ଶାଶୂ-ବୋହୂ କଳିରୁ ଦମ୍ପତିଙ୍କ ଆତ୍ମହତ୍ୟା : ପତ୍ନୀ ଝୁଲୁଥିବା ଦେଖି ପତି ବି ଝୁଲି ପଡ଼ିଲେ

ଯୁଯୁମୁରା/ପଡ଼ିଆବାହାଲ : ଶାଶୂ-ବୋହୁ କଳି ନେଇ ଗଲା ଦୁଇ ଜୀବନ। ଶାଶୂ ସୁଖ ଭୋଇଙ୍କ ସହିତ କଳି ହୋଇ ଡିଲେଶ୍ୱରୀ ଓରଫ ବୁଇ ଭୋଇ(୩୫) ଆତ୍ମହତ୍ୟା କରିଥିବା ବେଳେ ପତ୍ନୀର ଶବକୁ ଦେଖି ପତି ରାଜକୁମାର ଭୋଇ ମଧ୍ୟ ନିଜ ଜୀବନକୁ ମରଣ ମୁହଁକୁ ଠେଲି ଦେଇଥିଲେ।

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଘେନୁପାଲି ସହରାପଡ଼ାରେ ରହନ୍ତି ରାଜକୁମାର ଭୋଇ। ଶୀତଦିନେ ପନିପରିବା ବେପାର କରିଥାନ୍ତି। ଅନ୍ୟ ସମୟରେ ଶ୍ରମିକ କାମ କରି ପରିବାର ଚଳାଇଥାନ୍ତି। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିଲେହେଁ ପତ୍ନୀ ଡିଲେଶ୍ୱର, ତାଙ୍କ ସନ୍ତାନ ଏବଂ ବୃଦ୍ଧା ମା’ ସୁଖଙ୍କ ସହ ବେଶ୍‌ ହସଖୁସିରେ ରାକୁମାରଙ୍କ ସଂସାର ଚାଲିଥିଲା। ତେବେ ଗତ କିଛିଦିନ ହେଲା କୌଣସି କାରଣରୁ ଶାଶୂ-ବୋହୂଙ୍କ ମଧ୍ୟରେ ମନାନ୍ତର ହୋଇଥିଲା। ଶୁକ୍ରବାର ଦିନ ରାଜକୁମାର ଓ ଡିଲେଶ୍ୱରୀ ମଧ୍ୟରେ ଥଟ୍ଟାମଜା ଚାଲିଥିଲା। ଉଭୟଙ୍କ ପିନ୍ଧବା ପାଇଁ ଭଲ ଲୁଗା ନଥିବା ଡିଲେଶ୍ୱରୀ କହୁଥିଲେ। ଡିଲେଶ୍ୱରୀ ବଡ଼ ପାଟିରେ କଥା ହେଉଥିବା ଶୁଣି ରାଜକୁମାରଙ୍କ ସହିତ ଝଗଡ଼ା କରୁଥିବା ସୁଖ ଭାବି ନେଇଥିଲେ।

ପରେ ଏହାକୁ ନେଇ ଶାଶୂ-ବୋହୂଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସୁଖ ମୋ ପୁଅ ସହିତ କାହିଁକି ଝଗଡ଼ା କରୁଛୁ ବୋଲି କହିବା ସହ ଡିଲେଶ୍ୱରୀକୁ ‘ଯା’ ମରିବୁ ଯା’ ବୋଲି କୁଆଡ଼େ କହିଥିଲେ। ବୋହୂ ସହିତ ଝଗଡ଼ା ହେବା ପରେ ସୁଖଙ୍କ ମନ ଦୁଃଖରେ ଭାଂଗି ପଡ଼ିଥିଲା। ସେ ଶୁକ୍ରବାର ଅପରାହଣରେ ନିଜ ଝିଅଘର ଠେମରା ଗାଁକୁ ଚାଲି ଆସିଥିଲେ। ଅପରପକ୍ଷରେ ସୁଖଙ୍କ କଥାକୁ ଅତିଗୁରୁତର ସହିତ ନେଇଥିଲେ ଡିଲେଶ୍ୱରୀ। ଶନିବାର ସକାଳ ସାଢ଼େ ୮ଟାରେ ରାଜକୁମାର ନିଜ ଛେଳି ଚରାଇବା ପାଇଁ ଜଂଗଲ ଆଡ଼କୁ ବାହାରି ଯିବା ପରେ ଡିଲେଶ୍ୱରୀ ଦୁଇ ସନ୍ତାନଙ୍କୁ ତାଙ୍କ କାକା ଶ୍ୱଶୁରଙ୍କ ପାଖରେ ଖେଳିବା ପାଇଁ ଛାଡ଼ି ଦେଇଥିଲେ। ଆଉ ଦୁଇଟି ଗାମୁଛାକୁ ଘରର ‘ପାଟି’ରେ ବାନ୍ଧି ନିଜ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ପାଖାପାଖି ସାଢ଼େ ୧୨ଟାରେ ରାଜକୁମାର ଘରକୁ ଫେରିଥିଲେ। ନିଜ ଜୀବନଠାରୁ ବି ବହୁତ ଭଲ ପାଉଥିବା ପତ୍ନୀ ଡିଲେଶ୍ୱରୀର ଶବ ଝୁଲୁଥିବା ଦେଖି ସେ ଭାଂଗି ପଡ଼ିଥିଲେ। ସେ ବି ସେହି ଘରର ‘ପାଟି’ରେ ନିଜ ଗାମୁଛା ବାନ୍ଧି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଅପରାହ୍‌ଣ ଦେଢ଼ଟା ପାଖାପାଖି ରାଜକୁମାରଙ୍କ କାକା’ ଦୁଇ ଶିଶୁଙ୍କୁୁ ନେଇ ଛାଡ଼ିବା ରାଜକୁମାରଙ୍କ ଘରକୁ ଆସିଥିଲେ। ଘରର କବାଟ ବନ୍ଦ ରହିଥିଲା। କବାଟ ଖୋଲିବା ପାଇଁ ବାରଂବାର ଡାକିବା ପରେ ବି କୌଣସି ଉତ୍ତର ନମିଳିବାରୁ ସେ ଗାଁ ଲୋକଙ୍କୁ ଡାକିଥିଲେ। ଗାଁ ଲୋକେ ସଭିଏଁ ମିଶି କବାଟ ଭାଂଗି ଥିଲେ। ଗୋଟିଏ ଜାଗାରେ ପତିପତ୍ନୀଙ୍କ ଶବ ଝୁଲୁଥିବା ଦେଖି ସମସ୍ତେ ହତବାକ ହୋଇଯାଇଥିଲେ। ଘରେ ଥିବା ଏକ ଖାତା ମଧ୍ୟରେ ଆତ୍ମହତ୍ୟା ପୂର୍ବରୁ ଲେଖାଯାଇଥିବା ଏକ ଚିଠି ମିଳିଥିବା ସଦର ଥାନା ଅଧିକାରୀ ସୁରେଶ ସାହୁ ସୂଚନା ଦେଇଛନ୍ତି। ଡିଲେଶ୍ୱରୀ ଦିନ ୧୦ଟାରୁ ୧୨ଟା ମଧ୍ୟରେ ଏବଂ ରାଜକୁମାର ସାଢ଼େ ୧୨ଟା ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି। ଅଧ ପୃଷ୍ଠାର ଏହି ଚିଠିରେ ବୁଈ ପ୍ରଥମେ ଆତ୍ମହତ୍ୟା କରିବାର ପୃଷ୍ଠଭୂମି ସଂପର୍କରେ ଉଲ୍ଲେଖ କରିଛନ୍ତି। ଶାଶୂ-ବୋହୂ ମଧ୍ୟରେ କଳି ଳାଗି ରହିଥିଲା।

ସମ୍ବନ୍ଧିତ ଖବର