ଲୁଣ୍ଠନ, ଅବୈଧ ବିକ୍ରୟ ଏବଂ ଚୋରା ଚାଲାଣ ଆଦି ଦ୍ବାରା ଦେଶାନ୍ତର ହୋଇଥିବା ଅତ୍ୟନ୍ତ ମୂଲ୍ୟବାନ ଓ ଦୁର୍ଲଭ ଐତିହ୍ୟ ସଂପଦମାନର ସ୍ବଦେଶ ପ୍ରତ୍ୟାବର୍ତ୍ତନ ସକାଶେ ଗଲା ସପ୍ତାହରେ ପାର୍ଲାମେଣ୍ଟରେ ଉପସ୍ଥାପିତ ‘ସଂସଦୀୟ ଷ୍ଟାଣ୍ଡିଂ କମିଟି’ର ଏକ ଦୀର୍ଘ ରିପୋର୍ଟରେ କରାଯାଇଥିବା ସୁପାରିସ ପରେ ବିଶ୍ବ ବିଖ୍ୟାତ ଅତୁଲ୍ୟ ହୀରକ ‘କୋହୀନୁର’ର ଘର ବାହୁଡ଼ା ନେଇ ପୁଣି ଥରେ ଆଶା ସଂଚାରିତ ହୋଇଛି। ପ୍ରକାଶ ଥାଉ କି ଏହି ସମ୍ବନ୍ଧରେ ମୃଦୁ ଆଲୋଚନା ଗଲା କିଛି ବର୍ଷ ଧରି ଚାଲି ଆସିଛି। ଏହି ରିପୋର୍ଟରେ ବ୍ରିଟିସ ଔପନିବେଶିକ ଶାସକମାନଙ୍କ ଦ୍ବାରା ବିଦେଶ ଚାଲାଣ ହୋଇଯାଇଥିବା ବିଭିନ୍ନ ଐତିହ୍ୟ ବିଭବର ଉଲ୍ଲେଖ ଥିବା ବେଳେ କେବଳ ‘କୋହୀନୁର’ ଏକ ସ୍ବତନ୍ତ୍ର ଅଧ୍ୟାୟ ମଣ୍ଡନ କରିଛି, ଠିକ୍ ଯେମିତି ବ୍ରିଟେନ୍ ‘ରାଜମୁକୁଟର ମଣି’ ଭାବେ ଏହା ସଂପ୍ରତି ଶୋଭା ପାଇଥାଏ। କହିବାରେ ଦ୍ବିଧା ନାହିଁ ଯେ କୋହୀନୁରକୁ ଫେରସ୍ତ ଦେବା ଔପନିବେଶିକ ଲୁଣ୍ଠନ ପରିପ୍ରେକ୍ଷୀରେ ବ୍ରିଟେନ୍ ଲାଗି ଏକ ଯଥାର୍ଥ ପଶ୍ଚାତ୍ତାପ ହୁଅନ୍ତା; କିନ୍ତୁ ‘କୋହୀନୁର’ ଭଳି ପ୍ରଶ୍ନାତୀତ ଭାବେ ଆକର୍ଷଣୀୟ, ଜାନ୍ତବ-ଲୋଭ ଉଦ୍ରେକକାରୀ ନିର୍ବିକଳ୍ପ ରତ୍ନ ପଥରକୁ ଫେରାଇ ଦେବା ଯେ ସେହି ରାଷ୍ଟ୍ର ସକାଶେ ଆଦୌ ଏକ ସହଜ ବ୍ୟାପାର ହେବନାହିଁ, ତାହା ମଧ୍ୟ ହୃଦ୍ବୋଧ କରି ହୋଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଥାଉ କି ଐତିହ୍ୟ ବିଭବର ଲୁଣ୍ଠନ ଏବଂ ଚାଲାଣକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିଶାଳ ବେଆଇନ କଳାବଜାରକୁ ପ୍ରତିହତ କରିବା ଲାଗି ୧୯୭୦ ମସିହାରେ ‘ୟୁନେସ୍କୋ କନ୍ଭେନସନ୍’ର ଆତ୍ମପ୍ରକାଶ ଘଟିଥିଲା। ଏହାର ଧାରା ‘୭’ରେ କୁହାଯାଇଛି ଯେ ୧୯୭୦ ମସିହା ପରବର୍ତ୍ତୀ କାଳରେ ଦେଶାନ୍ତର ହୋଇଥିବା ଏଭଳି ବିଭବଗୁଡ଼ିକ ସେଗୁଡ଼ିକର ମୂଳ ରାଷ୍ଟ୍ରଗୁଡ଼ିକୁ ପ୍ରତ୍ୟାବର୍ତ୍ତନ କରିବା ଆଇନତଃ ବାଧ୍ୟତାମୂଳକ ହେବ। ତେଣୁ ‘କୋହୀନୁର’ ଫେରସ୍ତ ନେଇ ୨୦୧୪ ମସିହାରେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଯେଉଁ କାରଣରୁ ଅକ୍ଷମତା ପ୍ରକାଶ କରାଯାଇଥିଲା, ତାହା ହେଲା ୧୮୪୯ ମସିହାରୁ ଏହି ହୀରକ ପଥରଟି ବ୍ରିଟେନ୍ ଚାଲି ଯାଇଛି, ଯାହା ଘଟିଛି ୧୯୭୦ ମସିହାର ପ୍ରାୟ ଶହେ କୋଡ଼ିଏ ବର୍ଷ ପୂର୍ବରୁ! ତେବେ, ସଦ୍ୟ ଉପସ୍ଥାପିତ ‘ଷ୍ଟାଣ୍ଠିଂ କମିଟି’ ରିପୋର୍ଟରେ ସେହି ‘ୟୁନେସ୍କୋ କନ୍ଭେନସନ୍’ର ଧାରା ‘୧୫’କୁ ଦର୍ଶାଯାଇଛି, ଯହିଁରେ କୁହାଯାଇଥିଲା ଯେ ୧୯୭୦ ମସିହା ପୂର୍ବରୁ ବିଦେଶ ଚାଲାଣ ହୋଇଯାଇଥିବା ଐତିହ୍ୟ ବିଭବଗୁଡ଼ିକୁ ଫେରସ୍ତ ପାଇବା ଲାଗି ରାଷ୍ଟ୍ରଗୁଡ଼ିକ ପାରସ୍ପରିକ ଆଲୋଚନା ଏବଂ ସହମତିର ମାର୍ଗ ଗ୍ରହଣ କରି ପାରନ୍ତି, ଯାହାର ଉପଯୋଗ କରି ତୁର୍କୀ ତା’ର ପ୍ରାଚୀନ ସ୍ପିଙ୍କସ ବା ନାଇଜେରିଆ ତା’ର ବେନିନ୍ ବ୍ରୋଂଜ୍ କଳାକୃତିମାନ ଫେରସ୍ତ ପାଇଲେଣି। ସେହି ଦୃଷ୍ଟିରୁ ‘କୋହୀନୁର’ର ସ୍ବଦେଶ ପ୍ରତ୍ୟାବର୍ତ୍ତନ ନେଇ ସମ୍ଭାବନାର ସମସ୍ତ ଦ୍ବାର େଯ ନିବୁଜ, ତାହା ମଧ୍ୟ ନୁହେଁ!
ଏହି ମର୍ମରେ ଭାରତରୁ ‘ଟୱାର ଅଫ୍ ଳଣ୍ଡନ’ ପର୍ଯ୍ୟନ୍ତ ‘କୋହୀନୁର’ର ଦୀର୍ଘ ଓ ଅଙ୍କାବଙ୍କା ଯାତ୍ରାର ରୋଚକ କାହାଣୀ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ। କେତେକ ବିଦ୍ବାନ ଦାବି କରନ୍ତି ଯେ ଖ୍ରୀଷ୍ଟପୂର୍ବ ୩୨୦୦ର ଏକ ସଂସ୍କୃତ ପୋଥିରେ ବର୍ଣ୍ଣିତ ରତ୍ନ ପଥର ହେଉଛି ‘କୋହୀନୁର’, ଯଦିଓ ତାହା ସାଧାରଣ ଭାବେ ଗ୍ରହଣଯୋଗ୍ୟ ହୋଇ ନ ଥାଏ। ଅନେକ ଐତିହାସିକ କହିଥାଆନ୍ତି ଯେ ୧୩୦୪ ମସିହାରେ ଆଲ୍ଲଉଦ୍ଦିନ ଖିଲଜି ଏହାକୁ ମାରୱାରର ରାଜାଙ୍କ ଠାରୁ ଲାଭ କରିଥିଲେ; ଅନ୍ୟ ଏକ ମତାନୁସାରେ ପ୍ରଥମ ପାନିପଥ ଯୁଦ୍ଧ ପରେ ଗୋଆଲିଅରର ଶାସକ ଏହାକୁ ମୋଗଲ ସମ୍ରାଟ ବାବରଙ୍କୁ ପ୍ରଦାନ କରିଥିଲେ, ଯେଉଁ ସମୟ କାଳ ଥିଲା ୧୫୨୬ ମସିହା; ଆଉ କେତେକ ମତ କହିଥାଏ ଯେ ଗୋଲକୋଣ୍ଡାର ପ୍ରସିଦ୍ଧ ହୀରା ଖଣିରୁ ଉତ୍ତୋଳିତ ଏହି ଅପୂର୍ବ ରତ୍ନ ପଥରଟିକୁ ମୋଗଲ ସମ୍ରାଟ ଶାହଜାହନଙ୍କୁ ଅର୍ପଣ କରାଯାଇଥିଲା। ତେବେ, ଏଥିରେ କୌଣସି ମତାନୈକ୍ୟ ନାହିଁ ଯେ ‘କୋହୀନୁର’ର ପ୍ରାପ୍ତି ସ୍ଥଳ ହେଉଛି ଭାରତ।
ପ୍ରକାଶ ଥାଉ କି ୧୬୫୦ ମସିହା ସୁଦ୍ଧା ‘କୋହୀନୁର’ ମୋଗଲ ସମ୍ରାଟ ଶାହଜାହାନଙ୍କ ନିକଟରେ ଥିଲା। ୧୭୩୯ ମସିହାରେ ନାଦିର ଶାହଙ୍କ ଦ୍ବାରା ପୈଶାଚିକ ଦିଲ୍ଲୀ ଲୁଣ୍ଠନ କାଳରେ ମୋଗଲ ସମ୍ରାଟ ଶାହଜାହାନଙ୍କ ମୟୂର ସିଂହାସନ ସହିତ ତା’ର ଶୀର୍ଷ ଭାଗରେ ଖଚିତ ‘କୋହୀନୁର’ ମଧ୍ୟ ଦେଶାନ୍ତରୀ ହୋଇ ହେରାଟ (ଆଫଗାନିସ୍ତାନ) ଚାଲିଯାଇଥିଲା। ଏହାର ଦଶ ବର୍ଷ ପରେ ନାଦିର ଶାହଙ୍କ ଦେହାନ୍ତ ଉତ୍ତାରେ ତାଙ୍କ ସେନାପତି ଅହମଦ ଶାହ ଏହାକୁ ନିଜ ଅକ୍ତିଆରରେ ରଖିଥିଲେ। ୧୮୩୦ ମସିହାରେ ଅହମଦ ଶାହଙ୍କ କୌଣସି ଜଣେ ବଂଶଜ ‘କୋହୀନୁର’କୁ ଆଣି ପଞ୍ଜାବର ଶିଖ ରାଜା ରଣଜିତ ସିଂହଙ୍କୁ ସମର୍ପଣ କରିଥିଲେ, ଯାହା ତାଙ୍କ ଅନ୍ତେ ତାଙ୍କ ନାବାଳକ ଉତ୍ତରାଧିକାରୀ ଦୁଲୀପ ସିଂହଙ୍କ ଠାରୁ ୧୮୪୯ ମସିହାରେ ଭାରତର ତତ୍କାଳୀନ ବଡ଼ଲାଟ ଲର୍ଡ ଡେଲହାଉସୀ ବଳପୂର୍ବକ ନେଇଯାଇ ବ୍ରିଟେନ୍ ପଠାଇ ଦେଇଥିଲେ; ଯାହା ଅବଳୀଲା କ୍ରମେ ୧୯୩୭ ମସିହାରେ ଇଂଲାଣ୍ଡର ରାଜମୁକୁଟରେ ଖଚିତ ପ୍ରଧାନ ମଣିରେ ପରିଣତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୦୨ ମସିହାରେ ବ୍ରିଟେନ୍ ରାଜମାତା ଏଲିଜାବେଥଙ୍କ ଶେଷକୃତ୍ୟ ବେଳେ ଏହାକୁ ଶେଷ ଥର ଲାଗି ପ୍ରକାଶ୍ୟରେ ଦେଖିବାକୁ ମିଳିଥିଲା।
ଏଠାରେ ପ୍ରଣିଧାନଯୋଗ୍ୟ ଯେ ୨୦୨୩ ମସିହାରେ ବ୍ରିଟେନ୍ ରାଜା ତୃତୀୟ ଚାର୍ଲସଙ୍କ ରାଜ୍ୟାଭିଷେକ ସମୟରେ ତାଙ୍କରି ଆଗ୍ରହ କ୍ରମେ ‘କୋହୀନୁର’ ଖଚିତ ମୁକୁଟକୁ ସେହି ଉତ୍ସବରୁ ଦୂରେଇ ରଖାଯାଇଥିଲା। ଏହାର ଉଦ୍ଦେଶ୍ୟ ସମ୍ଭବତଃ ଏହା ଥିଲା ଯେ ଭାରତ ଭଳି ଔପନିବେଶିକ ଶାସନ ଦ୍ବାରା କ୍ଷତାକ୍ତ ରାଷ୍ଟ୍ରରେ ‘ଔପନିବେଶିକ ଲୁଣ୍ଠନ’କୁ କେନ୍ଦ୍ର କରି ସୃଷ୍ଟ ବିବାଦ ଓ ବିତର୍କକୁ ଅଧିକ ଘନୀଭୂତ ନ କରିବା। ତେବେ ମାୟାବିନୀ ‘କୋହୀନୁର’ ଇଂଲାଣ୍ଡ ଉପରେ କିଭଳି କିମିଆ କରିଛି, ତାହା ୨୦୧୦ରେ ଇଂଲାଣ୍ଡର ତତ୍କାଳୀନ ପ୍ରଧାନମନ୍ତ୍ରୀ ଡେଭିଡ୍ କାମେରୋନ୍ଙ୍କ ଦ୍ବାରା ପ୍ରଦତ୍ତ ଏକ ଉକ୍ତିରୁ ସ୍ପଷ୍ଟ, ଯାହା କହିଥିଲା କୋହୀନୁର ଫେରାଇ ଦେବାକୁ ଇଂଲାଣ୍ଡ ପ୍ରସ୍ତୁତ ହୋଇଗଲେ ଲଣ୍ଡନ ମ୍ୟୁଜିଅମ ଶୂନ୍ୟ ହୋଇଯିବା! ସେହି ଦୃଷ୍ଟିରୁ ‘କୋହୀନୁର’ର ପ୍ରତ୍ୟାବର୍ତ୍ତନ ବିଷୟଟି ଇଂଲାଣ୍ଡରେ ଯେ ଏକ ଆବେଗିକ ପ୍ରସଙ୍ଗ ହୋଇ ଉଠିପାରେ, ତହିଁରେ ଦ୍ବିରୁକ୍ତି ନାହିଁ।
ସଂପ୍ରତି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଜଣେ ଭାରତୀୟ ବଂଶଜ କ୍ଷମତାସୀନ ହୋଇଥିବାରୁ ତଥା ଶାସକ ‘ଟୋରି’ (ରକ୍ଷଣଶୀଳ) ଦଳରେ ଭାରତୀୟ ମୂଳୋଦ୍ଭବ ରାଜନେତାଙ୍କ ପ୍ରଭାବ ଥିବାରୁ ଅନେକ ଆଶା କରିଥାନ୍ତି ଯେ ‘କୋହୀନୁର’ର ସ୍ବଦେଶ ପ୍ରତ୍ୟାବର୍ତ୍ତନରେ ଏହା ସହାୟକ ହୋଇପାରେ। ସେମାନେ ମନେ କରନ୍ତି ଯେ ‘ୟୁନେସ୍କୋ କନଭେନସନ’ର ଧାରା ‘୧୫’ ଅନୁସାରେ ଏ ସଂପର୍କରେ ଆଲୋଚନା ଆରମ୍ଭ ହେଲେ ‘କୋହୀନୁର’ ଫେରସ୍ତ ଲାଗି ଦ୍ବାର ଉନ୍ମୁକ୍ତ ହୋଇଯିବ। କିନ୍ତୁ, ଏକ ବାସ୍ତବତା ହେଲା ‘ଟୋରି’ ଦଳର ଭାରତୀୟ ବଂଶଜ ନେତାଗଣ ଭାରତୀୟ ସାଂସ୍କୃତିକ ପରଂପରାକୁ ଅନୁସରଣ କରୁଥିଲେ ହେଁ ରାଷ୍ଟ୍ର ପ୍ରତି ଆନୁଗତ୍ୟରେ କୌଣସି ବ୍ରିଟିସ୍ଙ୍କ ଠାରୁ ଊଣା ନୁହନ୍ତି। ତେଣୁ ଏଭଳି ଆଲୋଚନାରେ ସହସା କୌଣସି ସହଜ ନିଷ୍କର୍ଷ ବାହାରି ନ ପାରେ! ତେବେ, କେତେକ ୟୁରୋପୀୟ ଦେଶ ସେମାନଙ୍କ ଅତୀତର ‘ଔପନିବେଶିକ ପାପ’ ଲାଗି ପଶ୍ଚାତ୍ତାପ ସ୍ବରୂପ କ୍ଷମା ଯାଚନା ମଧ୍ୟ କଲେଣି, ଯେମିତି ନିକଟରେ ଡଚ୍ ଇଷ୍ଟ ଇଣ୍ଡିଆ କଂପାନିର ଅପକର୍ମ ସକାଶେ ବର୍ତ୍ତମାନର େନଦରଲାଣ୍ଡ ରାଜା ୱିଲିଅମ ଆଲେକଜାଣ୍ଡର କରିଛନ୍ତି। ବ୍ରିଟେନ୍ରେ ଯଦି ଏଭଳି ପଶ୍ଚାତ୍ତାପ ସକାଶେ ବିବେକର ଡାକ ଉଠିବ, ତେବେ ହୁଏ’ତ ‘କୋହୀନୁର’ର ଘର ବାହୁଡ଼ା ସହଜସାଧ୍ୟ ହେବ। କୁହାଯାଏ ଯେ ବ୍ରିଟିସମାନେ ଅନେକ ସମୟରେ ସ୍ବ-ଦୋଷଦର୍ଶୀ ହେବାରେ ଭାବପ୍ରବଣତା ପ୍ରକାଶ କରି ନ ଥାଆନ୍ତି। ସୁତରାଂ, ଡେଭିଡ୍ କାମେରୋନ ତୁଲ୍ୟ ଆବେଗ ପ୍ରଦର୍ଶନ ନ କରି ଯଦି ବ୍ରିଟିସମାନେ ଡଚ୍ ରାଜାଙ୍କୁ ଅନୁସରଣ କରନ୍ତି, ତେବେ ‘କୋହୀନୁର’ ଅବଶ୍ୟ ଘରକୁ ବାହୁଡ଼ିବ ଏବଂ ଏଭଳି ହେଲେ ବ୍ରିଟିସଙ୍କ ପଶ୍ଚାତ୍ତାପର ଔଜ୍ଜ୍ବଲ୍ୟ ‘ମୁକୁଟର ମଣି’ ଠାରୁ ବି ଅଧିକ ଝଟକିବ!