ଏନ୍‌ଏସି ନିର୍ବାଚନ ଶେଷ: ୫ରେ ଗଣତି

ଅତାବିରାରେ ୭୩.୧୭%

ଅତାବିରା: ବହୁ ପ୍ରତୀକ୍ଷିତ ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ମଂଗଳବାର ଶାନ୍ତିଶୃଙ୍ଖଳା ସହ ଭୋଟ୍‌ ପଡ଼ିଛି। କୌଣସି ସ୍ଥାନରୁ ଗଣ୍ଡଗୋଳର କିଛି ଖବର ଆସିନି। ନିର୍ଦ୍ଧାରିତ ସମୟ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିଲା। ଏଥର ୭୩.୧୭ ପ୍ରତିଶତ ମତଦାନ ହୋଇଛି। ଗତ ଥର ୭୪.୨୬ ପ୍ରତିଶତ ମତଦାନ ହୋଇଥିଲା। ବୁଥ ନମ୍ବର ୧୩ରେ ସର୍ବାଧିକ ୮୪.୯୫ ପ୍ରତିଶତ ମତଦାନ ହୋଇଥିବାବେଳେ ୧୦ ନମ୍ବର ବୁଥରେ ସର୍ବନିମ୍ନ ୬୧.୪୯ ପ୍ରତିଶତ ଭୋଟ୍‌ ପଡ଼ିଛି। ସୁରୁଖୁରୁରେ ନିର୍ବାଚନ ସରିବା ପରେ ଇଭିଏମ୍‌ ଗୁଡ଼ିକ ଷ୍ଟ୍ରଂଗରୁମ୍‌ରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଷ୍ଟ୍ରଂଗରୁମ୍‌ରେ ଚବିଶ ଘଣ୍ଟିଆ ପହରା ରହିଛି। ସିସିଟିଭି ସହ ସଶସ୍ତ୍ର ପୁଲିସ୍‌ ମୁତୟନ ଅଛନ୍ତି। ସଂଯୋଗ ବଶତଃ ଗତ ୫ ବର୍ଷ ତଳେ ଠିକ୍‌ ଆଜିର ଦିନରେ (ଏପ୍ରିଲ ୩ ତାରିଖ) ଅତାବିରା ଏନ୍‌ଏସିର ପ୍ରଥମ ନିର୍ବାଚନ ହୋଇଥିଲା। ୫ ତାରିଖ ଦିନ ସକାଳ ୮ଟାରୁ ଗଣତି ହେବ। ୨ଟି ଟେବୁଲରେ ୬ ରାଉଣ୍ଡ ଗଣତି ପରେ ଫଳାଫଳ ଘୋଷଣା ହେବ।

ହିନ୍ଦୋଳରେ ୮୫%
ହିନ୍ଦୋଳ: ହିନ୍ଦୋଳ ଏନ୍‌ଏସି ନିର୍ବାଚନ ଆଜି ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏନ୍‌ଏସିର ୧୬ଟି ଓ୍ଵାର୍ଡରେ ମତଦାନ ହୋଇଥିଲା। ସମୁଦାୟ ୯୪୦୭ ଜଣ ଭୋଟରଙ୍କ ମଧ୍ୟରୁ ୮୫ ପ୍ରତିଶତ ଭୋଟର ନିଜର ମତ ଅଧିକାର ସାବ୍ୟସ୍ତ କରିଥିବା ବେଳେ ୫୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ ମେସିନ୍‌ରେ ସିଲ୍‌ ହୋଇଛି। ଭୋଟ୍‌ ଗ୍ରହଣ ପାଇଁ ୧୬ଟି ଓ୍ଵାର୍ଡରେ ୧୬ଟି ମତଦାନ କେନ୍ଦ୍ର ଖୋଲାଯାଇଥିଲା। ଆସନ୍ତା ୫ ତାରିଖ ସକାଳ ୮ଟାରୁ ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଭୋଟ୍‌ ଗଣତି କରାଯିବ ବୋଲି ନିର୍ବାଚନ ଅଧିକାରୀ ତଥା ହିନ୍ଦୋଳ ଉପଜିଲ୍ଲାପାଳ ଭବେଶ କୁମାର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର