୨୦୨୦ରେ ‘ଚନ୍ଦ୍ରଯାନ-୩’ ପାଇଁ ଇସ୍ରୋର ଯୋଜନା

ଭୁବନେଶ୍ୱର : ଆସନ୍ତା ବର୍ଷ ପୁଣି ଏକ ଚନ୍ଦ୍ରଯାନ ପଠାଇବାକୁ ବିଚାର କରୁଛି ଇସ୍ରୋ । ଏହା ମଧ୍ୟ ଏକ ମାନବବିହୀନ ଅଭିଯାନ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ କହିଛନ୍ତି ।

ଆଇଆଇଟି ଭୁବନେଶ୍ୱରର ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବିକ୍ରମ ଲାଣ୍ଡର ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରିନାହିଁ । ତେବେ ଚନ୍ଦ୍ର ଚାରିପଟେ ବୁଲୁଥିବା ଅରବିଟର ଠିକ ଭାବେ କାମ କରୁଛି ବୋଲି ସେ କହିଛନ୍ତି ।

ଆସନ୍ତା ବର୍ଷ ଅର୍ଥାତ ୨୦୨୦ ରେ ଆଉ ଏକ ଚନ୍ଦ୍ରଯାନ ପଠାଯିବାକୁ ବିଚାର କରାଯାଉଛି । କିନ୍ତୁ ଏ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ ବୋଲି ଶିବନ କହିଛନ୍ତି। ଚନ୍ଦ୍ରଯାନ-୨ରେ କେଉଁ କାରଣରୁ ସମସ୍ୟା ଦେଖାଗଲା ତାହାର ସମୀକ୍ଷା କରି ଆଗାମୀ ମିଶନରେ ତାହାକୁ ସୁଧାରିବାକୁ ଉଦ୍ୟମ କରାଯିବ । ଏହା ସହିତ ଆସନ୍ତା ବର୍ଷ ଗଗନଯାନ ମିଶନର କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୧ଜୁଲାଇ ସୁଦ୍ଧା ୨ୟ ମାନବବିହୀନ କିନ୍ତୁ ମାନବ ଅନୁକୂଳ ମହାକାଶ ଯାନ ପଠାଯିବ । ୨୦୨୧ ଡିସେମ୍ବର ସୁଦ୍ଧା ଭାରତ ନିଜ ରକେଟ ସାହାଯ୍ୟରେ ମହାକାଶକୁ ମଣିଷ ପଠାଇବ ।

ସମ୍ବନ୍ଧିତ ଖବର