୨୦୧୯ ବିଶ୍ୱ କପ୍‌ ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆର ଓ୍ଵିକେଟ୍‌ କିପର ରହିବେ ଧୋନୀ

ମୁମ୍ବାଇ : ୨୦୧୯ ବିଶ୍ୱ କପ୍‌ ପର୍ଯ୍ୟନ୍ତ ମହେନ୍ଦ୍ର ସିଂ ଧୋନୀ ଟିମ୍‌ ଇଣ୍ଡିଆରେ ରହିବେ ବୋଲି ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି । ତାଙ୍କ ସ୍ଥାନରେ ଅନ୍ୟ କିଛି ଯୁବ ଖେଳାଳୀଙ୍କୁ ଦଳରେ ସ୍ଥାନ ଦେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ କେହି ବି ଯୋଗ୍ୟ ଖେଳାଳୀ ଧୋନୀଙ୍କ ସ୍ଥାନରେ ଖେଲିବା ପାଇଁ ମିଳି ନଥିଲେ ବୋଲି ପ୍ରସାଦ କହିଛନ୍ତି ।

ସିରିଜ୍‌-ବାଏ-ସିରିଜ୍‌ ଅନୁସାରେ ଆପଣ ଧୋନୀଙ୍କ ଉପରେ ବିଚାର କରୁଛନ୍ତି କି ପଚରା ଯିବାରୁ, “ଆମେ ଭାରତ ଏ ଟୁର୍‌ରେ କିଛି ଓ୍ଵିକେଟ୍‌ କିପରଙ୍କୁ ପ୍ରସ୍ତୁତ କରୁଛୁ । କିନ୍ତୁ ୨୦୧୯ ବିଶ୍ୱ କପ ପର୍ଯ୍ୟନ୍ତ ଆମେ ଧୋନୀଙ୍କୁ ଓ୍ଵିକେଟ୍‌ କିପର ଭାବରେ ରଖିବୁ ବୋଲି ମନସ୍ଥ କରି ସାରିଛୁ ଏବଂ ଏହା ପରେ ଆମେ ଅନ୍ୟ କହାକୁ ଏ ସ୍ଥାନରେ ରଖିବୁ ସେ ବିଷୟରେ ଭାବିବା ଆରମ୍ଭ କରିବୁ ବୋଲି ସେ କହିଥିଲେ” ।

“ମୁଁ ଭାବୁଛି ଧୋନୀ ଏବେ ମଧ୍ୟ ବିଶ୍ୱର ଭଲ ଓ୍ଵିକେଟ୍‌ କିପର ହୋଇ ରହିଛନ୍ତି । ତାଙ୍କ ସମକକ୍ଷ ହେବା ପାଇଁ ଏ ପର୍ଯ୍ୟନ୍ତ କେହି ଆସି ନାହାନ୍ତି । ୨୦୧୯ ବିଶ୍ୱ କପ ପାଇଁ ତାଙ୍କ ଠାରୁ ଭଲ ଓ୍ଵିକେଟ୍‌ କିପର ବୋଧେ କେହି ହୋଇ ପାରିବେ ନାହିଁ । ତାଙ୍କୁ କାହା ସହ ତୁଳନା କରାଯାଇ ପାରିବ ନାହିଁ ବୋଲି ସେ ଧୋନୀଙ୍କୁ ପ୍ରଶଂସା କରି କହିଥିଲେ” । କିନ୍ତୁ ଏହା ପରେ ସେ ଯାହା କହିଥିଲେ ତାହା ନିଶ୍ଚୟ ରିଷବ ପଂତ ଏବଂ ସଞ୍ଜୁ ସାମ୍‌ସୋନଙ୍କୁ ଆଘାତ ଦେଇଥିବ । ସେ କହିଥିଲେ “ରିଷବ ପଂତ ଏବଂ ସଞ୍ଜୁ ସାମ୍‌ସୋନ ଏପର୍ଯ୍ୟନ୍ତ ଆମେ ଆଶା କରୁଥିବା ସ୍ତରରେ ପହଞ୍ଚି ପାରି ନାହାନ୍ତି । ତଥାପି ଆମେ ସେମାନଙ୍କୁ ସୁଯୋଗ ଦେଇଛୁ, ଦେଖାଯାଉ ସେମାନେ ଆମ ଆଶାକୁ ସଫଳ କରି ପାରୁଛନ୍ତି କି ନାହିଁ” ।

ସମ୍ବନ୍ଧିତ ଖବର