ଦୁଇ ସପ୍ତାହରେ ୮ ଚାଷୀଙ୍କ ଆତ୍ମହତ୍ୟା : ସ୍ଥିତି ଅସମ୍ଭାଳ

ଭୁବନେଶ୍ୱର : ଧାନ ଫସଲରେ ପୋକଙ୍କ ଦାଉ ଆଜି ନୁହେଁ, ମାସାଧିକ ସମୟ ହେଲାଣି ଦେଖାଦେଲାଣି। ଆରମ୍ଭରୁ କୃଷି ବିଭାଗର କର୍ମଚାରୀ ତତ୍ପରତା ଦେଖାଇଲେନି। ବିଭାଗୀୟ ଅଫିସର ଓ ମନ୍ତ୍ରୀ ବି ଧ୍ୟାନ ଦେଲେନି। ସମସ୍ତଙ୍କ ଉଦାସୀନତା ଏତେ ଥିଲା ଯେ କୀଟନାଶକ ଔଷଧ ଯୋଗାଣ କ୍ଷେତ୍ରରେ ବି ବ୍ୟାପକ କେଳେଙ୍କାରୀ କରିବାର ସୁଯୋଗ ମିଳିଗଲା।

ଏବେ ସ୍ଥିତି ଅସମ୍ଭାଳ ରୂପ ନେଇଛି। କେଉଁଠି ଚାଷୀ ପାଚିଲା ଫସଲରେ ନିଆଁ ଲଗାଇଲେଣି ତ ଆଉ କେଉଁଠି ଆତ୍ମହତ୍ୟା କଲେଣି। ଦିନକୁ ଦିନ ଚାଷୀ ଆତ୍ମହତ୍ୟା ସଂଖ୍ୟା ବଢୁଛି। ମାତ୍ର ଦୁଇ ସପ୍ତାହ ମଧ୍ୟରେ ୮ ଜଣ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ ଆସିଲାଣି। ଧୀରେ ଧୀରେ ସ୍ଥିତି ଆୟତ୍ତ ବାହାରକୁ ଯାଉଥିବା ଦେଖି ସରକାର ନିଦରୁ ଉଠୁଛନ୍ତି। ବିରୋଧୀ ବି ଘେରିଲେଣି।

ଗତକାଲି ଛୁଟି ଦିନରେ କୃଷି ବିଭାଗ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ବୈଠକ କରିଥିଲେ, ଉନ୍ନୟନ କମିସନର ଆଜି ରବିବାରରେ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଆଲୋଚନା କରିଛନ୍ତି ଓ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ଗମ୍ଭୀରତା ମାପିଛନ୍ତି।

କେବଳ ଏତିକି ନୁହେଁ, ଆସନ୍ତାକାଲି ଅପରାହ୍ନ ୪ଟାରେ ରାଜସ୍ୱ ମନ୍ତ୍ରୀ ବୈଠକ ଡାକିଛନ୍ତି। ଏହାର ଦେଢ଼ ଘଣ୍ଟା ପରେ ଅର୍ଥାତ୍‌ ସାଢେ ପାଞ୍ଚଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କୃଷି କ୍ୟାବିନେଟ୍‌ ବୈଠକ ବସିବ। ପୋକ ଆକ୍ରମଣ ପ୍ରଭାବରେ ଚାଷ ଓ ଚାଷୀଙ୍କ ପ୍ରତି ଦେଖାଦେଇଥିବା ବିପଦ ସଂପର୍କରେ ଏଥିରେ ଆଲୋଚନା କରାଯିବ। ମରୁଡି ସ୍ଥିତି ଠାରୁ ଆରମ୍ଭ କରି ଫସଲ ଉତ୍ପାଦନ ଯାଏ ସବୁ ସଂପର୍କରେ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ବିଭାଗମାନେ। ସମ୍ଭବତଃ ମୁଖ୍ୟମନ୍ତ୍ରୀ ବର୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିପାରନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୫ ତାରିଖ ଦିନ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକର ମନମୁଣ୍ଡା ଅଞ୍ଚଳର ଇନ୍ଦ୍ର ବରିହା ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସରକାର ଏହାର ତଦନ୍ତ କରାଯିବ ବୋଲି ସୂଚନା ଦେଇଥିଲେ। ୨୭ ତାରିଖରେ ପାଇକମାଳର ଜଳଗଡ଼ ଅନ୍ତର୍ଗତ ଜଗଦିଶ ଗୁଡ଼େକ ନାମକ ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଥିଲା। ୩୦ ତାରିଖରେ ପୁଣି ଅଭିଯୋଗ ହେଲା ଯେ ବରଗ଼଼ଡ଼ ସଦର ବ୍ଲକର ତୋରା ଅଞ୍ଚଳର ଅକ୍ଷୟ ତରାଇ ଆତ୍ମହତ୍ୟା କରିଛନ୍ତି। ବରଗଡ଼ ଜିଲ୍ଲା କଳାପାଣି ଗାଁର ବୃନ୍ଦାବନ ସାହୁ ଗତ ୩୧ ତାରିଖ ଦିନ ନିଜ ଧାନ ଜମିରେ ନିଆଁ ଲଗାଇବା ସହ ବିଷ ପିଇଥିଲେ। ତା ପରଦିନ ଅର୍ଥାତ୍‌ ନଭେମ୍ବର ୧ ତାରିଖରେ ବୃନ୍ଦାବନଙ୍କ ମୃତ୍ୟୁ ଘଟିଥିଲା। ଆଜି ବରଗଡର ଅତାବିରା ବ୍ଲକର ନୂଆ ଖଇରପାଲିର ପି ନବୀନ କୁମାରଙ୍କ ମୃତ୍ୟୁ ଘଟିଛି। ଗତକାଲି ସେ ବିଷ ପିଇଥିଲେ। ସେହିଭଳି ଆଜି ପଦ୍ମପୁର ଉପଖଣ୍ଡ ମେଲ୍‌ଛାମୁଣ୍ଡା ଥାନା ପଣ୍ଡକିପାଲି ଗାଁର ଚାଷୀ ଭକ୍ତ ଚରଣ ଭୁଏ (୩୫) ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ସ୍ତ୍ରୀ ଆତ୍ମହତ୍ୟାର କାରଣ ଚାଷ ଜନିତ ବୋଲି ଅଭିଯୋଗ କରିଛି। ଏଥି ସହିତ ବରଗଡ଼ ଜିଲ୍ଲାରେ ଗତ ଦୁଇ ସପ୍ତାହ ମଧ୍ୟରେ ୬ଜଣଙ୍କର ମୃତ୍ୟୁ ଘଟିଛି।

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକର ପାଟପୁର ଥାନା ଅନ୍ତର୍ଗତ ଅଳୟ ଜେନା ଗତକାଲି ପ୍ରାଣ ହରାଇଛନ୍ତି। ଚାଷ ଜନିତ କାରଣରୁ ଅଳୟଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ଆସିଥିଲା। ୫ ଭରଣ ଜମିରେ ଚାଷ କରିଥିଲେ ହେଁ, ପୋକ ଗିଳିଦେଇଥିଲେ ଫସଲ। ଏମାନଙ୍କ ବ୍ୟତୀତ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅନ୍ତର୍ଗତ ବାଉଁଶପାଳ ଅନ୍ତର୍ଗତ ଲେମ୍ବୁପାଳ ଗାଁର ବାସୁ ହେମ୍ବ୍ରମ୍‌ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ।

ନିୟମତଃ, ଏସବୁ ଘଟଣାର ଜିଲ୍ଲାପାଳ ଓ ଏସ୍‌ପି ତଦନ୍ତ କରି ରିପୋର୍ଟ ଦେବା କଥା। ହେଲେ ରିପୋର୍ଟ ଆସିଲା ନା ନାହିଁ, ଯଦି ଆସିଛି, ଜିଲ୍ଲାପାଳ କାରଣ କ’ଣ ଦର୍ଶାଇଛନ୍ତି, ସେ ନେଇ କେହି ମୁହଁ ଖୋଲୁନାହାନ୍ତି। କୃଷିମନ୍ତ୍ରୀ ଏସବୁକୁ ଆତ୍ମହତ୍ୟା ବୋଲି ମାନିବାକୁ ନାରାଜ। ସେପଟେ ସରକାରଙ୍କ ଆଚରଣ ଓ ଉଚ୍ଚାରଣ ଦେଖି ଚାଷୀ ହତୋତ୍ସାହିତ ହୋଇପଡୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଆଶ୍ୱାସନା ଦେବା ପରେ ବି କୃଷି ବିଭାଗ ଓ ମନ୍ତ୍ରୀଙ୍କ ଆଚରଣ ଚାଷୀଙ୍କୁ ଆଶ୍ୱସ୍ତ କରିପାରୁନି। ଏଭଳି ସ୍ଥଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍‌ ଚାଷୀକୁ ସାନ୍ତ୍ୱନା ଦେଇପାରେ ବୋଲି ଗୋଟିଏ ମହଲ ବିଶ୍ୱାସ କରୁଛନ୍ତି।

ତେବେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ସରକାର ବର୍ତମାନ ତନାଘନା କରୁଥିଲେ ହେଁ, ଓହ୍ଲାଇଲା ହାଣ୍ଡି ଶୀତଳ ନ୍ୟାୟରେ ପରେ ପୁଣି ଚୁପ୍‌ଚାପ୍‌ ହୋଇ ବସିଯାଉଛନ୍ତି। ସରକାର ଆଖିବୁଜି ଗୋଟିଏ ପରେ ଗୋଟିଏ ଘୋଷଣା କରିବା ପରିବର୍ତେ ସେମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନ କଲେ ସ୍ଥିତିରେ ଉନ୍ନତି ଘଟନ୍ତା।

ସମ୍ବନ୍ଧିତ ଖବର