ସୀମା ଟପିଲାଣି ପ୍ରତାରଣା

1

ଭୁବନେଶ୍ୱର : ପ୍ରଥମେ ମରୁଡ଼ି, ଚକଡ଼ା ପୋକ। ତା’ ପରେ ଅଦିନିଆ ବର୍ଷା। ଚଳିତ ବର୍ଷ ଏଥିଯୋଗୁ ପାଖାପାଖି ସାଢେ ଆଠ ଲକ୍ଷ ହେକ୍ଚର ଜମିର ଫସଲ ବରବାଦ୍‌ ହୋଇଯାଇଛି। ଯେଉଁଠାରେ ଫସଲ ବର୍ତ୍ତି ଯାଇଛି ସେଠାରେ ବି ଚାଷୀ କ୍ଷତିରେ। ଧାନ ବିକ୍ରି କରିବା ବେଳକୁ କଟ୍‌ନି ଛଟ୍‌ନିରେ କ୍ୱିଣ୍ଟାଲ ପିଛା ୩ରୁ ୪ କେଜି କଟାଯାଉଛି। ଚାଷ ଖର୍ଚ୍ଚକୁ ହିସାବ କଲେ କ୍ୱିଣ୍ଟାଲ ପିଛା ଚାଷୀର କ୍ଷତି ପରିମାଣ ପାଖାପାଖି ୭୯୪ ଟଙ୍କା। ଏସବୁକୁୁ ନେଇ ଜୀବନ-ଜୀବିକା ଲଢେଇରେ ସନ୍ତୁଳି ହେଉଥିବା ଚାଷୀ ପାଇଁ ପୁଣି ଏକ ବଡ଼ ବିପଦ ମାଡ଼ି ଆସିଲାଣି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୭ରୁ ୯ ତାରିଖ ମଧ୍ୟରେ ପୁଣି ଥରେ ବଡ଼ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି।

ଏମିତି ଏକ ସଙ୍ଗିନ ସମୟରେ ରାଜ୍ୟ ସରକାର ଚାଷୀଙ୍କୁ ଭୁତାଇ ଚାଲିଛନ୍ତି। ଆଶା ଦେଖାଇ ପ୍ରତାରଣା କରି ଚାଲିଛନ୍ତି। ପ୍ରତାରଣାର ତାଲିକା ବି ଦିନକୁ ଦିନ ଲମ୍ବିବାରେ ଲାଗିଛି। ଓଡ଼ିଶାରେ କୃଷି ଋଣ ଛାଡ଼ ହେବ ନା ନାହିଁ, ଏ ସଂକ୍ରାନ୍ତରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ କିଛି ମାସ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିିଥିଲେ, ଏହା ସରକାରଙ୍କ ବିଚାରାଧୀନ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ସକାରାତ୍ମକ ଉତ୍ତର ଚାଷୀକୁଳକୁ ଆଶାବାଦୀ କରିଥିଲା। ଏହା ଆହୁରି ବଳିଷ୍ଠ ହୋଇଥିଲା ଯେତେବେଳେ ତତ୍କାଳୀନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ, ସରକାର ଚାଷୀଙ୍କ ସହିତ ଅଛନ୍ତି ଓ କୃଷି ଋଣ ଛାଡ଼ କରିବା କଥା ମଧ୍ୟ ବିଚାରାଧୀନ ରହିଛି। ହେଲେ ମନ୍ତ୍ରୀ ବଦଳି ଯିବା ପରେ ପବନରେ ମିଳାଇ ଯାଇଛି ଏହି ଋଣ ଛାଡ଼ ପ୍ରସଙ୍ଗ।

ବର୍ତମାନର କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ରୋକଠୋକ ଫାଙ୍କୁଛନ୍ତି। ପ୍ରକୃତ ଚାଷୀ ଚିହ୍ନଟ କରାଗଲେ ସେ ନିଜେ ଋଣ ଛାଡ଼ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ କହିବେ ବୋଲି ବିବୃତି ଦେଉଛନ୍ତି। ହେଲେ ପ୍ରକୃତ ଚାଷୀ ଚିହ୍ନଟ କରିବା ଦାୟିତ୍ୱ କ’ଣ ଚାଷୀର?

ପ୍ରତାରଣା କେବଳ ଏତିକି ନୁହେଁ। ୨୦୦୯ରେ ଚାଷୀଙ୍କୁ ମାଗଣା ବିଦ୍ୟୁତ୍‌ ଦେବା ଲାଗି ବିଜେଡି ପକ୍ଷରୁ ନିର୍ବାଚନ ଇସ୍ତାହାରରେ କୁହାଯାଇଥିଲା। କୁଆଡ଼େ ଗଲା? ୩୫% ଜମିକୁ ଜଳସେଚନ ପ୍ରତିଶ୍ରୁତି ବି ସରକାର ଏଯାଏଁ ପୂରଣ କରିପାରିନାହାନ୍ତି। ଶୀତଳଭଣ୍ଡାର ନିର୍ମାଣ କ୍ଷେତ୍ରରେ ସରକାର ଯେମିତି ଫେଲ୍‌ ମାରିଛନ୍ତି, ବିଭିନ୍ନ ପଞ୍ଚାୟତରେ ହୋଇଥିବା କୃଷକ ବଜାର ବି ସେମିତି ଭୁଶୁଡ଼ି ଯାଇଛି। ଏସବୁ ମଧ୍ୟରୁ ଅନେକ ସ୍ଥାନକୁ ଅସାମାଜିକ ବ୍ୟକ୍ତି କବ୍‌ଜା କରିଛନ୍ତି ବା ଏହା ଗାଈ ଗୋରୁଙ୍କ ଆଶ୍ରୟସ୍ଥଳ ପାଲଟିଛି।

ଚାଷୀକୁ ବିହନ ଦେବା କ୍ଷେତ୍ରରେ କୃଷି ବିଭାଗର ବିଫଳତା ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ବେଳେ ଚକଡ଼ା ପୋକ ଘଟଣା ପ୍ରମାଣ କରିଦେଇଛି ଯେ କୀଟନାଶକ ଯୋଗାଣ କ୍ଷେତ୍ରରେ ବି ସରକାର ଫେଲ୍‌ ମାରିଛନ୍ତି। ଚଳିତବର୍ଷ କୀଟନାଶକ ଯୋଗାଣ କ୍ଷେତ୍ରରେ ଡିବିଟି ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। ଚାଷୀ ସୁରଭି କେନ୍ଦ୍ର ବା ଘରୋଇ ଡିଲରଙ୍କ ଠାରୁ କୀଟନାଶକ କିଣିବା କଥା। ମାତ୍ର କାହିଁକି କୀଟନାଶକ ତାଲିକା ପ୍ରକାଶ ପାଇଲା ନାହିଁ ଓ ବିଭାଗର କେଉଁ ଅଧିକାରୀ ଏ ଫାଇଲକୁ ଚାପି ଧରିଲେ ଯେ ବିଜ୍ଞପ୍ତି ବିଳମ୍ବରେ ଅର୍ଥାତ୍‌ ନଭେମ୍ବର ୧ ତାରିଖରେ ପ୍ରକାଶ ପାଇଲା? କାହିଁକି ଚାଷୀ ହାଟରେ ବିକ୍ରି ହେଉଥିବା କୀଟନାଶକ କିଣିବାକୁ ଚାଷୀ ବାଧ୍ୟ ହେଲା? ତାକୁ ସେଠାରେ କିଏ ପରାମର୍ଶ ଦେଇଥାନ୍ତା? ଏ କ୍ଷେତ୍ରରେ ମଧ୍ୟ ଚାଷୀର ସର୍ବନିମ୍ନ ଆବଶ୍ୟକତାକୁ ସରକାର ଗୁରୁତ୍ୱ ଦେଇନାହାନ୍ତି କିମ୍ବା ଦାୟୀ ଅଧିକାରୀ ଅଥବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଚାଷୀ ପ୍ରତି ନିଜର ପ୍ରତିବଦ୍ଧତା ପ୍ରକଟ କରିନାହାନ୍ତି।

ବିଭିନ୍ନ ସୁବିଧା ଦେବାରେ ସରକାର କେବଳ ବିଫଳ ହୋଇଛନ୍ତି ତା ନୁହେଁ, ଗ୍ରାମ୍ୟ କୃଷି କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ବି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଜଣେ ଜଣେ ଗ୍ରାମ୍ୟ କୃଷି କର୍ମଚାରୀ ଏକାଧିକ ପଞ୍ଚାୟତ ଦାୟିତ୍ଵରେ ଅଛନ୍ତି। ସିଂହଭାଗ ପଞ୍ଚାୟତରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ଗୋଟିଏ ଗାଁର ଲୋକେ ଖୋଜିବା ବେଳକୁ ସଂପୃକ୍ତ କର୍ମଚାରୀ ଅନ୍ୟ ଗାଁରେ କାର୍ଯ୍ୟ କରୁଥିବା ବାହାନା ଚାଷୀକୁ ଅଧିକ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଛି।

ଏସବୁକୁ ଲକ୍ଷ୍ୟ କରି ରାଜ୍ୟର ପ୍ରମୁଖ ଚାଷୀ ସଂଗଠନ ‘ନବ ନିର୍ମାଣ କୃଷକ ସଂଗଠନ’ ତିନିଟି ଦାବି ଉପରେ ଗୁରୁତ୍ୱ ଦେଇ ଆସୁଛି। ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌। ସରକାର ଏହା ଉପରେ ବି ଉଁ କି ଚୁଁ କିଛି କହୁନାହାନ୍ତି। ସେମାନଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ରାଜଧାନୀ ରାଜରାସ୍ତାରେ ସେମାନଙ୍କୁ ପୁଲିସ ଲଗାଇ ମାଡ଼ ମାରିଲେ। ଏବେ କୃଷି ମନ୍ତ୍ରୀ ଚାଷୀଙ୍କ ଏସବୁ ଦାବି ପ୍ରତି କଟାକ୍ଷ କରିବା ଆରମ୍ଭ କଲେଣି। ତାଙ୍କୁ କାହିଁକି ସଂଗଠନ ନେତାମାନେ ଭେଟୁନାହାନ୍ତି ବୋଲି ବାରମ୍ବାର କଥା ଉଠାଉଛନ୍ତି।

ଚାଷୀ ଓ ଚାଷକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ସରକାର ଦାବି କରିଆସୁଛନ୍ତି। କ୍ରମାଗତ ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ହାସଲ, ସ୍ୱତନ୍ତ୍ର କୃଷି ବଜେଟ୍‌, କୃଷି କ୍ୟାବିନେଟ୍‌ କଥା କହୁଛନ୍ତି ମନ୍ତ୍ରୀ, ବିଧାୟକ, ଅଫିସର। ଯଦି ଏସବୁ ଠିକ୍‌, ତେବେ ସେହି ସରକାରୀ ପରିସଂଖ୍ୟାନ କେମିତି ସୂଚାଉଛି ଯେ ଓଡିଶାରେ ବଡ, ମଧ୍ୟମ ଓ କ୍ଷୁଦ୍ରଚାଷୀଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ କମୁଛି?

ଯୋଜନା ଓ ସଂଯୋଜନ ବିଭାଗର ତଥ୍ୟ ଅନୁଯାୟୀ, ୨୦୦୫-୦୬ ରେ ହୋଇଥିବା କୃଷି ଗଣନାବେଳେ ରାଜ୍ୟରେ ବଡ ଚାଷୀଙ୍କ ସଂଖ୍ୟା ୧୧ ହଜାର ୪୦୮ ଥିବାବେଳେ ୨୦୧୦-୧୧ କୃଷି ଗଣନା ବେଳକୁ ଏହା ୫୫୭୪ କୁ କମିଆସିଛି । ଅର୍ଥାତ୍‌ ଏହି ଦୁଇ କୃଷିଗଣନା ବର୍ଷ ଭିତରେ ରାଜ୍ୟରେ ବଡଚାଷୀଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ହ୍ରାସପାଇଛି । ସେହିଭଳି ଏହି ଦୁଇ କୃଷି ଗଣନା ବର୍ଷରେ ମଧ୍ୟମ କିସମ ଚାଷୀଙ୍କ ସଂଖ୍ୟା ୧ଲକ୍ଷ ୧୯ ହଜାର ୫୨୯ ରୁ ୬୩ ହଜାର ୬୮୮ କୁ ଖସିଆସିଛି। ଆଂଶିକ ମଧ୍ୟମ ଚାଷୀଙ୍କ ସଂଖ୍ୟା ବି ଏହି ଦୁଇଟି କୃଷିଗଣନା ବର୍ଷ ମଧ୍ୟରେ ୪ଲକ୍ଷ ୭୨ ହଜାର ୧୨୯ ରୁ ୩ ଲକ୍ଷ ୧୧ ହଜାର ୨୬୧ କୁ ହ୍ରାସପାଇଛି ।

କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକରୁ ଦୁଇ ହେକ୍ଟର ଜମିର ଚାଷୀଙ୍କୁ କ୍ଷୁଦ୍ରଚାଷୀ ଓ ୨ ରୁ ୪ ହେକ୍ଟର ଚାଷ କରୁଥିବା ବ୍ୟକ୍ତିଙ୍କୁ ଆଂଶିକ ମଧ୍ୟମ ଚାଷୀ ବୋଲି କୁହାଯାଏ । ସେହିପରି ୪ ରୁ ୧୦ ହେକ୍ଟର ଜମି ଚାଷ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟମ ଚାଷୀ ଭାବେ ଗଣନା କରାଯାଉଥିବାବେଳେ ୧୦ ହେକ୍ଟରରୁ ଅଧିକ ଚାଷ କରୁଥିବା ଲୋକଙ୍କୁ କୃଷି ଗଣନାରେ ବଡଚାଷୀର ଆଖ୍ୟା ଦିଆଯାଇଥାଏ ।

ଜୀବନ ହାରିଲେ ଆଉ ଜଣେ ଚାଷୀ

ବିଷମକଟକ : ଫସଲରେ ପୋକ ଓ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ରାୟଗଡ଼ା ଜିଲ୍ଲାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ବିଷମକଟକ ବ୍ଲକ ଅନ୍ତର୍ଗତ ମାଳିଶିରିପୁର ଗାଁର ୩୫ବର୍ଷୀୟ ନରେନ୍ଦ୍ର ହିକକା। ଗତ ୨୬ ତାରିଖ (ରବିବାର) ସଂଧ୍ୟାରେ ସେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ବିଷମକଟକ ଖ୍ରୀଷ୍ଟିଆନ ମେଡିକାଲରେ ଭର୍ତି କରାଯାଇଥିଲା। ଆଜି ସକାଳ ପ୍ରାୟ ୮ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଚାଷ ପାଇଁ ସେ ବ୍ୟାଙ୍କ ଓ ଜଣେ ମହାଜନଙ୍କ ଠାରୁ ଋଣ ନେଇଥିବା ତାଙ୍କ ପତ୍ନୀ କହିଛନ୍ତି।

ସୂଚନା ଅନୁଯାୟୀ, ନରେନ୍ଦ୍ର ମୋଟ ସାଢେ ୬ଏକର ଜମିରେ ଚାଷ କରିଥିଲେ। ସେଥିରୁ ୩ଏକର ଜମିରେ ଧାନ, ୨ଏକର ଜମିରେ କପା ଓ ବଳକା ଜମିରେ ପରିବା ଲଗାଇଥିଲେ। ଫସଲ ଅମଳ ସମୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ପୋକ ଲାଗି ଧାନ ଫସଲ ନଷ୍ଟ ହୋଇଯାଇଥିଲା। କପା ଗଛରେ ଆଶାନୁଯାୟୀ ଫଳ ଫଳି ନଥିଲା। ସେହିପରି ଫୁଲ କୋବି, ପତ୍ର କୋବି ଓ ବିନ୍‌ସରେ ବି ପୋକ ଲାଗି ଗଛ ମରି ଯାଇଥିଲା। ବଜାରରୁ କୀଟ ନାଶକ ନେଇ ଜମିରେ ବ୍ୟବହାର କରିଥିଲେ।

ତଥାପି ଫସଲ ରକ୍ଷା ନିମନ୍ତେ କରିଥିବା ସମସ୍ତ ପ୍ରୟାସ ବେକାର ଯାଇଥିଲା। ତେଣୁ ମାନସିକ ଚାପରେ ରହିଥିଲେ। ଋଣ ନେଇ ଚାଷ କରିଥିବାରୁ ସୁଝିବା ଚିନ୍ତା ତାଙ୍କୁ ବିବ୍ରତ କରିଥିଲା। ଚାପଗ୍ରସ୍ତ ହୋଇ ଶେଷରେ ଗତ ରବିବାର ଦିନ ସଂଧ୍ୟାରେ ସେ ନିଜ ଚାଷ ଜମି ନିକଟରେ କୀଟନାଶକ ପିଇ ଦେଇଥିଲେ।

ମୃତ ଚାଷୀଙ୍କ ପତ୍ନୀ ରୁନିତାଙ୍କ କହିବା ହେଲା ଚାଷ ପାଇଁ ବ୍ୟାଙ୍କରେ ସୁନା ଗହଣା ବନ୍ଧକ ରଖି ଋଣ ନେଇଥିଲେ। ସେହିପରି ସ୍ଥାନୀୟ ଜଣେ ମହାଜନଙ୍କ ଠାରୁ ବି କିଛି ଟଙ୍କା କରଜ କରିଥିଲେ। ତେବେ କେତେ ଟଙ୍କା ସ୍ୱାମୀ ଋଣ ନେଇଥିଲେ ସେ ଜାଣି ନାହାନ୍ତି। ଫସଲ ନଷ୍ଟ ହେବାରୁ ଗତ ୧୫ଦିନ ହେଲା ଚିନ୍ତାରେ ଥିଲେ। ପରିବାରର ସେ ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ଉପରେ ବୃଦ୍ଧ ବାପା, ମା’ଙ୍କ ସହ ପତ୍ନୀ ଓ ଦୁଇ ପୁଅ ନିର୍ଭର କରୁଥିଲେ। ବର୍ତମାନ ଋଣ ଟଙ୍କା କିଭଳି ସୁଝିବେ ଏବଂ ଦୁଇ ପୁଅଙ୍କୁ କିଭଳି ବଡ କରିବେ ସେହି ଚିନ୍ତାରେ ରହିଛନ୍ତି ପତ୍ନୀ ରୁନିତା।

ଏନେଇ ବିଷମକଟକ କୃଷି ଅଧିକାରୀ ଶିଶିର କୁମାର ବିଶୋୟୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସଂପୃକ୍ତ ଚାଷୀଙ୍କ ଜମିରେ କୌଣସି ପ୍ରକାର ପୋକ ଲାଗି ନଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଫସଲ ଜନିତ କ୍ଷତି ଯୋଗୁଁ ଆତ୍ମହତ୍ୟା ଘଟଣାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ଆସନ୍ତାକାଲି ରାଜସ୍ୱ ବିଭାଗ ଏବଂ କୃଷି ବିଭାଗର ମିଳିତ ତଦନ୍ତ ପରେ ପ୍ରକୃତ ଘଟଣା କ’ଣ ଜଣାପଡିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. R.K.GARTIA says

    Congratulations Sambad for spear heading news dealing with perils of the peasants, a class exploited in all ages. In this new era probably a solutions can be found with a bunch dedicated educated people.
    India seems to be the right place to create history ,more so Odisha .
    Appealing to cruel system will be no use. Other democratic means required. The emergence of a new Gandhi,Mandela or something totally new may emerge that will dwarf Nobel Peace Prize.

    My dream to see that day before saying goodbye to mother earth.