ମହାନଦୀ ଲଢ଼େଇରେ ସାମିଲ ହେବାକୁ ଆହ୍ଵାନ

ହଜାର ହଜାର ଲୋକ ସୁରକ୍ଷା ଯାତ୍ରାରେ ସାମିଲ, ଗର୍ଜିଲେ ନେତା, ପଥପ୍ରାନ୍ତ ନାଟକ ପ୍ରଦର୍ଶିତ

ଭୁବନେଶ୍ୱର : ମହାନଦୀ ସୁରକ୍ଷା ଅଭିଯାନକୁ ଆଜି ଚତୁର୍ଥ ଦିନରେ ମଧ୍ୟ ପ୍ରବଳ ଜନସମର୍ଥନ ମିଳିଛି। ବିଜେଡି ନେତାମାନେ ଛତିଶଗଡ ସରକାରର ବେଆଇନ କାର୍ଯ୍ୟକଳାପକୁ କଠୋର ସମାଲୋଚନା କରିବା ସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲିନଥିଲେ। ଏଥିସହିତ ମହାନଦୀର ଦୁର୍ଦଶା ଓ ଏହାର ପ୍ରଭାବ ସଂପର୍କରେ ମଧ୍ୟ ଲୋକମାନଙ୍କୁ ସଚେତନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ହଜାର ହଜାର ସ୍ଥାନୀୟ ଲୋକ ଏଥିରେ ସାମିଲ ହୋଇଥିଲେ ଓ ବିରାଟ ଶୋଭାଯାତ୍ରାରେ ମହାନଦୀର ବାମ ଓ ଦକ୍ଷିଣ ପାର୍ଶ୍ୱରେ ଆସୁଥିବା ପ୍ରତିନିଧି ଦଳକୁ ପାଛୋଟି ନେଇଥିଲେ।

ଉପସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଚାଲିଥିବା ପ୍ରତିନିଧି ଦଳ ଦଶପଲ୍ଳାରେ ସାଧାରଣ ସଭା କରିବା ପରେ ସିଧାମୂଳା ଦେଇ ଗଣିଆ ଏବଂ କଣ୍ଟିଲୋରେ ପହଞ୍ଚି ସେଠାରେ ସଭା କରିଥିଲେ। ଏହା ପରେ ଏକ ବିରାଟ ବାଇକ୍‌ ଶୋଭାଯାତ୍ରାରେ କଣ୍ଟିଲୋ ନୀଳମାଧବ ମନ୍ଦିର ପଶ୍ଚିମ ଦ୍ୱାର ରାସ୍ତା ମହାନଦୀ କୂଳ ଘାଟରେ ଥିବା ଗଙ୍ଗାମାତାଙ୍କ ମନ୍ଦିରଠାରେ ପ୍ରତିନିଧି ଦଳ ପହଞ୍ଚିଥିଲା। ଏଠାରେ ଜଳ ଆଳତୀ କାଯ୍ୟର୍କ୍ରମ ଅନୁଷ୍ଠିତ ହୋଇଥିଲା। ମହାନଦୀ ସୁରକ୍ଷା ଅଭିଯାନରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ବିଧାୟକ ଅନୁଭବ ପଟ୍ଟନାୟକ, ରବିନାରାୟଣ ମହାପାତ୍ର, ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

କଣ୍ଟିଲୋ ତାରିଣୀ ମନ୍ଦିରଠାରେ ଅନୁଷ୍ଠିତ ସଭାରେ ନେତାମାନେ କହିଥିଲେ, ସଂପ୍ରତି ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ବେଆଇନ ଭାବେ ବ୍ୟାରେଜ ତଥା ପ୍ରକଳ୍ପ କରିବା ଫଳରେ ଓଡ଼ିଶାରେ ପ୍ରବାହିତ ମହାନଦୀରେ ଗମ୍ଭୀର ଜଳସଂକଟ ସୃଷ୍ଟି ହୋଇଛି। ମହାନଦୀ ଅବବାହିକାରେ ରହିଥିବା ଖଣ୍ଡପଡ଼ା ଅଞ୍ଚଳ ମଧ୍ୟ ସମସ୍ୟା ଭିତରେ ଗତି କରୁଥିବା ଦେଖିବାକୁ ମିଳିଛି। ଜଳପ୍ରବାହର ମାତ୍ରା ଅଣମୌସୁମୀ ସମୟରେ ମାତ୍ରାଧିକ ଭାବେ ହ୍ରାସ ପାଇଲାଣି। ଓଡ଼ିଶାର ୧୫ଟି ଜିଲ୍ଲା ଏଥିଯୋଗୁ ପ୍ରଭାବିତ ହେଉଛି। ମହାନଦୀ ଜଳକୁ ଆଧାର କରି ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ଗଢ଼ିଉଠିଥିବା କ୍ଷୁଦ୍ର, ବୃହତ ସେଚପ୍ରକଳ୍ପଗୁଡ଼ିକ ଅଚଳ ତଥା ବନ୍ଦ ହୋଇ ପଡ଼ିରହିଛି। ମହାନଦୀରୁ ମାଛମାରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଏବେ ସଙ୍କଟରେ। ଓଡ଼ିଶାର ଜୀବନରେଖା ମହାନଦୀକୁ ଆସନ୍ନ ସଙ୍କଟରୁ ରକ୍ଷା କରିବା ପାଇଁ ବିଜେଡି ପକ୍ଷରୁ ଚାଲିଥିବା ନିର୍ଣ୍ଣାୟକ ଲଢ଼େଇରେ ସାମିଲ ହେବାକୁ ନେତାମାନେ ଆହ୍ଵାନ ଦେଇଥିଲେ।

ସେପଟେ ମହାନଦୀର ବାମ ପାର୍ଶ୍ୱରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଆସୁଥିବା ସୁରକ୍ଷା ଅଭିଯାନ ଟିମ୍‌ ଅଇଡାରୁ ଯାତ୍ରାରମ୍ଭ କରି ମା’ବିନିକାଇ ମନ୍ଦିର, ଠାକୁରଗଡ଼, ପମ୍ପାସର, ବନ୍ତଳା ଦେଇ ହିନ୍ଦୋଳରେ ପହଞ୍ଚି ସାଧାରଣ ସଭା କରିଥିଲେ। ବିଭିନ୍ନ ସ୍ଥାନରେ ହୋଇଥିବା ପଥପ୍ରାନ୍ତ ସଭାରେ ନେତାମାନେ ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କଠିନ ସମାଲୋଚନା କରିଥିଲେ। ନେତାମାନେ କହିଥିଲେ, ମହାନଦୀ ଓଡ଼ିଶା ବାସୀଙ୍କର ଜୀବନ ଜୀବିକାର ଆଧାର। ସାତକୋଶିଆ ଗଣ୍ଡ ସଂଲଗ୍ନ ଜୈବ ବିବିଧତା ମହାନଦୀର ଅବଦାନ। ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ, ହସ୍ତୀ ପ୍ରକଳ୍ପ, ଟିକରପଡ଼ା କୁମ୍ଭୀର ଗବେଷଣା କେନ୍ଦ୍ର ପ୍ରଭୃତି ପ୍ରତ୍ୟକ୍ଷ ଭାବେ ମହାନଦୀ ଉପରେ ଜଡ଼ିତ। କେବଳ ଏ ଅଞ୍ଚଳ ନୁହେଁ, ଓଡ଼ିଶାବାସୀଙ୍କ ଜୀବନଧାରା ମହାନଦୀର ଜଳ ଉପରେ ନିର୍ଭରଶୀଳ। ମାତ୍ର କେନ୍ଦ୍ର ସରକାର ଓ ଛତିଶଗଡ଼ର ଶାସକ ବିଜେପି ସରକାର ଆଇନର ଖୋଲା ଉଲ୍ଲଙ୍ଘନ କରି ଓଡ଼ିଶାର କୋଟି କୋଟି ଲୋକଙ୍କ ଜୀବନ ଜୀବିକାକୁ ଭ୍ରୂକ୍ଷେପ ନକରି ମହାନଦୀ ଜଳ ଲୁଟ୍‌ କରିଛନ୍ତି। ଏହାର ପ୍ରତିବାଦରେ ମହାନଦୀ ସୁରକ୍ଷା ପାଇଁ ସଂଗ୍ରାମ ଚାଲୁ ରହିବ।

ମନ୍ତ୍ରୀ ପ୍ରତାପ ଜେନା, ନୃସିଂହ ସାହୁ, ସାଂସଦ ତଥାଗତ ଶତପଥୀ, ବିଧାୟକ ମହେଶ ସାହୁ, ସଂଜୀବ କୁମାର ସାହୁ, ସୁଶାନ୍ତ ବେହେରା, ବ୍ରଜ କିଶୋର ପ୍ରଧାନ, ସୀମାରାଣୀ ନାଏକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି, ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ଏହି ପ୍ରତିନିଧି ଦଳ ଆଜି ଅପରାହ୍ନରେ କଟକ ଜିଲ୍ଲାରେ ପ୍ରବେଶ କରିଥିଲା। ଏକ ବାଇକ୍‌ ଶୋଭାଯାତ୍ରାରେ ପଞ୍ଚମୁଖୀ ଛକ, ହାଟଛକ, ଦୋଳ ବେଦୀ ଛକ ଦେଇ ପ୍ରତିନିଧି ଦଳକୁ ନିଆଯାଇଥିଲା। ନରସିଂହପୁର ଟାଉନ୍‌ ସ୍ଥିତ କ୍ଲବ ପଡ଼ିଆରେ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ଟିମ୍‌ ବାଲିଝରି-ରୟତିବାଡ଼ ଯାଇ ସେଠାରୁ ଗୋପପୁର, ବଡମ୍ବା, କରଡିବନ୍ଧ ଆଦି ସ୍ଥାନରେ ପଥପ୍ରାନ୍ତ ସଭା କରିଥିଲା।

ପଥପ୍ରାନ୍ତ ସଭାରେ ଉପସଭାପତି ଶ୍ରୀ ମିଶ୍ର, ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ, ସାଂସଦ ଭର୍ତ୍ତୃହରି ମହତାବ୍‌, କାଜୁ ନିଗମ ଅଧକ୍ଷ ମୁନା ଖାଁ ପ୍ରମୁଖ ଉଦବୋଧନ ଦେଇ ଓଡିଶା ବାସୀଙ୍କ ପାଇଁ ମହାନଦୀ କେବଳ ଏକ ନଦୀ ନୁହେଁ, ଏହା ଆବେଗର ଧାରା ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତି ଛକରେ ଅଭିଯାତ୍ରୀ ଦଳଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ମହାନଦୀ ସୁରକ୍ଷା ନେଇ ବିଭିନ୍ନ ସାଂସ୍କୃତିକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ଏଥିରେ କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂ, ସଭାନେତ୍ରୀ ସୁଭଦ୍ରା ଦାଶ ପ୍ରମୁଖ ଭାଗ ନେଇଥିଲେ। ହଜାର ହଜାର ବୁଦ୍ଧିଜୀବୀ, କୃଷକ, ମହିଳା, ଯୁବକ-ଛାତ୍ର ପ୍ରମୁଖ ଏହି ଜନଜାଗରଣ ଯାତ୍ରା ଏବଂ ଜଳ ଆଳତିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର