କୁଦମହଦାରେ ଚାଷୀ ଆତ୍ମହତ୍ୟା

ଧନକଉଡ଼ା : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଚିପିଲିମା ଫାଣ୍ଡି ଅନ୍ତର୍ଗତ କୁଦଗୁଣ୍ଡେରପୁର ପଞ୍ଚାୟତର କୁଦମହଦା ଗାଁର ଜଣେ ଚାଷୀ ଧ୍ରୁବଚରଣ ବେହେରା (୪୦) ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ଘରୋଇ ସମସ୍ୟା ଓ ଋଣଭାର ଯୋଗୁଁ ସେ ଜୀବନ ହାରିଥିବା କୁହାଯାଉଛି। ପ୍ରକାଶ ଯେ, ଧ୍ରୁବଚରଣ ସେ ୫ ଏକର ୫୦ ଡିସମିଲ ଜମିରେ ଧାନ ଚାଷ କରିଥିଲେ। ଘରୋଇ ସମସ୍ୟା ଯୋଗୁଁ ଋଣ ପରିଶୋଧ କରି ନପାରିବାରୁ ଚିନ୍ତିତ ଥିଲେ। କର୍ଡୋଲା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ୧ ଲକ୍ଷ ଟଙ୍କା ଓ ବେସରକାରୀ ଭାବେ ପ୍ରାୟ ୫୦ ହଜାର ଟଙ୍କା ଋଣ କରିଥିଲେ। ଗତ ଫସଲର ଋଣ ସହ ଘରେ ରହିଥିବା ବିଭିନ୍ନ ସମସ୍ୟା ଯୋଗୁଁ ତାଙ୍କ ମାନସିକ ଭାରସାମ୍ୟ ବିଗାଡ଼ିଥିଲା। ଗୁରୁବାର ତାଙ୍କ ଝୁଲନ୍ତା ଶବ ଦେଖିଲା ପରେ ଗ୍ରାମବାସୀ ଫାଣ୍ଡିକୁ ଖବର ଦେଇଥିଲେ। ଫାଣ୍ଡି ଅଧିକାରୀ ଗଞ୍ଜୁ ଓରାମ ଘଟଣାସ୍ଥଳକୁ ପହଞ୍ଚି ତାଙ୍କ ଶବକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ଗାଁ ଲୋକଙ୍କ ଉପସ୍ଥିତିରେ ତାଙ୍କ ସଂର୍ପକୀୟମାନଙ୍କୁ ଶବ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର