ଇନ୍ଦ୍ରାବତୀ କେନାଲ ଶିଡ଼ି ଭୁଶୁଡ଼ିଲା, ପଣ୍ଡିଗାଁରେ ଅଦିନିଆ ବନ୍ୟା

କଲମପୁର: ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ଶିଡ଼ି ଭୁଶୁଡ଼ି ପଡ଼ିବାରୁ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଣ୍ଡିଗାଁ ବସ୍ତିପଡ଼ାରେ ଅଦିନିଆ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗାଁ ଦାଣ୍ଡରେ ୩ ଫୁଟ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ବୁଧବାର ରାତି ପ୍ରାୟ ୧ଟାରୁ ଗୁରୁବାର ଦିନ ପ୍ରାୟ ୨ଟା ପର୍ଯ୍ୟନ୍ତ ଗାଁ ଦାଣ୍ଡ ଜଳାର୍ଣ୍ଣବ ରହିଥିଲା। ୨୦ରୁ ଅଧିକ ଘରକୁ ମଧ୍ୟ ପାଣି ପଶିଥିଲା। ଦିନ ୨ଟା ପରେ ପାଣିର ସ୍ରୋତ କମିଥିଲା। ହେଲେ ଗୁରୁବାର ରାତି ୮ଟା ସୁଦ୍ଧା ଗାଁ ଦାଣ୍ଡରେ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ପାଣି ମାଡ଼ି ଯିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଥିବା ମଧ୍ୟ ସୂଚନା ମିଳିଛି। ଏହି ଘଟଣାରେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ପ୍ରକାଶ ଯେ, ନିକଟରେ ମୁଖିଗୁଡ଼ା ବହୁମୁଖୀ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଆର୍‌ଡି ୨୭.୬୮୦ର ଦକ୍ଷିଣ ପଟରେ ଥିବା ଶିଡ଼ି ବୁଧବାର ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହି କେନାଲ ତଳ ମୁଣ୍ଡରେ ଥିବା ପଣ୍ଡିଗାଁ ବସ୍ତି ପଡ଼ା ଜନବସତିକୁ ପ୍ରବଳ ବେଗରେ ପାଣି ପଶିଥିଲା। ପ୍ରାୟ ୨୦ରୁ ଅଧିକ ଘର ଭିତରେ ପାଣି ପଶିଥିଲା। ନିକଟରେ ଥିବା ବହୁ ଚାଷ ଜମି ଜଳ ମଗ୍ନ ହୋଇଥିଲା। ହଠାତ କେନାଲ ଉପର ମୁଣ୍ଡରୁ କ୍ଷିପ୍ର ଗତିରେ ପାଣି ଗାଁ ଭିତରକୁ ପଶି ଆସିଥିବା ଏବଂ ତାର ଭୟଙ୍କର ଗର୍ଜନରେ ଲୋକେ ଆତଙ୍କିତ ହୋଇ ଉଠି ପଡ଼ିଥିଲେ। ସଙ୍ଗେ ସଙ୍ଗେ ଇନ୍ଦ୍ରାବତୀ ପ୍ରକଳ୍ପର ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ। ଖବର ପାଇ ବିଭାଗ ପକ୍ଷରୁ ମଂଗଳପୁର ବ୍ୟାରେଜ୍ ଏବଂ ବନ୍ଧକନା ଫାଟକକୁ ବନ୍ଦ କରି ଦିଆ ଯାଇଥିଲା। ଅନ୍ୟ ଶାଖା କେନାଲ ଗୁଡ଼ିକର ଫାଟକ ଗୁଡ଼ିକକୁ ମଧ୍ୟ ଖୋଲି ଦିଆ ଯାଇଥିଲା। ଫଳରେ ଧୀରେ ଧୀରେ ଜଳ ସ୍ରୋତ କମିବାରେ ଲାଗିଥିଲା। ଖବର ପାଇ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଗର୍ତ ହୋଇଥିବା ସ୍ଥାନରେ ସକାଳୁ ପାଳ ଭର୍ତି କରା ଯାଇଥିଲା। ଅସ୍ଥାୟୀ ବ୍ୟବସ୍ଥା ପାଇଁ ସଂଧ୍ୟାରେ ବାଲି ବସ୍ତା ଦିଆ ଯାଇଥିଲା। ଏତେ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ରାତି ୮ଟା ସୁଦ୍ଧା ଗାଁ ଦାଣ୍ଡରୁ ପାଣି କମି ନଥିଲା। ବର୍ତ୍ତମାନ ଫସଲ ପାଇଁ କେନାଲ ପାଣିର ଆବଶ୍ୟକତା ଥିବା ହେତୁ ଏଭଳି ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି ଏବଂ ଧାନ ଅମଳକ୍ଷମ ହେଲା ପରେ କେନାଲ ପାଣି ବନ୍ଦ କରାଯାଇ ଏହାର ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି କଲମପୁର କେନାଲ ଏସଡିଓ ନେଲସନ ତାଡିଙ୍ଗି କହିଛନ୍ତି। କେନାଲରେ ପ୍ରାୟ ୧୦ ଫୁଟରୁ ଅଧିକ ପାଣି ରହିଥିଲା। ଗ୍ରାମ ମଧ୍ୟରେ ୩ ଫୁଟରୁ ଅଧିକ ପାଣି ପ୍ରବଳ ବେଗରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ଘରୋଇ କ୍ଷୟକ୍ଷତି ସେଭଳି କିଛି ହୋଇ ନଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର