ଭୁବନେଶ୍ବର: ବର୍ଷା ହେବା ମାତ୍ରେ ଟଙ୍କପାଣି ସାଇ ମନ୍ଦିର ଛକରୁ ଟଙ୍କପାଣି ବ୍ରିଜ୍ ଦେଇ ବାଲିଅନ୍ତାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଉପରେ ପାଣି ଜମୁଛି। ମୁଖ୍ୟତଃ ସାଇ ମନ୍ଦିର ନିକଟରେ ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚର ପାଣି ଜମି ରହୁଛି। ବର୍ଷା ଛାଡ଼ିବା ପରେ ମଧ୍ୟ ରାସ୍ତାରୁ ପାଣି ଛାଡ଼ୁନାହିଁ। ବର୍ଷା ଦିନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପାଣି ଭିତରେ ଲୋକେ ଯାତାୟାତ କରୁଛନ୍ତି। ପ୍ରାୟ ୫ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହୁଥିଲେ ହେଁ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। ବର୍ଷା ଜଳ ନିଷ୍କାସନ ହେଉ ନଥିବାରୁ ଲୋକଙ୍କ ଘରେ ପାଣି ପଶୁଛି। ରାସ୍ତାରେ ପାଣି ଜମି ଯାତାୟାତରେ ବାଧା ଉପଜୁଛି ଏବଂ ରାସ୍ତାର ଦୁଇ କଡ଼ରେ ବସୁଥିବା ୫୦ରୁ ଅଧିକ ବ୍ୟବସାୟୀଙ୍କ ବେପାର ଠପ୍ ହୋଇଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଯାହାକୁ ନେଇ ସ୍ଥାନୀୟବାସିନ୍ଦା ଏବଂ ବ୍ୟବସାୟୀମାନେ ଆସନ୍ତାକାଲି(ଗୁରୁବାର) ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ବ୍ୟବସାୟୀ ନିରଞ୍ଜନ ଖୁଣ୍ଟିଆ କହିଛନ୍ତି ବର୍ଷ ବର୍ଷ ଧରି ଏହି ସମସ୍ୟା ସମ୍ପର୍କରେ ଆମେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଛୁ। କିନ୍ତୁ ଆମ କଥା କେହି ଶୁଣିଲେ ନାହିଁ। ନିକଟରେ ଥିବା ମଣ୍ଡପକୁ ଯଦି କୌଣସି ଭିଆଇପି ଅତିଥି ଆସୁଛନ୍ତି ସେତେବେଳେ ପ୍ରଶାସନ ପମ୍ପ ଲଗାଇ ପାଣି ଶୁଖାଉଛି। କିନ୍ତୁ ଅନ୍ୟ ଦିନ ମାନଙ୍କରେ ଆମେ ସମ୍ୟାରେ ପଡ଼ୁଛୁ। ପାଣି ଜମି ରହିବାରୁ କୌଣସି ଗ୍ରାହକ ଆଉ ଅଟକୁ ନାହାନ୍ତି। ଫଳରେ ୫୦ରୁ ଅଧିକ ବ୍ୟବସାୟୀଙ୍କ ବେପାର ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି। ତେଣୁ ଗୁରୁବାର ଦିନ ସକାଳୁ ଟଙ୍କପାଣି ସାଇ ମନ୍ଦିର ଛକରୁ ଟଙ୍କପାଣି ବ୍ରିଜ୍ ଦେଇ ବାଲିଅନ୍ତାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାକୁ ବନ୍ଦ କରାଯାଇ ପ୍ରତିବାଦ କରାଯିବ। ଯେପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହୋଇଛି ଆମେ ସେ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରଖିବୁ ବୋଲି ସେ କହିଛନ୍ତି।