ସ୍ମାର୍ଟଫୋନ୍‌ ଓ ଶୈଶବ

ଓଡ଼ିଶା ଡାଏରି - ଗୌରହରି ଦାସ

କିଛି ଦିନ ତଳେ ଡିଏଭି ବିଦ୍ୟାଳୟ ସମୂହ, ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଚନ୍ଦ୍ର ଶତପଥୀ ଯେଉଁ କଥାଟି କହିଥିଲେ ଏବେ ‘ୟୁନେସ୍କୋ’ ସେହି କଥା ପରାମର୍ଶ ଦେଇଥିବା ନିଶ୍ଚୟ ତାତ୍ପର୍ଯ୍ୟର ବିଷୟ। ‘ୟୁନେସ୍କୋ’ (ୟୁନାଇଟେଡ୍‌ ନେସନ୍‌ସ ଏଜୁକେସନାଲ, ସାଇଣ୍ଟିଫିକ ଆଣ୍ଡ କଲ୍‌ଚରାଲ ଅର୍ଗାନାଇଜେସନ) ମିଳିତ ଜାତିସଂଘର ଏକ ସହଯୋଗୀ ସଂସ୍ଥା ଯାହା ଏହାର ସଭ୍ୟ ରାଷ୍ଟ୍ରଗୁଡ଼ିକୁ ସାଂସ୍କୃତିକ ଏବଂ ବିଜ୍ଞାନ ସମ୍ବନ୍ଧୀୟ ପରାମର୍ଶ ଦେବା ସହ ଏ ରାଷ୍ଟ୍ରଗୁଡ଼ିକର ବୌଦ୍ଧିକ ଗତିବିଧି ଉପରେ ଦୃଷ୍ଟି ରଖିଥାଏ। ଚଳିତ ସପ୍ତାହରେ ଭାରତର ଗଣମାଧ୍ୟମଗୁଡ଼ିକରେ ପ୍ରକାଶିତ ‘ୟୁନେସ୍କୋ’ର ପ୍ରସ୍ତାବ ହେଉଛି ଯେ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ସ୍ମାର୍ଟଫୋନ ବ୍ୟବହାରକୁ ନିଷିଦ୍ଧ କରାଯାଉ। ଡିଏଭି ସ୍କୁଲ ସମୂହର ‌ଓଡ଼ିଶା ଆଞ୍ଚଳିକ ନିର୍ଦ୍ଦେଶକ ଏବଂ ଅଭିଜ୍ଞ ଶିକ୍ଷକ ପାଦେ ଆଗକୁ ଯାଇ ସପ୍ତାହର ଗୋଟିଏ ଦିନ ତାଙ୍କ ଅଧୀନରେ ଥିବା ସ୍କୁଲଗୁଡ଼ିକ ପରିସରରେ ସ୍ମାର୍ଟଫୋନ ସମେତ ସବୁ ପ୍ରକାର ମୋବାଇଲ ଫୋନ୍‌ର ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି।

‘ୟୁନେସ୍କୋ’ର ପର୍ଯ୍ୟବେକ୍ଷଣରୁ ଜଣାପଡ଼ିଛି ଯେ ସ୍ମାର୍ଟଫୋନ ବ୍ୟବହାର ପିଲାଙ୍କର ‌େବୗଦ୍ଧିକ ସାମର୍ଥ୍ୟ ବୃଦ୍ଧି କରାଉ ନାହିଁ ବରଂ ହ୍ରାସ କରାଉଛି। ଅଧିକ ସମୟ ଧରି ମୋବାଇଲ ଫୋନ୍‌ ଧରି ବସିବା ଦ୍ବାରା ପିଲାମାନଙ୍କର ମାନସିକ ସୁସ୍ଥତା ଓ ସ୍ଥିରତା ପ୍ରଭାବିତ ହେଉଛି। ସ୍ମାର୍ଟଫୋନ୍‌ ଦ୍ବାରା କ’ଣ ଉପକାର ମିଳିଛି ସେକଥା ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ଏହାଦ୍ବାରା କ’ଣ କ’ଣ ସବୁ କ୍ଷତି ହୋଇଛି ତାହା ଜଣା ପଡ଼ିସାରିଲାଣି। ସ୍ମାର୍ଟଫୋନ୍‌ର ଦୀର୍ଘସମୟ ବ୍ୟବହାର କୋମଳମତି ଛାତ୍ରଛାତ୍ରୀଙ୍କ ପାଇଁ ଅ‌ାବେଗିକ ସମସ୍ୟା ସୃଷ୍ଟି କରୁଥିବା ମଧ୍ୟ ‘ୟୁନେସ୍କୋ’ ଦର୍ଶାଇଛି। ‘ୟୁନେସ୍କୋ’ର ‘ଗ୍ଲୋବାଲ ଏଜୁକେସନ ମନିଟରିଙ୍ଗ ରିପୋର୍ଟ ୨୦୨୩’ରେ ଉଲ୍ଲେଖ କରାଯାଇଛି ଯେ ଆଉ ବିଳମ୍ବ କରାନଯାଇ ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟଫୋନ୍‌ ବ୍ୟବହାରକୁ ନିଷିଦ୍ଧ କରାଯାଉ। ୧୪ଟି ଦେଶରେ ସଂପନ୍ନ ଏକ ସର୍ଭେରୁ ଜଣାପଡ଼ିଛି ଯେ ସ୍ମାର୍ଟଫୋନ୍‌ ବ୍ୟବହାର ସୁଯୋଗ ଥିବା ପିଲାଏ ଖରାପ ପ୍ରଦର୍ଶନ କରୁଥିବା ବେଳେ ସ୍ମାର୍ଟଫୋନ୍‌ ବ୍ୟବହାର ନ ଥିବା ବା ପ୍ରତ୍ୟାହାର କରାଯାଇଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଦୁଇ ବର୍ଷରୁ ସତର ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କୁ ନେଇ ସଂପନ୍ନ ଏହି ସ‌ର୍ଭେର ଫଳାଫଳ ଅତ୍ୟନ୍ତ ଉଦ୍‌ବେଗଜନକ। ଯେଉଁ ଛାତ୍ରଛାତ୍ରୀମାନେ ବେଶି ସମୟ ସ୍ମାର୍ଟଫୋନର ସ୍କ୍ରିନ୍‌କୁ ଅନେଇ ରହୁଛନ୍ତି ସେମାନଙ୍କ ଭିତରୁ କୌତୂହଳ, ଉତ୍ସାହ, ଆବେଗିକ ସ୍ଥିରତା କମିଯାଉଛି ଏବଂ ଅବସାଦ ବୃଦ୍ଧି ପାଉଛି।

‘ୟୁ‌େ‌ନସ୍କୋ’ର ଏହି ରିପୋର୍ଟରେ ଡିଜିଟାଲ ଭିତ୍ତିଭୂମି ଥିବା ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ ଖର୍ଚ୍ଚ ଅଣଡିଜିଟାଲ ଶିକ୍ଷାନୁଷ୍ଠାନ ତୁଳନାରେ ଖୁବ୍‌ ବଢ଼ିଯାଉଛି ଏବଂ ଏହା ଏକପ୍ରକାର ସାମାଜିକ ବୈଷମ୍ୟ ସୃଷ୍ଟି କରୁଥିବା କଥା ମଧ୍ୟ ଉଲ୍ଲେଖ କରାଯାଇଛି। ଏହାର ଦୀର୍ଘମିଆଦୀ ପ୍ରଭାବ ଦେଶର ବାର୍ଷିକ ବଜେଟ ଉପରେ ପଡୁଥିବା ଦର୍ଶାଇ ଏହି ରିପୋର୍ଟ ଉଲ୍ଲେଖ କରିଛି ଯେ ଏହା ଅନୁନ୍ନତ ଦେଶଗୁଡ଼ିକୁ ଅଧିକ ପ୍ରଭାବିତ କରୁଅଛି। ଡିଜିଟାଲ ପ୍ଲାଟଫର୍ମର ଯଥେଚ୍ଛା ବ୍ୟବହାର କୋମଳମତି ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟକୁ ସର୍ବସାଧାରଣ କରିଦେବାର ଆଶଙ୍କା ସମ୍ବନ୍ଧରେ ମଧ୍ୟ ଏହି ରିପୋର୍ଟରେ ଉଦ୍‌ବେଗ ପ୍ରକାଶ ପାଇଛି। କୋଭିଡ୍‌ ସମୟରେ ପିଲାମାନଙ୍କ ଶିକ୍ଷାଦାନ ନିମନ୍ତେ ଉପଯୋଗ କରାଯାଇଥିବା ୧୬୩ଟି ଡିଜିଟାଲ ଶିକ୍ଷାଦାନ କୌଶଳ କମ୍ପାନି ମଧ୍ୟରୁ ୮୯% କମ୍ପାନି ପିଲାମାନଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିଥିଲେ। ଏ ଦିଗରେ ବିଭିନ୍ନ ଦେଶର ସରକାରଙ୍କର ନିର୍ଦ୍ଦିଷ୍ଟ ଦାୟିତ୍ବ ରହିଥିବା ‘ୟୁନେସ୍କୋ’ ରିପୋର୍ଟରେ ସୂଚାଇ ଦିଆଯାଇଛି।

ଏହି ପ୍ରସଙ୍ଗରେ ଏହି ଲେଖକ ଦୁଇ ତିନିଟି ବ୍ୟକ୍ତିଗତ ଅଭିଜ୍ଞତା ଉଲ୍ଲେଖ କରିବାକୁ ଚାହିଁଅଛି। ଏ ପ୍ରକାର ଅଭିଜ୍ଞତା ଅନ୍ୟ ଅନେକଙ୍କର ଥିବ। ନିକଟରେ ଏକ ବିବାହ ଭୋଜିରେ ଯୋଗ ଦେବାବେଳେ ପାଖ ଟେବୁଲରେ ବସିଥିବା ଜଣେ ମାଆ ସ୍ମାର୍ଟଫୋନ ନ ଦେଲେ ତାଙ୍କର ପୁଅ କେମିତି ଖାଉ ନାହିଁ ବୋଲି ଅଭିଯୋଗ ବାଢ଼ିଥିଲେ। କିଛି ସମୟର କଥାବାର୍ତ୍ତା ଉତ୍ତାରୁ ଜଣାପଡ଼ିଥିଲା ଯେ ମାଆ ଜଣକ ହିଁ ପ୍ରଥମେ ତାଙ୍କ ପୁଅକୁ ଏକ ମଧୁର ଉତ୍କୋଚ ଭାବେ ମୋବାଇଲ ଫୋନ ଦେଖିବାର ସୁଯୋଗ ସୃଷ୍ଟି କରିଥିଲେ। ଏହାର କାରଣ ହେଲା ତାଙ୍କର ବ୍ୟସ୍ତତା ଏବଂ ଅନ୍ୟ ମାଆମାନେ ଏହି ପ୍ରକାର ନୀତି ଅନୁସରଣ କରି ପ୍ରାପ୍ତ ସଫଳତାର ହାର। ତାହା ସାଙ୍ଗକୁ ଆଉ ଗୋଟିଏ ଅଦୃଶ୍ୟ କାରଣ ମଧ୍ୟ ଥିଲା। ତାଙ୍କ ପୁଅକୁ ସେ ସ୍ମାର୍ଟଫୋନ୍‌ ସହ ଅଭ୍ୟସ୍ତ କରାଉଛନ୍ତି, ଏ ନେଇ ତାଙ୍କ ମନରେ କିଞ୍ଚିତ୍‌ ଅଭିମାନ ମଧ୍ୟ ରହିଥିଲା। ଆଜି ସେ ପୁଅର ଫୋନ୍ ଅଭ୍ୟାସ ଛଡ଼େଇବାକୁ ଚେଷ୍ଟା କଲେ ସୁଦ୍ଧା ତାଙ୍କର ସାତ ବର୍ଷର ପୁଅ ତାଙ୍କୁ ସେଥିରେ ସହଯୋଗ କରୁନାହିଁ। ଦ୍ବିତୀୟ ଅଭିଜ୍ଞତାଟି ଟିକିଏ ଉତ୍ସାହଜନକ।

ଅନୁରୂପ ଭାବରେ ଖାଇବା ସମୟରେ ସ୍ମାର୍ଟଫୋନ୍‌ ‌େଦଖାଇ ଖାଦ୍ୟ ଗିଳେଇ ଦେଉଥିବା ମାଆଟି ଦିନେ ଆବିଷ୍କାର କଲା ଯେ ତା’ ଛୁଆର ଆଖିରେ ସମସ୍ୟା ଦେଖାଦେଉଛି। ବିକଳ ହୋଇ ସେ ଏ କଥାଟି ତା’ର ଶାଶୂଙ୍କୁ କହିଲା ଓ ସେହିଦିନୁ ଜେଜେମା ଖାଇବାବେଳେ ନାତି ପାଖରେ ବସି ସୁନ୍ଦର ସୁନ୍ଦର ଗପ କହିବାକୁ ଲାଗିଲେ। ମାସକ ପରେ ଲକ୍ଷ୍ୟ କରାଗଲା ଯେ, ଆଉ ନାତି ସ୍ମାର୍ଟଫୋନ୍‌ ପାଇଁ ଜିଦ୍‌ କରୁନାହିଁ। ଏହାର ଅର୍ଥ ଅବଶ୍ୟ ନୁହେଁ ଯେ ସ୍ମାର୍ଟଫୋନ୍‌ ଧରେଇ ଦେଇଥିଲେ ସିଏ ତାକୁ ଦୂରେଇ ଦେଇଥାଆନ୍ତା। ମାତ୍ର ଯେଉଁ ପିଲାଟି ବିନା ସ୍ମାର୍ଟଫୋନ୍‌ରେ ଅଧ ଗିଲାସେ କ୍ଷୀର ପିଉନଥିଲା କି ପାଟିକୁ ଗୁଣ୍ଡାଏ ଭାତ ନେଉନଥିଲା ସିଏ ଏବେ ଗପ ଶୁଣି ଶୁଣି କ୍ଷୀର ପିଉଛି ଏବଂ ଭାତ ଖାଉଛି। ଏଥି‌ରୁ ଗୋଟିଏ କଥା ପ୍ରମାଣିତ ହେଲା ଯେ ପିଲାଏ ନିଜ ଆଡୁ ପ୍ରଥମେ ସ୍ମାର୍ଟଫୋନ୍‌ ଦାବି କରି ନଥାନ୍ତି।

ଏହା ବାପାମାଆ ‌ବା ପିଲାର ପାଳନ ଦାୟିତ୍ବରେ ଥିବା ଲୋକଙ୍କର ଅବଦାନ। ଯେଉଁ ବାପାମାଆ ପିଲାଟି ପାଇଁ ଆଦୌ ସମୟ ଦେଇପାରନ୍ତି ନାହିଁ, ସେମାନଙ୍କ ମନରେ ଗୋଟେ ଗ୍ଳାନିବୋଧ ଥାଏ। ପିଲାକୁ ସାନ୍ନିଧ୍ୟର ଯେଉଁ ଅନୁଭବ ବା ‘ଭାବ’ଟି ଉପହାର ଦେଇପାରନ୍ତି ନାହିଁ, ଦାମୀ ଖେଳଣା କି ସ୍ମାର୍ଟଫୋନ୍‌ ପରି ବସ୍ତୁ ଧ‌େରଇ ଦେଇ ସେମାନେ ତାହାର କ୍ଷତିପୂରଣ କରିଥାଆନ୍ତି। ଏହାଠାରୁ ବଡ଼ କଥା ହେଲା କିଛି ମାଆଙ୍କ ପାଖରେ ସମୟ ଥିଲେ ବି ପିଲାଙ୍କୁ କହିବା ଲାଗି ତାଙ୍କ ପାଖେ ଗପ କି କାହାଣୀ ନ ଥାଏ। କଳ୍ପନା କରାଯାଉ, ବର୍ତ୍ତମାନ ଯେଉଁ ପିଲାମାନେ ସ୍ମାର୍ଟଫୋନ୍‌ ଦେଇ ବଡ଼ ହେବେ ସେମାନେ ଭବିଷ୍ୟତରେ କି ପ୍ରକାର ଗପ କହିବେ? ଗୋଟିଏ ଛୋଟ କଥାକୁ ବନେଇ ଚୂନେଇ, ସେଥିରେ କଳ୍ପନାର ପୁଟ ଦେଇ ଗପଟେ ସେମାନେ କହିପାରିବେ କି?

ଏ ପ୍ରସଙ୍ଗରେ ବିଖ୍ୟାତ ଲେଖକ ମନୋଜ ଦାସ ଥରେ ତାଙ୍କର ଏକ ପ୍ରବନ୍ଧରେ ଲେଖିଥିଲେ, ଆମେ ବୟସ୍କମାନେ ଆମ ଅଜାଣତରେ ପିଲାମାନଙ୍କ ମନରୁ କଳ୍ପନାର ବୁଢ଼ିଆଣୀ ବସାକୁ ଛିଣ୍ଡେଇ ଦେଉଛୁ। ଏବେ ଆଉ ସେ ଶୂନଶାନ୍‌ କି ସାଇଁ ସାଇଁ ଗର୍ଜୁଥିବା ରାତି, ଛୁଞ୍ଚିଟେ ପଡ଼ିଲେ ଢିଙ୍କିଟେ ପଡ଼ିବା ପରି ଶବ୍ଦ ହେଉଥିବା ନିର୍ଜନତା ନାହିଁ। ସବୁ ଆଲୋକିତ, ସବୁ ଆଲୋଚିତ। ତେଣୁ ଗପ ଲେଖିବା, କହିବା ଓ ଶୁଣିବାର ଧାରାଟି ଧୀରେ ଧୀରେ ଗୁପ୍ତଗଙ୍ଗା କି ସୁପ୍ତ ସରସ୍ବତୀ ପାଲଟି ଯାଉଛି। ଏ ଧରଣର ଘଟଣା ବା ବିଲକ୍ଷଣ ଯେ ଖାଲି ଆମ ରାଜ୍ୟରେ ଦେଖା ଦେଇଛି ତାହା ନୁହେଁ, ଭାରତର ପ୍ରାୟ ସବୁ ରାଜ୍ୟରେ ଦେଖା ଦେଇଛି। ଓଡ଼ିଶା ତ ବରଂ ଏ କ୍ଷେତ୍ରରେ କିଞ୍ଚିତ ପଛୁଆ। ଅବଶ୍ୟ ଏହି ପଛୁଆ ଅଞ୍ଚଳଗୁଡ଼ିକ ଖୁବ୍‌ ଶୀଘ୍ର ଆଗୁଆ ହୋଇଯିବେ ଏବଂ ଏଠାକାର ପିଲାମାନେ ମଧ୍ୟ ସ୍ମାର୍ଟଫୋନ୍‌ର ମାୟାରେ ପଡ଼ିଯିବେ। ଗପଲେଖା ଓ ଗପ କହିବା ସମସ୍ୟାକୁ ଆଖିରେ ରଖି କେରଳର ଏକ ସ୍ବେଚ୍ଛାସେବୀ ସଂସ୍ଥା ‘ଏ.ଆର.ପି.ଓ’ (ଆର୍କାଇଭାଲ ଆଣ୍ଡ ରିସର୍ଚ୍ଚ ପ୍ରୋଜେକ୍ଟ) ଗୋଟିଏ ଉଦ୍ୟମ ଆରମ୍ଭ କରିଛନ୍ତି।

ଏହି ସଂସ୍ଥାର ସଭ୍ୟମାନେ କେରଳର ଗାଁ ଗାଁ ବୁଲି ବୟସ୍କ ବୁଢ଼ାବୁଢ଼ୀମାନଙ୍କୁ ଭେଟୁଛନ୍ତି ଏବଂ ସେମାନଙ୍କୁ ଲୋକଗଳ୍ପ, ଲୋକଗୀତ କହି/ଗାଇ ଶୁଣେଇବା ଲାଗି ଅନୁରୋଧ କରୁଛନ୍ତି। ଏହା ଭିତରେ ସେମାନେ ପୁରୁଣା ଗପ-ଗୀତଗୁଡ଼ିକୁ ରେକର୍ଡ କରି ଆଣୁଛନ୍ତି। ସମୟେ ସମ‌େୟ ସେମାନଙ୍କ ଭିତରୁ କେତେଜଣଙ୍କୁ ଡାକି ସ୍କୁଲ ପିଲାଙ୍କ ଆଗରେ ଗପ କୁହାଉଛନ୍ତି। ଏ ଉଦ୍ୟମର ମୂଳ କଥା ହେଲା, ଆମ ଅଲକ୍ଷ୍ୟରେ ଉପଯୋଗ ଅଭାବରୁ ଅନେକ ପୁରୁଣା ଢଗଢମଆଳି, ଲୋକଗୀତ ଓ ଗପ ଉଭେଇ ଯାଉଛନ୍ତି। ଦିନେ ସେଗୁଡ଼ିକ ପ୍ରଚୁର ଲୋକପ୍ରିୟତା ଅର୍ଜନ କରିଥିଲେ। ଆଜି ‘ଟୁଇଙ୍କିଲ ଟୁଇଙ୍କିଲ ଲିଟିଲ ଷ୍ଟାର’ ପରି ଇଂରେଜୀ ଗୀତର ନେପଥ୍ୟରେ କେତେ ଯେ ‘ଇଟିକିଲି ମିଟିକିଲି ଫୁଟିଗଲା କାଇଞ୍ଚ’ ପରି ଆମ ଭାଷାର ଗୀତ ଉଭେଇ ଯାଉଛି ସେକଥା କିଏ ହିସାବ ରଖିଛି? ଏଇଠି ଆଉ ଗୋଟିଏ ଉଦାହରଣ ଦିଆଯାଇପାରେ। ବିଂଶ ଶତାବ୍ଦୀରେ ବିଦେଶରୁ ସ୍ପାଇଡରମ୍ୟାନ ବା ସୁପରମ୍ୟାନ ପରିକଳ୍ପନା ଆମ ଦେଶକୁ ଆସିଲା। ୧୯୭୭ରେ ସମ୍ଭବତଃ ପ୍ରଥମେ ସ୍ପାଇଡରମ୍ୟାନ ଫିଲ୍ମ ଆସିଲା। ତା’ର ୩ ବର୍ଷ ପରେ ‘ସୁପରମ୍ୟାନ’ ଫିଲ୍ମ। ୧୯୩୩ରୁ ଅବଶ୍ୟ ଇଂରେଜୀ କମିକ୍‌ ବୁକ୍‌ସରେ ସୁପରମ୍ୟାନ ଆସି ସାରିଥିଲା। ଏହି ପୃଷ୍ଠଭୂମିରେ ଥରେ ଭାରତ କଥା ଚିନ୍ତା କରାଯାଉ। ଏଠି ତ ଆମର ହନୁମାନ ପରିକଳ୍ପନା କେତେ ହଜାର ବର୍ଷର ପୁରୁଣା। ରାମାୟଣର ହନୁମାନ ତାଙ୍କ ପିଲା ଅବସ୍ଥାରେ ସୁଦ୍ଧା ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଲାଲ ଟକଟକ ଫଳଟେ ଭାବି ଖାଇବା ପାଇଁ ଡେଇଁ ପଡୁଥିଲେ- ଏ ପ୍ରକାର ବିଶାଳ ପରିକଳ୍ପନା କଥା ଭାରତର କବିମାନେ ଲେଖି ଯାଇଥିଲେ। ମାତ୍ର ଭାରତର ଫିଲ୍ମ ନିର୍ଦ୍ଦେଶକ ଏହାକୁ ନେଇ ସୁପରମ୍ୟାନ କି ସ୍ପାଇଡରମ୍ୟାନ ପରି ବଡ଼ ଫିଲ୍ମ କରିପାରିଲେ ନାହିଁ କିମ୍ବା ସେସବୁର ପ୍ରଚାର ଦେଶ ବିଦେଶରେ ହୋଇପାରିଲା ନାହିଁ।

ଆମ ହନୁମାନ ବହିର ପୃଷ୍ଠାରେ ରହିଗଲେ, ତାଙ୍କ ସୁପରମ୍ୟାନ ଖେଦିଗଲେ ଦେଶ-ବିିଦେଶର ସିନେମା ହଲ ଓ ଟେଲିଭିଜନର ପରଦା। ଏହା ମାତ୍ର ଗୋଟିଏ ଉଦାହରଣ। ଆଉ ଥରେ ଲୋକଗୀତ, ଲୋକଗପ ପ୍ରସଙ୍ଗକୁ ଆସିବା। ଓଡ଼ିଶା‌େର ଗୋଟିଏ ସମୟ ପର୍ଯ୍ୟନ୍ତ ଲୋକଗଳ୍ପ ଓ ଲୋକଗୀତ ସଂଗ୍ରହ କରାଯାଇଥିଲା। ଏ କ୍ଷେତ୍ରରେ ଡକ୍ଟର କୁଞ୍ଜବିହାରୀ ଦାଶ ଏବଂ ଶ୍ରୀ ଚକ୍ରଧର ମହାପାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ। ମାତ୍ର ସେସବୁର ଆଧାରରେ ଉଚ୍ଚକୋଟୀର ଓ ବର୍ଣ୍ଣିଳ ଶିଶୁ କିଶୋର ସାହିତ୍ୟ ସୃଷ୍ଟି ହୋଇନାହିଁ। ବର୍ତ୍ତମାନ ସେସବୁ ପ୍ରତି ଧ୍ୟାନ ଦେବା ପ୍ରୟୋଜନ। ମୂଳ କଥା ହେଲା, ସାନ ସାନ ପିଲାଙ୍କୁ ସ୍ମାର୍ଟଫୋନ୍‌ ପାଖରୁ ଦୂରେଇ ରଖିବା ଓ ବିକଳ୍ପ ଭାବରେ ସେମାନଙ୍କୁ ଗପ, ଗୀତ ଓ କାହାଣୀ ଉପହାର ଦେବା। ସେ ଗପ ଗୀତ ବାପାମାଆ ଶିଖିଲେ, ପିଲାଙ୍କୁ ଶୁଣାଇବେ। ପିଲାଙ୍କୁ ବହି ଧରେଇ ତାଙ୍କରି ଆଗରେ ବାପା ମାଆ ସ୍ମାର୍ଟଫୋନ୍‌ରେ କି ଟିଭି କମ୍ପ୍ୟୁଟରରେ ବ୍ୟସ୍ତ ରହିଲେ କିଛି ଲାଭ ହେବ ନାହିଁ। ଲିଖିତ ଦୁନିଆର ଶକ୍ତି ଅସୀମିତ। ବାପା କି ମାଆ, ଜେଜେ-ଜେଜେମା କିମ୍ବା ଅଜା-ଆଈ ଯେତେବେଳେ ବଳବାନ୍‌ ଭୀମଙ୍କ ବଳ କଥା କହନ୍ତି, ଛୋଟ ପିଲା ଆଖିରେ ଶହେ ପ୍ରକାର ଭୀମଙ୍କ ଚେହେରା ନାଚି ଉଠେ। ମାତ୍ର ଟିଭି କି ସିନେମା ପର୍ଦ୍ଦାର ଭୀମ ସମ୍ପର୍କରେ ଅଧିକ କହିବାର ସୁଯୋଗ ନ ଥାଏ।

ତାହା ସେଇଠି ଆରମ୍ଭ ହୋଇ ସେଇଠି ସରିଯାଏ। ଏବେ ବି ଓଡ଼ିଶାର ଗାଁ ଗହଳରେ ବହୁ ଲୋକଗୀତ, ଲୋକଗଳ୍ପ, ପୁରୁଣା ଢଗଢମାଳି ଓ କଥା କାହାଣୀର ସଂପତ୍ତି ପଡ଼ି ରହିଛି। ପୁରୁଣା ଲୋକଙ୍କ ସହ ତାହା ଆମ ପାଖରୁ ବିଦାୟ ନେଇଯିବ। ତା’ ଆଗରୁ ସେସବୁର ସଂଗ୍ରହ କରିବା ଜରୁରି। ‘ୟୁନେସ୍କୋ’ର ରିପୋର୍ଟ ଆମର ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାନୀତି ପ୍ରଣୟନକାରୀ ଏବଂ ସରକାର ସଭିଙ୍କୁ ପୁନର୍ଚିନ୍ତନର ଅବକାଶ ଦେଇଛି। ଡିଜିଟାଲ ନୁହେଁ ପ୍ରତ୍ୟକ୍ଷ ଶିକ୍ଷକ-ଛାତ୍ର ସଂପର୍କ ଅଧିକ ଉପାଦେୟ। କୃତ୍ରିମ ଚିତ୍ର ଅପେକ୍ଷା ସତ ପରି ପ୍ରତୀୟମାନ କାହାଣୀ ଦରକାର। ପିଲାଙ୍କୁ ଘରଟା ଭିତରେ ପୂରାଇ କମ୍ପ୍ୟୁଟର ଧରେଇ ଦେବା ଅପେକ୍ଷା ସେମାନଙ୍କୁ ପ୍ରକୃତି ପାଖକୁ ବାରମ୍ବାର ନେବା ଦରକାର। ବର୍ଷା, ବସନ୍ତ, ଶୀତର ଅନୁଭବ ସହ କାକର ଭିଜା ଘାସ, ପ୍ରଜାପତି, କଇଁଫୁଲ, ଅନ୍ଧାର ରାତି, ଜହ୍ନରାତି, ସକାଳ-ସଂଜ ସଂପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା-ଅନୁଭୂତି ସେମାନଙ୍କୁ ଯେଉଁ ଜ୍ଞାନ ଦେବ କମ୍ପ୍ୟୁଟର ମନିଟର ବା ସ୍ମାର୍ଟଫୋନ୍‌ର ସ୍କ୍ରିନ୍‌ ତାହା ଦେବ ନାହିଁ। ପିଲାମାନେ ବଡ଼ ହେଲେ ସେମାନେ ଆପେ ଫୋନ୍‌ର ଉପକାରିତା ବୁଝି କାମରେ ଲଗେଇବେ। ‘ୟୁନେସ୍କୋ’ ରିପୋର୍ଟ ଏହି କଥା ଉପରେ ଗୁରୁତ୍ବ ଦେଇଛି। ଆମେମାନେ ମଧ୍ୟ ଗୁରୁତ୍ବ ଦେଇ ପିଲାମାନଙ୍କୁ ସ୍ମାର୍ଟଫୋନ୍‌ ଠାରୁ ଦୂରରେ ରଖିବା ଆବଶ୍ୟକ।
ମୋ: ୯୪୩୭୦୭୭୨୮୮

ସମ୍ବନ୍ଧିତ ଖବର