ବାରବାଟୀ ଟି-୨୦ ପାଇଁ ଆଜିଠୁ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି

କଟକ : ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟି-୨୦ କ୍ରିକେଟ ମ୍ୟାଚ ପାଇଁ ସୋମବାରଠୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ଆରମ୍ଭ ହେବ। www.get2thegames.com େଓ୍ଵବସାଇଟ୍‌ରେ ଏଥର ୯୧୩୦ ଟିକେଟ ବିକ୍ରି ପାଇଁ ଛଡ଼ାଯାଇଥିବା ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ସୂଚନା ଦେଇଛନ୍ତି। ଗ୍ୟାଲେରୀ ନମ୍ବର ୨, ୪, ୬, ୭, ସ୍ପେଶାଲ ଏନ୍‌କ୍ଲୋଜୋର୍‌ ବ୍ଲକ୍‌ ଏ’, ନିଉ ପାଭିଲିଅନ୍‌, ୪ନମ୍ବର ଏସି ଗ୍ୟାଲେରୀ ଓ କର୍ପୋରେଟ ବକ୍ସ ଟିକେଟ ଅନ୍‌ଲାଇନ୍‌ରେ ବିକ୍ରି ହେବ। ଗ୍ୟାଲେରୀ ନମ୍ବର ୬ ଓ ୭ ର ଟିକେଟ ଦର ୪୦୦ ଟଙ୍କା, ଗ୍ୟାଲେରୀ ୨ ଓ ୪ ର ଦର ୫୦୦ ଟଙ୍କା, ସ୍ପେଶାଲ ଏନ୍‌କ୍ଲୋଜୋର୍‌ ୩ହଜାର, ନିଉ ପାଭିଲିଅନ୍‌ ଓ ଏସି ଗ୍ୟାଲେରୀ ୫ହଜାର ଏବଂ କର୍ପୋରେଟ ବକ୍ସ ଟିକେଟ ୮ଜହାର ଟଙ୍କାରେ ବିକ୍ରି ହେବ। ଅନ୍‌ଲାଇନ୍‌ରେ କିଣୁଥିବା ଦର୍ଶକମାନେ ଡିସେମ୍ବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ କେମ୍ବ୍ରିଜ୍‌ ସ୍କୁଲ୍‌ ପାଖରେ ଖୋଲାଯାଇଥିବା କାଉଣ୍ଟରରୁ ଟିକେଟ ସଂଗ୍ରହ କରିପାରିବେ ବୋଲି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଗତବର୍ଷ ୮୩୧୦ ଟିକେଟ ଅନ୍‌ଲାଇନ୍‌ରେ ବିକ୍ରି କରାଯାଇଥିଲା।

ଡିସେମ୍ବର ୧୪ ତାରିଖରୁ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହେବ। ପ୍ରଥମ ଦୁଇଦିନ ଓସିଏ ଅନୁବନ୍ଧିତ ସଂସ୍ଥାମାନଙ୍କ ପାଇଁ ଉଦ୍ଧିଷ୍ଟ ରହିବ। ସକାଳ ୧୦ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଓସିଏ କନ୍‌ଫରେନ୍ସ ହଲ୍‌ରେ ଟିକେଟ ବିକ୍ରି ହେବ। ମୋଟ ୩୨,୪୦୩ ଟିକେଟ ଛପାଯାଉଥିବାବେଳେ ସେଥିମଧ୍ୟରୁ ୨୨,୦୪୧ ଟିକେଟ ସାଧାରଣ ଲୋକଙ୍କ ପାଇଁ ଏବଂ ୧୦,୩୬୨ ଟିକେଟ ବିସିସିଆଇ ପ୍ରାୟୋଜକ ଓ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କ ଉଦ୍ଧିଷ୍ଟ ରହିବ। ଓସିଏ ଓ ବିସିସିଆଇ ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ବିକ୍ରି ଟିକେଟରୁ ବକଳା ଗୁଡ଼ିକ ୧୬ ତାରିଖଠୁ କାଉଣ୍ଟରରେ ବିକ୍ରି କରାଯିବ। ସକାଳ ୯ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ତିନୋଟି କାଉଣ୍ଟରରେ ସମସ୍ତ ଟିକେଟ ଗୁଡ଼ିକ ବିକ୍ରି ହେବ। ସୁରକ୍ଷା ଜନିତ କାରଣ ପାଇଁ ଟିକେଟରେ ବାର୍‌କୋଡ୍‌ ଓ ହୋଲୋଗ୍ରାମ୍‌ ରହିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର