର୍ଡର ଶିଖରଚଣ୍ଡୀ ବସ୍ତିରେ ପ୍ରଚାର କରିଥିଲେ। ତାଙ୍କ ସହ ଅଭିନେତା ସମ୍ବିତ୍‌ ମଧ୍ୟ ସାମିଲ ହୋଇ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ। ‌ସେହିପରି ଅପରାହ୍‌ଣରେ ବିଜେଡି ପ୍ରାର୍ଥୀ ସୁଶାନ୍ତ ସାଲିଆସାହିରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ତାଙ୍କ ସହ ଅଭିନେତ୍ରୀ ବର୍ଷା ମଧ୍ୟ ସାମିଲ ହୋଇ ଭୋଟ ଦେବାକୁ ନିବେଦନ କରିଥିଲେ। ଭରତପୁର ବସ୍ତି ଅଞ୍ଚଳରେ ପୂର୍ବତନ କର୍ପୋରେଟର ହରେକୃଷ୍ଣ ନାୟକଙ୍କ ସହ ବି‌ଜେଡି ଜିଲ୍ଲା ସଂଯୋଜକ ସମରେନ୍ଦ୍ର ସାହୁ, ସମାଜସେବୀ ବନ୍ଦନା କର, ଛାତ୍ରୀନେତ୍ରୀ ରାଜଲକ୍ଷ୍ମୀ ବେହେରା ପ୍ରମୁଖ କର୍ମୀ ସମ୍ମିଳନୀରେ ଉଦ୍‌ବୋଧନ ଦେଇଥିଲେ। ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତି ପୂର୍ବାହ୍ନରେ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ। ସନ୍ଧ୍ୟାରେ ବରମୁଣ୍ଡା ପଡ଼ିଆଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଭା ଥିବାରୁ ‌ସେଥିପାଇଁ ପ୍ରାର୍ଥୀ ଓ ‌ସେମାନଙ୍କ କର୍ମୀମାନେ ଲାଗିପଡ଼ିଥିଲେ। ନିର୍ବାଚନମଣ୍ଡଳୀର ୫ ହଜାର କର୍ମୀ ଏହି ସଭାରେ ସାମିଲ ହୋଇଥିବା ଜଣାପଡ଼ିଛି। ଆସନ୍ତାକାଲିଠାରୁ ଅପରାଜିତା ପୁଣିଥରେ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ସେହିପରି କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। ହାତରେ ଆଉ କମ୍‌ ସମୟ ଥିବାରୁ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରୁଛନ୍ତି।

ସମ୍ବନ୍ଧିତ ଖବର