ବ୍ୟାଟିଂ ପଦୋନ୍ନତି ଚାହାନ୍ତି ରସେଲ

କୋଲକାତା: ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ଚଳିତ ଆଇପିଏଲ୍‌ରେ ଚର୍ଚାର ଅନ୍ୟତମ କାରଣ ରହିଥିଲେ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସ ଲଗାତାର ୪ ପରାଜୟ ବରଣ କରି ସଙ୍କଟରେ ପଡ଼ିଛି। ଏହି କାରଣରୁ ବ୍ୟଥିତ ହୋଇପଡ଼ିଛନ୍ତି ରସେଲ। ଜଣେ ବିଶେଷଜ୍ଞ ଭାବେ ହେଉ କି ସାଧାରଣ କ୍ରିକେଟ୍ ପ୍ରଶଂସକ ଭାବେ ହେଉ ‘ରସେଲଙ୍କୁ ଠିକଣା ଉପଯୋଗ କରାଯାଉ ନାହିଁ’ ବୋଲି ଧାରଣା ସୃଷ୍ଟି ହୋଇଛି। ଏହାକୁ ବି ରସେଲ ନିଜେ ଅନୁଭବ କରିଛନ୍ତି। ଦଳଗତ ଭାବେ ଆମେ ନମନୀୟ ରହିବା ଆବଶ୍ୟକ ବୋଲି ରସେଲ କହିଛନ୍ତି। ରସେଲ ନିମ୍ନକ୍ରମରେ ଆସିବା ବେଳକୁ ଦଳକୁ ଓଭର ପିଛା ୧୫/୧୬ ରନ୍‌ ଆବଶ୍ୟକ ପଡୁଛି। ଶୁକ୍ରବାର କୋଲକାତା ନାଇଟ୍ ରାଇଡର୍ସ ୨୧୩ ରନ୍‌କୁ ପିଛା କରିଥିଲେ ମଧ୍ୟ ମାତ୍ର ୧୦ ରନ୍‌ରେ ହାରିଥିଲା। ‘ଦେଖନ୍ତୁ ଆମେ ୨୧୪ ରନ୍‌କୁ ପଶ୍ଚାତଧାବନ କରୁଥିଲୁ, ଏହା ବ୍ୟାଟିଂ ପାଇଁ ଯିବା ଲାଗି ଭଲ ସ୍ଥିତି ନୁହେଁ’ ବୋଲି ରସେଲ ପ୍ରକାଶ କରିଥିଲେ। ମୁଁ ସବୁବେଳେ ସକାରାତ୍ମକ ଥାଏ, ଓଭର ପ୍ରତି ୧୪/୧୫ ରନ୍‌ ଆବଶ୍ୟକ ପଡ଼ିବା‌ ବେଳେ ବ୍ୟାଟିଂ ଆରମ୍ଭ କରିବା ଜଣେ ବ୍ୟାଟସମ୍ୟାନ୍‌ ପାଇଁ ଶ୍ରେଷ୍ଠ ସମୟ ନୁହେଁ। ମୁଁ ଏଭଳି ପରିସ୍ଥିତି ସହିତ ଅଭ୍ୟସ୍ତ, କିନ୍ତୁ ଦଳଗତ ଭାବେ ନମନୀୟତା ରହିବା ଜରୁରି। ମୁଁ ୪ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଯିବାରେ କିଛି ଅସୁବିଧା ନାହିଁ’ ବୋଲି ମଧ୍ୟ ରସେଲ କହିଛନ୍ତି। ମୁଁ କ୍ରିଜ୍‌ରେ ଆଗୁଆ ଥିଲେ ଶ୍ରେଷ୍ଠ ବୋଲରମାନେ ଆଗୁଆ ବୋଲିଂ କରିବେ ଏବଂ ଶେଷାନ୍ତ ଆଡକୁ ସେମାନଙ୍କର କମ୍‌ ଓଭର ରହିବ। ଚଳିତ ଋତୁର ପ୍ରଥମ ଦୁଇ ବିଜୟକୁ ରସେଲ ଅସମ୍ଭବ ସ୍ଥିତିରୁ ଆଣି ଦେଇଥିଲେ। ବିଶେଷ କରି ସେହି ଆରସିବି ବିପକ୍ଷରେ ୨୦୬ ରନ୍‌କୁ ପିଛା କରୁଥିବା ବେଳେ ସେ ୧୩ ବଲ୍‌ରୁ ୪୮* ରନ୍ କରିଥିଲେ। ଶୁକ୍ରବାର ଆମେ ମାତ୍ର ୨ଟି ସଟ୍ (୧୦ ରନ୍‌)ଠାରୁ ଦୂରରେ ରହିଯାଇଥିଲୁ ବୋଲି ମଧ୍ୟ ରସେଲ ଦୁଃଖର ସହ କହିଥିଲେ। ତାଙ୍କ ୨୫ ବଲ୍‌ ୬୫ ରନ୍‌ ବେକାର ଯାଇଥିଲା।

ସମ୍ବନ୍ଧିତ ଖବର