ଜୋ’ ବାଇଡେନ୍ଙ୍କୁ ହତ୍ୟା କରିବା ଲାଗି ଉଦ୍ୟମ କରିଥିବା ତରୁଣ ଟ୍ରକ୍ ଚାଳକ ରଖିଥିଲେ ‘ନାଜି’ ପତାକା
ୱାସିଂଟନ୍: ହ୍ବାଇଟ୍ହାଉସ୍ ସୁରକ୍ଷା ‘ବାରିୟର୍’ରେ ଗୋଟାଏ ‘ୟୁ-ହାଲ୍’ ଟ୍ରକ୍କୁ ଧକ୍କା କରାଇଥିବା ଜଣେ ‘ନାଜି’ ପତାକାଧାରୀ ୧୯ ବର୍ଷିୟ ତରୁଣ ଡ୍ରାଇଭର୍ଙ୍କୁ ଗିରଫ କରାଯାଇଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ ନାଁ’ରେ ରାଷ୍ଟ୍ରପତି ବାଇଡେନ୍ଙ୍କୁ ହତ୍ୟା କରିବା ଅଥବା ତାଙ୍କର କିଛି କ୍ଷତି କରିବା ଲାଗି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ୟୁ. ଏସ୍. ପାର୍କ ପୁଲିସ କହିଛି, ସୋମବାର ଠିକ୍ ରାତି ୧୦ଟା ପୂର୍ବରୁ ଲେଫାୟେଟି ପାର୍କ ବାହାରେ ଥିବା ସୁରକ୍ଷା ବାଡ଼ାରେ (ବୋଲାର୍ଡ) ଉକ୍ତ ତରୁଣ ଚାଳକ ଜାଣିଶୁଣି ଧକ୍କା ଦେଇଥିଲେ। କିନ୍ତୁ, ଏହି ଦୁର୍ଘଟଣାରେ କେହି ଆହତ ହୋଇ ନାହାନ୍ତି।
ପୁଲିସ ଉକ୍ତ ଟ୍ରକ୍କୁ ତଲାସ କରିବା ସମୟରେ ସେଥିରୁ ଗୋଟାଏ ଲାଲ୍ ଓ କଳା ‘ସ୍ବସ୍ତିକ’ ସଙ୍କେତ ଥିବା ପତାକା ମିଳିଛି।
ଗିରଫ ଟ୍ରକ୍ ଚାଳକ ମିଜୁରି ଅନ୍ତର୍ଗତ ଚେଷ୍ଟର୍ଫିଲ୍ଡ୍ ବାସିନ୍ଦା ଭାରତୀୟ ବଂଶୋଦ୍ଭବ ୧୯ ବର୍ଷିୟ ସାଇ ବର୍ଷିତ କଣ୍ଡୁଲା ବୋଲି ଚିହ୍ନଟ କରାଯାଇଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି।
ତାଙ୍କ ନାଁରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଅଥବା ତାଙ୍କ ପରିବାର କୌଣସି ସଦସ୍ୟଙ୍କୁ ହତ୍ୟା ଧମକ ଦେବା ଓ ଅପହରଣ କରିବା ଅଭିଯୋଗ ଦାଏର କରାଯାଇଥିବା କଥା ଜଣେ ‘ସିକ୍ରେଟ୍ ସର୍ଭିସ୍’ ପ୍ରତିନିଧି କହିଛନ୍ତି। ଏକାଧିକ ଆଇନ ପ୍ରଣୟନକାରୀ ଏଜେନ୍ସିଙ୍କ ଆଗରେ ସାଇ ଦେଇଥିବା ବୟାନକୁ ଭିତ୍ତି କରି ତାଙ୍କ ନାମରେ ଏଭଳି ଅଭିଯୋଗ କରାଯାଇଛି।
ସରୁକ୍ଷା ବାରିୟର୍କୁ ଉକ୍ତ ଟ୍ରକ୍ ଧକ୍କା ଦେବା ବେଳେ ରାଷ୍ଟ୍ରପତି ଜୋ’ ବାଇଡେନ୍ ହ୍ବାଇଟ୍ ହାଉସ୍ରେ ଥିଲେ ବୋଲି ମଙ୍ଗଳବାର ଦିନ ‘ପ୍ରେସ୍ ସଚିବ’ କେରାଇନ୍ ଜନି-ପାଇରି କହିଛନ୍ତି।