ପୁଣି ବିଷ ପିଇଲେ ଚାଷୀ

ବରଗଡ଼/ବରପାଲି : ଗତ ୩୦ ତାରିଖ ଝଡ଼ବର୍ଷା ଏବଂ କରକା ମାଡ଼ ଜିଲ୍ଲାର ଚାଷବାସକୁ ନଷ୍ଟ କରି ଦେଇଛି। ଋଣ ବୋଝ ଓ ଚିନ୍ତାଗ୍ରସ୍ତ ଚାଷୀ ଜଣକ ପରେ ଜଣେ ବିଷ ପିଇବାକୁ ବାଧ୍ୟ ହେଉଛନ୍ତି। ୨୪ ଘଣ୍ଟା ଭିତରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁବାର ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ସମସ୍ତଙ୍କ ସମ୍ମୁଖରେ ବରପାଲି ବ୍ଲକ କନବାର ଗାଁର ଭାଗଚାଷୀ ଅକ୍ରୁର ବିଶି (୫୦) ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେହି କନବାର ଗାଁର ଯୁବ ଚାଷୀ ନିରଂଜନ ଭୋଇ (୩୬) ନିଜ ପୋଟଳ ବିଲ ଭିତରେ କୀଟନାଶକ ପିଇ ଦେଇଥିଲେ। ସେହି ସମୟରେ ନିକଟସ୍ଥ ଜମିକୁ ଯାଉଥିବା କିଛି ଚାଷୀ ନିରଂଜନଙ୍କୁ ବିଲ ଭିତରେ ଗୁରୁତର ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକଙ୍କୁ ଖବର ଦେବା ସହ ତୁରନ୍ତ ତାଙ୍କୁ ବୁର୍ଲା ମେଡିକାଲ ପଠାଯାଇଥିଲା। ଅନ୍ୟପକ୍ଷରେ ଗୁରୁବାର ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବିଷ ପିଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ଅକ୍ରୁର ବିଶିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର