ଏବେ ରାସ୍ତାକଡ଼ରୁ ହଟିବ ଅବରୋଧ

ସର୍କିଟ୍ ହାଉସ୍‌ରେ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଲା ଗୁପ୍ତ ବୈଠକ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ବେଳାମାର୍ଗ ପରେ ଜିଲ୍ଲା ପ୍ରଶାସନ ଏବେ ରାସ୍ତାକଡ଼ ଜବରଦଖଲ ଉପରେ ନଜର ପକାଇଛି। ଖୁବଶୀଘ୍ର ପୁରୀ ସହର ଭିତରେ ଥିବା ରାସ୍ତାକଡ଼ ଜବରଦଖଲ ଉଚ୍ଛେଦ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥି ପାଇଁ ସ୍ଥାନ ଚିହ୍ନଟ ଚାଲିଛି। ଚିହ୍ନଟ ପ୍ରକ୍ରିୟା ଶେଷ ପରେ ଖୁବଶୀଘ୍ର ଉଚ୍ଛେଦ ଅଭିଯାନ ଆରମ୍ଭ ହେବ। ପୁରୀ ପୌରସଂସ୍ଥାକୁ ଏହି ଦାୟିତ୍ବ ଦିଆଯାଇଛି। ପୌରସଂସ୍ଥା ରିପୋର୍ଟ ଆଧାରରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ। ସିଟି ରୋଡରୁ ହିଁ ଏହି ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏ ନେଇ ଆଜି ପୁରୀ ସ୍ବତନ୍ତ୍ର ସର୍କିଟ୍ ହାଉସଠାରେ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକକୁ ଆରଆଇ, ଅମିନ ପ୍ରମୁଖଙ୍କୁ ଡକାଯାଇ ସହରର ଜବରଦଖଲ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଆଲୋଚନା ବେଳେ ମତପ୍ରକାଶ ପାଇଥିଲା କି ସହରରେ ଜବରଦଖଲକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଜବରଦଖଲକାରୀଙ୍କ ଯୋଗୁଁ ରାସ୍ତା ସଂକୁଚିତ ହେବା ସହ ଜଟିଳ ଟ୍ରାଫିକ୍ ସମସ୍ୟା ଉପୁଜୁଛି। ଜବରଦଖଲକାରୀଙ୍କ ଯୋଗୁଁ ସରକାରୀ ଜାଗା ବି କମି କମି ଚାଲିଛି। ଏସବୁକୁ ଆଖି ଆଗରେ ରଖି ରାସ୍ତାକଡ଼ ଜବରଦଖଲକୁ ଉଚ୍ଛେଦ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସମସ୍ତ ଅଧିକାରୀଙ୍କୁ ଏ ନେଇ ପ୍ରସ୍ତୁତ ହେବାକୁ ନିର୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ସହର ଭିତରେ ଥିବା ସବୁ ଗଳିକନ୍ଦିର ଟିକିନିଖି ଯାଞ୍ଚ କରାଯିବ। କାଗଜପତ୍ର ଦେଖି କେଉଁଠି କିଏ, କିପରି ଜବରଦଖଲ କରିଛି, ତାର ରିପୋର୍ଟ ପ୍ରସ୍ତୁତ ହେବ। ଚୂଡ଼ାନ୍ତ ରିପୋର୍ଟ ପରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହେବ। ଏ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ କହିଛନ୍ତି, ସହରରେ ବଢ଼ି ଚାଲିଥିବା ଜବରଦଖଲ ଉଚ୍ଛେଦ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସହର ଭିତରେ ରାସ୍ତାକଡ଼ ଓ ଅନ୍ୟାନ୍ୟ ସରକାରୀ ଜାଗାରେ ଯେଉଁ ଜବରଦଖଲ ସବୁ ରହିଛି ତାକୁ ହଟାଯିବ। ପୁରୀ ପୌରସଂସ୍ଥାକୁ ଏହି ଦାୟିତ୍ବ ଦିଆଯାଇଛି। ପୌରସଂସ୍ଥା ସ୍ଥାନ ଚିହ୍ନଟ କରି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବ ବୋଲି ସେ କହିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଯେହେତୁ ସିଟି ରୋଡ୍ ସମୁଦ୍ର କୂଳ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟକୁ ଯାତାୟାତର ପ୍ରମୁଖ ରାସ୍ତା ଏହିଠାରୁ ହିଁ ପୌରସଂସ୍ଥା ଜବରଦଖଲ ଉଚ୍ଛେଦ କରିବ। ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବାର ସ୍ବପ୍ନ ଦେଖିଛନ୍ତି। ଲୋକସେବା ଭବନ, ବହୁତଳ ପାର୍କିଂ, ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଉଚ୍ଛେଦ କରି ସୌନ୍ଦର୍ଯ୍ୟୀକରଣ, ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠ ପର୍ଯ୍ୟନ୍ତ ଶ୍ରୀ‌ସେତୁ, ୨୮ ଏକର ଜାଗାରେ ହ୍ରଦ, ଅଠରନଳାର ସୌନ୍ଦର୍ଯ୍ୟୀକରଣ, ମୂଷା ନଈର ପୁନରୁଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ପ୍ରଥମେ ମୁଖ୍ୟମନ୍ତ୍ରୀ ବହୁତଳ ପାର୍କିଂ, ଲୋକସେବା ଭବନ ପାଇଁ ୨୬୫ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ। ଏହା ପରେ ୫୦୦ କୋଟିର ପ୍ୟାକେଜ୍ ଘୋଷଣା କରି ବିକାଶର ସ୍ବପ୍ନ ଦେଖାଇଛନ୍ତି। ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଜବରଦଖଲ ‌ଉଚ୍ଛେଦ କାମକୁ ସର୍ବାଧିକ ଗୁରୁତ୍ବ ଦେଇଛି।

ହାତ ମାରୁନାହାନ୍ତି ଅଧିକାରୀ

ତାଳବଣିଆ ଥାନା ଅଞ୍ଚଳରେ ଜବରଦଖଲକାରୀମାନେ ସରକାରୀ ଜାଗାରେ ଛାଇଗଲେଣି। କେଉଁଠି କଂକ୍ରିଟ୍‌ ଘର ତିଆରି ହେଲାଣି ତ’ କେଉଁଠି କ୍ୟାବିନ୍ ପଡିଲାଣି। ପୁଣି କେଉଁଠି ବାଡ଼ ବୁଲାଇ ସରକାରୀ ଜାଗାକୁ ଦଖଲରେ ରଖାଗଲାଣି। ସବୁଠୁ ସମ୍ବେଦନଶୀଳ ଅଞ୍ଚଳ କେନ୍ଦ୍ରୀୟ ବିଦ୍ୟାଳୟଠାରୁ ଭୂଦାନ ପର୍ଯ୍ୟନ୍ତ ଜବରଦଖଲକାରୀଙ୍କ ଜବରଦଖଲ ସୀମା ଟପିଲାଣି। ୬ ମାସ ତଳେ ଯେଉଁଠି କାଁଭାଁ ଜବରଦଖଲକାରୀ ଥିଲେ, ସେଠି ଏବେ ମାଳମାଳ ଜବରଦଖଲକାରୀ। ସ୍ଥାୟୀ ଘର ନିର୍ମାଣ କରି ବେପାର ଆରମ୍ଭ କରି ଦେଲେଣି। ସବୁଠୁ ବଡ଼ କଥା ହେଲା ବହୁତଳ ପ୍ରାସାଦ କରି ରହୁଥିବା ଲୋକେ ବି ଏଠାରେ ଜାଗା ଦଖଲ କରି ଜମି କିଣାବିକା ବେପାର ଆରମ୍ଭ କରି ସାରିଲେଣି। ତଥାପି ଏଥିପ୍ରତି କାହାରି ନଜର ନପଡ଼ିବା ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ପ୍ରକାଶ କରିଛନ୍ତି। କହିଛନ୍ତି, ବିଦ୍ୟାଳୟକୁ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ପାଠପଢ଼ି ଆସୁଛନ୍ତି, ସେହି ଦୃଷ୍ଟିରୁ ଏହି ଅଞ୍ଚଳ ସୁରକ୍ଷିତ ହେବା ଦରକାର। କିନ୍ତୁ ପୁଲିସ କି ପ୍ରଶାସନ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳସ୍ବରୂପ ଲୋକେ ଏଠାରେ ରାସ୍ତାକଡ଼ ସରକାରୀ ଜାଗା ଜବରଦଖଲ କରି ଅସାମାଜିକ କାର୍ଯ୍ୟକଳାପ ଚଳାଇଛନ୍ତି।

ପେଣ୍ଠକଟାରୁ ବଳିଆପଣ୍ଡା ଯାଏ ମାପଚୁପ

ରାସ୍ତାକଡ଼ ଜବରଦଖଲ ଉଚ୍ଛେଦର ପ୍ରାରମ୍ଭିକ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ପେଣ୍ଠକଟାରୁ ବଳିଆପଣ୍ଡାକୁ ସଂଯୋଗ କରୁଥିବା ରାସ୍ତାକୁ ଜବରଦଖଲମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛି। ସେହି ଅନୁଯାୟୀ, ଆଜି ପେଣ୍ଠକଟାଠାରୁ ବଳିଆପଣ୍ଡା ପର୍ଯ୍ୟନ୍ତ ଥିବା ରାସ୍ତା ସବୁ ମାପଚୁପ ଆରମ୍ଭ ହୋଇଛି। ରାଜସ୍ବ ନିରୀକ୍ଷକ ରାମଚନ୍ଦ୍ର ପାତ୍ର, ପୌରସଂସ୍ଥା ଅମିନ ଜ୍ୟୋତିରଂଜନ ପ୍ରଧାନ, ରାଜସ୍ବ ନିରୀକ୍ଷକ ବିଚିତ୍ର ମୋହନ ମିଶ୍ରଙ୍କ ସମେତ ଅନ୍ୟ ୪ ଜଣ ଅମିନ ଏହି ମାପଚୁପରେ ସାମିଲ ଥିଲେ। ଚକ୍ରତୀର୍ଥ ରୋଡରୁ ଏହି ମାପଚୁପ ଆରମ୍ଭ ହୋଇଥିଲା। କିଏ କେତେ ସରକାରୀ ଜାଗା ମାଡ଼ିଛି, ତାର ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ମାପଚୁପ ଶେଷ ହେବା ପରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇ ଜବରଦଖଲ ଉଚ୍ଛେଦ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ରାସ୍ତା ପରେ ଅନ୍ୟ ରାସ୍ତା ସବୁର ମାପଚୁପ ଆରମ୍ଭ ‌ହେବ।

ସମ୍ବନ୍ଧିତ ଖବର