ବିଧାୟକଙ୍କୁ ଅଣଦେଖା ଅଭିଯୋଗ: କଟକ ଡିସିପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ଭୁବନେଶ୍ବର : କଟକ ସଦର ଦଶହରା ଶାନ୍ତି କମିଟି ପ୍ରସ୍ତୁତି ବୈଠକକୁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଡକାନଯିବା ଘଟଣାରେ ଡିସିପି ଅଖିଳେଶ୍ବର ସିଂହଙ୍କୁ ଦାୟୀ କରିଛି କଂଗ୍ରେସ। ଆଜି ଏ ନେଇ ପ୍ରଦେଶ କଂଗ୍ରେସ ତରଫରୁ ପୂର୍ବତନ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଶ୍ରୀ ନାୟକ ଦର୍ଶାଇଥିଲେ, ଓଡ଼ିଶା ସରକାରଙ୍କ ବୁକ୍ ସର୍କୁଲାର ନମ୍ବର ୪୭ ଅନୁଯାୟୀ ପ୍ରତ୍ୟେକ ସରକାରୀ ଅଧିକାରୀ ନିର୍ବାଚିତ ଜନପ୍ରତିନିଧିଙ୍କୁ ଯଥାବିଧି ସମ୍ମାନ ପ୍ରଦର୍ଶନ କରିବା ସହ ଜନସାଧାରଣଙ୍କ ଉନ୍ନତିମୂଳକ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବେ। ଏହାସହିତ ସ୍ଥାନୀୟ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ସାମିଲ କରିବାର ନିୟମ ରହିଛି। କିନ୍ତୁ ଦୁର୍ଭାଗ୍ୟର କଥା, ଡିସିପି ଅଖିଳେଶ୍ବର ସିଂହ ଏ ସମସ୍ତ ସରକାରୀ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଲଂଘନ କରିଚାଲିଛନ୍ତି ବୋଲି ଶ୍ରୀ ନାୟକ ଅଭିଯୋଗ କରିଥିଲେ। ଶ୍ରୀ ସିଂହଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି। ଏହାସହିତ କଟକ ଡିସିପିଙ୍କ ସରକାରୀ କାର୍ଯ୍ୟାଳୟକୁ କୌଣସି ରାଜନୈତିକ ଦଳର କାର୍ଯ୍ୟାଳୟ ଭାବରେ ବ୍ୟବହାର ନ କରିବାକୁ ଦଳ ଚେତାବନୀ ଦେଇଛି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ପ୍ରଶାନ୍ତ ଶତପଥୀ, ରଜନୀ କୁମାର ମହାନ୍ତି ଓ ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର