ଅନିଶ୍ଚିତତାରେ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ ଅଡିଟୋରିୟମ୍ ନିର୍ମାଣ ପ୍ରସ୍ତାବ: ୩୫ଲକ୍ଷ ରୁସାକୁ ଫେରିଗଲା
୪ବର୍ଷ ହେବ ୩୫ଲକ୍ଷ ରାସ୍ତା ଓ କୋଠାବାଡ଼ି ବିଭାଜନରେ ପଡ଼ିଛି
ଜୟପୁର: ଚାରି ବର୍ଷ ତଳେ ରୁସା (ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ)ରେ ୭୦ଲକ୍ଷ ବ୍ୟୟ କରି ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଅଡିଟୋରିୟମ୍ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ରୁସା ପ୍ରଥମ କିସ୍ତି ଭାବେ ୩୫ଲକ୍ଷ ରାସ୍ତା ଓ କୋଠାବାଡ଼ି ଜୟପୁର ବିଭାଜନକୁ ଦେଇଥିଲା। ତେବେ ଚାରି ବର୍ଷ ପରେ ବି ଏହା ନିର୍ମାଣ ହୋଇ ପାରିନି। ଏହା କେବଳ ବିଭାଗର ଡ୍ରଇଁ ଓ ଇଷ୍ଠିମେଟ୍ ମଧ୍ୟରେ ସୀମିତ ହୋଇ ରହିଯାଇଛି। ଅପରପକ୍ଷରେ ରୁସାରୁ ଆସିଥିବା ଦ୍ବିତୀୟ କିସ୍ତି ୩୫ଲକ୍ଷ ଦୀର୍ଘ ୪ବର୍ଷ ସେଭଳି ମହାବିଦ୍ୟାଳୟରେ ପଡ଼ି ରହିବା ପରେ କଲେଜ ପକ୍ଷରୁ ଫେରାଇ ଦିଆଯାଇଛି। ଏହି ସ୍ଥିତିରେ ଆଉ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଅଡିଟୋରିୟମ୍ ନିର୍ମାଣ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, କଲେଜ ପକ୍ଷରୁ ଏକ ହଜାର ସିଟ୍ ବିଶିଷ୍ଟ ଅଡିଟୋରିୟମ୍ ନିର୍ମାଣ ପାଇଁ ରୁସାକୁ ପ୍ରସ୍ତାବ ଦେଇଥିଲେ। ଅନୁଦାନ ଅର୍ଥ ଓ ପ୍ରସ୍ତାବ ପାଇବା ପରେ ଗତ ୨୦୧୯ ପେବୃଆରୀରେ ରାସ୍ତା ଓ କୋଠାବାଡ଼ି ବିଭାଗର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ଇଂ.ଭାସ୍କର ଚନ୍ଦ୍ର ସାମନ୍ତରାୟ, ତତ୍କାଳୀନ ଏସଡିଓ ଇଂ.ବିଜୟ କୁମାର ବେହେରା, ରୁସା ଅନୁଦାନର ସଂଯୋଜକ ବିବେକାନନ୍ଦ ସୁନା କଲେଜ ପରିସରରେ ଯେଉଁ ସ୍ଥାନରେ ଏହା ନିର୍ମାଣ କରିବା ଯୋଜନା ରହିଥିଲା ତାହାର ତଦାରଖ କରିଥିଲେ। ତା ପର ଠାରୁ ଆଉ କାମ କିଛି ଆଗେଇ ପାରିନଥିବା କହିଛନ୍ତି ରୁସା ଅନୁଦାନର ସଂଯୋଜକ ଶ୍ରୀ ସୁନା । ବାରମ୍ବାର ବିଭାଗକୁ ଚିଠି ଦିଆ ହିଁ ଚାଳିଛି ବୋଲି କହିଛନ୍ତି। ତେବେ ପ୍ରସ୍ତାବିତ ସ୍ଥାନରେ ଯେଉଁ ଭଳି ଭାବେ ଅଡିଟୋରିୟମ୍ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା ସେତେବଡ ଜମି ନଥିବାରୁ ଏହାକୁ ଏକ ହଜାର ସ୍ଥାନରେ ୩୦୦ ଜଣ ବସିବା ଭଳି କରାଯିବାର ଯୋଜନା କରାଯାଇଥିଲା। ଅଡିଟୋରିୟମ୍ ପ୍ରଥମ ଡ୍ରଇଁ ଆସିଥିଲା। ଏହା ପରେ ବିଭାଗ ପକ୍ଷରୁ ନିର୍ମାଣ ପାଇଁ ବ୍ୟୟବରାଦ କରି କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଥିଲା। ତା ପର ଠାରୁ ଆଉ ଏହାର ଅଗ୍ରଗତି ହୋଇପାରିନି। ଅପରପକ୍ଷରେ କଲେଜକୁ ରୁସା ପକ୍ଷରୁ ଖର୍ଚ୍ଚ ହୋଇନଥିବା ଟଙ୍କାକୁ ଫେରାଇବାକୁ ଚିଠି ଆସିଥିଲା। ଏହି କ୍ରମରେ କଲେଜ ନିକଟରେ ଥିବା ୩୫ଲକ୍ଷକୁ ଗତ ଜାନୁଆରୀ ମାସରେ ଫେରାଇ ଦିଆଯାଇଥିବା ସୂଚନା ମିଳିଛି। ଅପରପକ୍ଷରେ ରାସ୍ତା ଓ କୋଠାବାଡ଼ି ବିଭାଜନ ନିକଟରେ ବଳକା ୩୫ଲକ୍ଷ ସେଭଳି ପଡ଼ି ରହିଛି। ଏଭଳି ଅଡିଟୋରିୟମ୍ ନିର୍ମାଣର ପ୍ରସ୍ତାବ ଓ ୩୫ଲକ୍ଷ ଟଙ୍କା ୪ବର୍ଷ ହେବ ପଡ଼ି ରହିବା ସଂପର୍କରେ ଜାଣି ନଥିବା କହିଛନ୍ତି ବିଭାଜନର ନିର୍ବାହୀ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଧପାଣି।