କଟକ : ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆଗତ ମିଥ୍ୟା ସତ୍ୟପାଠ ମାମଲାରେ କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ କୋର୍ଟ ଦେଇଥିବା ତଦନ୍ତ ନିର୍ଦେଶକୁ ହାଇକୋର୍ଟ ଆଜି ରହିତାଦେଶ ଦେଇଛି। ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଥାନାରେ ରୁଜ୍ଜୁ ହୋଇଥିବା ମାମଲା ଉପରେ ପୁଲିସ୍ କୌଣସି ସାନି ପଦକ୍ଷେପ ଗ୍ରହଣ କରିପାରିବ ନାହିଁ ବୋଲି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୪ ମସିହା ନିର୍ବାଚନ ସମୟରେ ସାଂସଦ ଶ୍ରୀ ପଣ୍ଡା ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ଆଣି ଦିଲ୍ଲୀପ କୁମାର ଦାସ କେନ୍ଦ୍ରାପଡା ଏସ୍ଡିଜେଏମ୍ ଅଦାଲତରେ କୋର୍ଟ କେସ୍ ରୁଜୁ କରିଥିଲେ। କୋର୍ଟ ଏତଲା ଗ୍ରହଣ କରି ତଦନ୍ତ କରିବା ପାଇଁ ପୁଲିସ୍କୁ ନିର୍ଦେଶ ଦେଇଥିଲେ। ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ସାଂସଦ ଶ୍ରୀ ପଣ୍ଡାଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ଏସ୍ଡିଜେଏମ୍ କୋର୍ଟରେ କଂପ୍ଲେନ୍ କେସ୍ ରୁଜୁ କରିବା ପୂର୍ବରୁ ଏ ନେଇ ପ୍ରଥମେ ଥାନାରେ ଅଭିଯୋଗ କରିବା ଉଚିତ ଥିଲା। ଯଦି ଥାନା ଅଧିକାରୀ ତାଙ୍କ ଅଭିଯୋଗ ଗ୍ରହଣ କରିବା ପାଇଁ ମନା କରିଥାନ୍ତେ ତେବେ ସିଆରପସିର ଧାରା ୧୫୪ରେ ସେ ଏ ନେଇ ଏସ୍ପିଙ୍କ ନିକଟରେ ଅଭିଯୋଗ କରିବା କଥା। କିନ୍ତୁ ଏହି ନିୟମ ଅନୁସରଣ ନ କରି ଅଭିଯୋଗକାରୀ ସିଧାସଳଖ କଂପ୍ଲେନ୍ କେସ୍ ରୁଜୁ କରି ସିଆରପିସିର ଧାରା ୧୫୬(୩)ରେ ପୁଲିସକୁ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ପ୍ରାର୍ଥନା କରାଯାଇଥିଲା। ଏହାର ଶୁଣାଣିରେ ଖଣ୍ଡପୀଠ ଏସ୍ଡିଜେଏମ୍ କୋର୍ଟଙ୍କ ତଦନ୍ତ ନିର୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଆଣିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ଆଇନଜୀବୀ ଡି.ପି.ଧଳ, ତରଣୀକାନ୍ତ ବିଶ୍ୱାଳ ଓ ପୁଷ୍ପରାଜ ଭରଦ୍ୱାଜ ମାମଲା ପରିଚାଳନା କରୁଛନ୍ତି।