ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ କାଣ୍ଡି ଟେଷ୍ଟ୍‌, ଲକ୍ଷ୍ୟ ୩୦୧; ଶ୍ରୀଲଙ୍କା ୨୨୬/୭

କାଣ୍ଡି: ଶ୍ରୀଲଙ୍କା ଓ ଇଂଲଣ୍ଡ୍‌ ମଧ୍ୟରେ ଦ୍ବିତୀୟ ଟେଷ୍ଟ୍‌ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ପହଞ୍ଚିଯାଇଛି। ଘରୋଇ ଦଳ ସମ୍ମୁଖରେ ଭ୍ରମଣକାରୀ ଦଳ ୩୦୧ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା ବେଳେ ଶନିବାର ଚତୁର୍ଥ ଦିବସ ‌ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଶ୍ରୀଲଙ୍କା ୨୨୬ ରନ୍‌ରେ ୭ ୱିକେଟ୍‌ ହରାଇ ସଂଘର୍ଷ ଜାରି ରଖିଛି। ରବିବାର ପଞ୍ଚମ ତଥା ଶେଷ ଦିବସରେ ଶ୍ରୀଲଙ୍କାକୁ ଜିତିବା ପାଇଁ ଆଉ ୭୫ ରନ୍‌ ଦରକାର ଥିଲା ବେଳେ ଇଂଲଣ୍ଡକୁ ଆଉ ୩ ୱିକେଟ୍‌ ଝଡ଼ାଇବାର ରହିଛି। ଆଉ ପ୍ରଥମ ଟେଷ୍ଟ୍‌କୁ ୨୧୧ ରନ୍‌ରେ ଜିତି ସାରିଥିବା ଭ୍ରମଣକାରୀ ଇଂଲଣ୍ଡ ରବିବାର ୭୫ ରନ୍‌ ପୂର୍ବରୁ ଅବଶିଷ୍ଟ ୩ ୱିକେଟ୍‌ ଦଖଲ କରି ୨-୦ର ଅଗ୍ରଣୀ ସାଙ୍ଗକୁ ତୃତୀୟ ତଥା ଶେଷ ଟେଷ୍ଟ୍‌ ପୂର୍ବରୁ ଶୃଙ୍ଖଳା କବ୍‌ଜା କରିବାର ସୁଯୋଗ ହାତଛଡ଼ା ନକରିବା ଲକ୍ଷ୍ୟରେ ରହିଛି। ଶୁକ୍ରବାର ତୃତୀୟ ଦିବସ ସ୍କୋର୍‌ ୩୨୪/୯ରୁ ଖେଳିଥିବା ଇଂଲଣ୍ଡ୍‌ ଶନିବାର ଆଉ ୨୨ ରନ୍ ଯୋଡ଼ି ଅବଶିଷ୍ଟ ୱିକେଟ୍‌ ହରାଇଥିଲା। ଜେମ୍‌ସ ଆଣ୍ଡରସନ୍‌ (୧୨)ଙ୍କୁ ବୋଲ୍‌ଡ କରି ଦିଲ୍‌ରୁୱାନ୍‌ ପେରେରା ଇଂଲଣ୍ଡ ଦ୍ବିତୀୟ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ତେବେ ବେନ୍‌ ଫୋକ୍‌ସ ୬୫ ରନ୍‌ରେ ଅପରାଜିତ ରହି ସ୍କୋର୍‌ ୩୪୬ରେ ପହଞ୍ଚାଇଥିଲେ। ଶ୍ରୀଲଙ୍କାର ସଫଳ ବୋଲର ଭାବେ ଅକିଲ ଧନଞ୍ଜୟ ୬ ଓ ଦିଲ୍‌ରୁୱାନ୍‌ ପେରେରା ୩ ୱିକେଟ୍‌ ଦଖଲ କରିଥିଲେ। ଫଳରେ ପ୍ରଥମ ପାଳିରେ ୪୬ ରନ୍‌ର ଅଗ୍ରଣୀ ପାଇଥିବା ଶ୍ରୀଲଙ୍କା ସମ୍ମୁଖରେ ୩୦୧ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଏହାର ପିଛା କରିଥିବା ଘରୋଇ ଦଳ କରୁଣାରତ୍ନେ (୫୭), ମାଥ୍ୟୁସ୍‌ (୮୮)ଙ୍କ ଅର୍ଧଶତକ ବଳରେ ଲଢ଼ିଥିଲା। ହେଲେ ଶତକଠୁ ୧୨ ରନ୍‌ ଦୂରରେ ମାଥ୍ୟୁସ୍‌ ଆଉଟ୍‌ ହୋଇଯିବା ପରେ ଶ୍ରୀଲଙ୍କା ପାଇଁ ସଂକଟ ବଢ଼ିଯାଇଥିଲା। ତେବେ ରୋସେନ୍‌ ସିଲ୍‌ଭା ଓ ଡିକ୍‌ୱେଲା ଆଶା ଦେଉଥିଲା ବେଳେ ମୋଇନ୍‌ ଅଲ୍ଲୀ ଏହି ଯୋଡ଼ି ଭାଙ୍ଗି ଇଂଲଣ୍ଡକୁ ବିଜୟ ସୁଯୋଗ ଦେଇଛନ୍ତି। ଅନ୍ୟପକ୍ଷରେ ଜାକ୍‌ ଲିଚ୍‌ ହିଁ ଶ୍ରୀଲଙ୍କାକୁ ଅଧିକ କ୍ଷତି ପହଞ୍ଚାଇଛନ୍ତି। ସେ ୪ ୱିକେଟ୍‌ ଦଖଲ କରି ଘରୋଇ ଦଳକୁ ପରାଜୟ ଆଡ଼କୁ ଠେଲି ଦେଇଛନ୍ତି। ଚତୁର୍ଥ ଦିବସ ଶେଷ ବେଳକୁ ଶ୍ରୀଲଙ୍କା ୭ ୱିକେଟ୍‌ ବିନିମୟରେ ୨୨୬ ରନ୍‌ କରିଛି। ଡିକ୍‌ୱେଲା ଏକମାତ୍ର ବିଶେଷଜ୍ଞ ବ୍ୟାଟ୍‌ସମ୍ୟାନ୍‌ ଭାବେ ୨୭ ରନ୍‌ରେ ଅପରାଜିତ ରହିଛନ୍ତି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୨୯୦। ଶ୍ରୀଲଙ୍କା ପ୍ରଥମ ପାଳି: ୩୩୬। ଇଂଲଣ୍ଡ ଦ୍ବିତୀୟ ପାଳି: ୩୪୬ (ଜୋ ରୁଟ୍‌-୧୨୪, ରୋରି ବର୍ନସ୍‌-୫୯, ବେନ୍‌ ଫୋକସ୍‌-୬୫*, ଜୋସ୍‌ ବଟ୍ଟଲର୍‌-୩୪, ଅକିଲ ଧନଞ୍ଜୟ-୬/୧୧୫, ଦିଲ୍‌ରୁୱାନ୍‌ ପେ‌ରେରା-୩/୯୬)। ଶ୍ରୀଲଙ୍କା ଦ୍ବିତୀୟ ପାଳି: ୨୨୬/୭ (ଦିମୁତ୍‌ କରୁଣାରତ୍ନେ-୫୭, ଆଞ୍ଜେଲୋ ମାଥ୍ୟୁସ୍‌-୮୮, ରୋସେନ୍‌ ସିଲ୍‌ଭା-୩୭, ନିରୋସାନ୍‌ ଡିକ୍‌ୱେଲା-୨୭*, ଜାକ୍‌ ଲିଚ୍‌-୪/୭୩, ମୋଇନ୍‌ ଅଲ୍ଲୀ-୨/୬୫, ଆଦିଲ୍‌ ରସିଦ୍‌-୧/୫୨)

ସମ୍ବନ୍ଧିତ ଖବର