ଉଦ୍ଧାର ଛାତ୍ରୀଙ୍କ ମୃତ୍ୟୁ ଘଟଣା ରହସ୍ୟାବୃତ, ଜଣେ ଅଭିଯୁକ୍ତ ଗିରଫ

ଭଦ୍ରକ/ଧାମନଗର : ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ମୃତ୍ୟୁ ଘଟଣାରେ ଆଜି ଧାମନଗର ଥାନା ହବିବନଗରର ସେକ୍ ଗୋଲାମ ‌ଗସ୍‌ଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତକୁ ଗିରଫ କରିବା ପରେ ଧାମନଗର ଥାନା ପୁଲିସ ମଙ୍ଗଳପୁର ଥାନାକୁ ହସ୍ତାନ୍ତର କରିଛି। ତେବେ ଏହି ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସେକ୍ ନନୋ ଓ ତାର ଅନ୍ୟ ତିନି ସହଯୋଗୀ ଏବେ ବି ଫେରାର ଅଛନ୍ତି।

ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅହିୟାସ ଗ୍ରାମର ନବମ ଶ୍ରେଣୀର ଛାତ୍ରୀ ମୀର ସରାଫତ୍‌ଙ୍କ ଝିଅ ତବସୁନ୍ ଖାତୁନ୍‌ଙ୍କୁ ଗତ ୨ ତାରିଖ ଦିନ ମୁମୂର୍ଷୁ ଅବସ୍ଥାରେ ଧାମନଗର ଡାକ୍ତରଖାନାରେ ଛାଡ଼ି ଦୁଇଜଣ ଯୁବକ ଫେରାର ହୋଇ ଯାଇଥିଲେ। ଯେଉଁ ଦୁଇ ଯୁବକ ତବସୁନ୍‌ଙ୍କୁ ଡାକ୍ତରଖାନା ଆଣଥିଲେ ସେମାନଙ୍କ ଫଟୋ କୌଶଳ କ୍ରମେ ଧାମନଗର ମେଡିକାଲ କର୍ତ୍ତୃପକ୍ଷ ମୋବାଇଲରେ ଉଠାଇ ନେଇଥିଲେ। ତବସୁନ୍‌ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ପରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତବସୁନ୍‌ଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ପରିବାର ଲୋକେ ମଙ୍ଗଳପୁର ଥାନାରେ ଅପହରଣ ଓ ହତ୍ୟା ଅଭିଯୋଗ ଆଣିଥିଲେ। ଧାମନଗର ହବିବନଗର ଅଞ୍ଚଳର ସେକ୍ ନାନୋ ଓ ତାର ଅନ୍ୟ ତିନି ସହଯୋଗୀ ଅପହରଣ ପରେ ତବସୁନ୍‌ଙ୍କୁ ହତ୍ୟା କରିଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ଅପହରଣ ପଛର କାରଣ ତଦନ୍ତ ସାପେକ୍ଷ ହୋଇଥିବାବେଳେ ପୁଲିସ ଏ ମାମଲାଟିକୁ ଆଦୌ ଗୁରୁତ୍ବ ଦେଉନାହିଁ ବୋଲି ସାଧାରଣରେ ଅଭିଯୋଗ ଉଠିଛି।

ସମ୍ବନ୍ଧିତ ଖବର