ସୁନ୍ଦରଗଡ଼ ଯୁବତୀ ଚାଲାଣର କରୁଣ ଚିତ୍ର : ଝିଅ ମିଳିଲା, ବାପା ନିଖୋଜ

ସୁନ୍ଦରଗଡ଼ : ଗୋଆରେ ଚାଲାଣ ହୋଇଥିବା ଜଣେ ନାବାଳିକାଙ୍କୁ ପୁଲିସ୍‌ ଉଦ୍ଧାର କରିଛି। ମାତ୍ର, ଏହି ନାବାଳିକାଙ୍କୁ ଖୋଜିବାକୁ ଯାଇଥିବା ତାଙ୍କ ବାପା କେଉଁଆଡ଼େ ନିଖୋଜ ହୋଇଛନ୍ତି। ଯୁବତୀ ଚାଲାଣ ଓ ବିକ୍ରିକୁ ନେଇ ଚର୍ଚ୍ଚାରେ ଥିବା ସୁନ୍ଦରଗଡ଼ରେ ଏହା ହେଉଛି ଏକ କରୁଣ ଚିତ୍ର।

ଗତ ଅକ୍ଟୋବର ମାସରେ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ପଣ୍ତ୍ରିଢିପାରେ ଜଣେ ନାବାଳିକା ଘରୁ ନିଖୋଜ ହୋଇଯାଇଥିଲେ। କିଛିଦିନ ପରେ ଜଣାପଡ଼ିଥିଲା ଯେ, ସଦର ଥାନା ଅନ୍ତର୍ଗତ ବଡ଼ମାଲର ଯୁବକ ଲୁଲୁ ଓରଫ ହରେଶ କିରୋ (୧୯) ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଘରୁ ନେଇ ଯାଇଛନ୍ତି। ଏହାପରେ ଯାହା ଘଟଣା ଘଟିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯୁବତୀ ଚାଲାଣ ରୢାକେଟ୍‌ରେ ସକ୍ରିୟ ଥିବା ଦମ୍ପତି ମେଘ ଓ ଲିଜାଙ୍କ ସଂସ୍ପର୍ଶରେ ଆସି ହରେଶ ନାବାଳିକାକୁ ଗୋଆରେ ବିକ୍ରି କରିଦେଇଥିଲେ। ଇତିମଧ୍ୟରେ ନାବାଳିକାଙ୍କ ବାପା ଟାଉନଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ସେ ମଧ୍ୟ ଝିଅକୁ ଖୋଜିବାକୁ ଚାଲିଯାଇଥିଲେ।

ଅନ୍ୟପଟେ, ପୁଲିସ ମାମଲା ରୁଜୁ କରି ତନାଘନା ଚଲାଇଥିଲା। ତେବେ ଦଲାଲ ଦମ୍ପତି ଓ ହରେଶ ଅମଲିପାଲିରେ ଥିବା ଜାଣିବା ପରେ ଅକ୍ଟୋବର ୨୩ରେ ପୁଲିସ ଚଢ଼ଉ କରି ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏଥିସହିତ, ରାଉରକେଲା ପୁଲିସ୍‌ର ଏକ ଟିମ୍‌ ଗୋଆ ଯାଇ ନାବାଳିକାକୁ ଉଦ୍ଧାର କରିବା ସହିତ କ୍ରେତାଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ଉଭୟଙ୍କୁ ସାଙ୍ଗରେ ନେଇ ଆସୁଥିବା ଜଣାପଡ଼ିଛି। ମାତ୍ର, ଝିଅକୁ ଖୋଜିବାକୁ ଯାଇଥିବା ବାପା କେଉଁଆଡ଼େ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର