ବେଦବ୍ୟାସ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା : ଡିଆଇଜି ଅଫିସ ଆଗରେ ବିକ୍ଷୋଭ, କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି

ରାଉରକେଲା : ବେଦବ୍ୟାସ କଲେଜରେ ପଢ଼ୁଥିବା କୁଆରମୁଣ୍ଡା ବ୍ଲକ ଅଣ୍ଡାଳି ଜାମବାହାଲର ଜଣେ ନାବାଳିକା ଛାତ୍ରୀଙ୍କୁ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା କିର୍ମିରା ବ୍ଲକ କୁବାପଡ଼ାର ରଞ୍ଜିତ ବାଗ ନାମକ ଯୁବକ ପ୍ରେମ ଜାଲ୍‌ରେ ଫସାଇ ଗାଁକୁ ନେଇ ଦୁଷ୍କର୍ମ କରିବା ପରେ ନିର୍ମମ ଭାବେ ହତ୍ୟା କରିଥିଲା। ଅଗଷ୍ଟ ୨୪ ତାରିଖରେ ସଂଘଟିତ ଏହି ଘଟଣାର ୫ ଦିନ ପରେ ୨୯ରେ ଲାଇକେରା ପୁଲିସ ଗାଁ ପାଖ ଏକ ଚାଷ ଜମିରୁ ଛାତ୍ରୀଙ୍କ ଗଳିତ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରିଥିଲା। ଅନ୍ୟପଟେ ସେହିଦିନ ହିଁ ପୁଲିସ ଅଭିଯୁକ୍ତ ପ୍ରେମିକ ରଞ୍ଜିତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ବେଦବ୍ୟାସରୁ ଛାତ୍ରୀ ଜଣକ ଦେଢ଼ଶହ କିଲୋମିଟର ଦୂର କୁବାପଡ଼ାକୁ ଯିବା ଓ ସେଠାରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହେବା ଘଟଣାକ୍ରମ ଅନୁସାରେ କେବଳ ଏକା ରଞ୍ଜିତ ନୁହେଁ, ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତ ରହିଛି ଓ ଏଥିରେ ପୁଲିସ ଉପଯୁକ୍ତ ତଦନ୍ତ କରିନାହିଁ ବୋଲି ଅଣ୍ଡାଳି ଜାମବାହାଲ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି ଓ ସେ ଗର୍ଭବତି ଥିଲେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହି କ୍ରମରେ ଆଜି ଅଣ୍ଡାଳି ଜାମବାହାଲ ଅଞ୍ଚଳର ଶତାଧିକ ଆଦିବାସୀ ରାଉରକେଲା ଡିଆଇଜି ଅଫିସ ଘେରାଉ କରିବା ସହ ଏହି ସମ୍ବେଦନଶୀଳ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପୂର୍ବକ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର