ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଶନିବାର ଅପରାହ୍ନ ୪ଟା ୧୬ରେ ପହଞ୍ଚିଛନ୍ତି। ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ‘ରାଜକମଲ’ରେ ମୋଦି ବିମାନରେ ପହଞ୍ଚିଛନ୍ତି। କଟକର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟିର ‘ଜନକଲ୍ୟାଣ’ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ସଭାରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିମାନବନ୍ଦରରେ ଓଡ଼ିଶାର ଅତିରିକ୍ତ ଦାୟିତ୍ୱରେ ଥିବା ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଡିଜିପି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ବିଜେପିର ବରିଷ୍ଠ ନେତାମାନେ ସ୍ୱାଗତ କରିଛନ୍ତି। ମୋଦି ବିମାନବନ୍ଦରରୁ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କଟକ ଅଭିମୁଖେ ଯାତ୍ରା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ବିକାଶ ସଂପର୍କରେ ଅବଗତ କରିବେ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ଦୃଷ୍ଟିରୁ ସଭାସ୍ଥଳକୁ ପାଣି ବୋତଲ, ହ୍ୟାଣ୍ଡ ବ୍ୟାଗ୍ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ସଭାସ୍ଥଳ ଭିତରେ ପାଣି ଯୋଗାଣ ବ୍ୟବସ୍ଥା କରାଯାଇଛି। ସଭାସ୍ଥଳକୁ ଯିବା ପାଇଁ ୧୨ଟି ପ୍ରବେଶ ପଥ କରାଯାଇଛି। ପ୍ରତ୍ୟେକ ପ୍ରବେଶ ପଥରେ ସିସି କ୍ୟାମେରା ଖଞ୍ଜା ଯାଇଛି। ସମସ୍ତ ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ପୁଲିସ ବିଭାଗ ପକ୍ଷରୁ ୪ଟି କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। କଣ୍ଟୋଲ ରୁମ୍ କ୍ୟାମେରା ସଭାମଞ୍ଚ ଉପରେ ତୀକ୍ଷ୍ଣ ନଜର ରଖାଯିବ।
ଶନିବାର କମିସନରେଟ୍ ପୁଲିସ ପକ୍ଷରୁ ବାରବାଟି ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଚୂଡ଼ାନ୍ତ ସମୀକ୍ଷା କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥାରେ ୬୧ ପ୍ଲାଟୁନ୍ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ୧୦ ପ୍ଲାଟୁନ୍ ଫୋର୍ସ ପ୍ରସ୍ତୁତ କରି ରଖାଯାଇଛି। ଏହା ବାଦ୍ ୫ଟି ସ୍ପେଶାଲ ଟାକ୍ଟିକାଲ୍ ଟିମ୍, ୫ଟି ବୋମା ନିଷ୍କ୍ରିୟକାରୀ ଟିମ୍, ୫ଟି ସ୍ପେଶାଲ ଆକ୍ସନ୍ ଫୋର୍ସ, ୨ଟି ଓଡ୍ରାଫ୍ ଟିମ୍, ୫ଟି ସ୍ପେଶାଲ ଆକ୍ସନ ଫୋର୍ସଙ୍କୁ ଆସନ୍ତାକାଲି ପାଇଁ ନିଯୁକ୍ତ କରାଯାଇଛି। ପୂରା ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବାକୁ ୩ ଜଣ ଆଇପିଏସ୍ ଏବଂ ୪ ଜଣ କମାଣ୍ଡାଣ୍ଟ ଦାୟିତ୍ୱରେ ରହିବେ।
ସଭାସ୍ଥଳ ଚାରିପଟେ ତ୍ରିସ୍ତରୀୟ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମୋଟ ୧୨ଟି ପ୍ରବେଶ ପଥ କରାଯାଇଛି। ଗଣମାଧ୍ୟମ ପ୍ରତିନିଧି, ମହିଳା, ସାଧାରଣ ଲୋକ ଏବଂ ଭିଆଇପିଙ୍କ ପୃଥକ୍ ପ୍ରବେଶ ପଥ କରାଯାଇଛି। ଭିତରକୁ ପାଣି ବୋତଲ ନେବା ନିଷିଦ୍ଧ ହୋଇଥିବାବେଳେ ଏକ ଘରୋଇ ସଂସ୍ଥା ଦ୍ୱାରା ପାଣି ବଣ୍ଟାଯିବ। ନରାଜସ୍ଥିତ ଆଇବି ଏବଂ ହାଇକୋର୍ଟର ଗେଷ୍ଟ ହାଉସ୍କୁ ‘ସେଫ ହାଉସ୍’ ଭାବେ ପ୍ରସ୍ତୁତ କରାଯାଇଛି। ଏଠାରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି। ସଭାସ୍ଥଳରେ କୌଣସି ଅଘଟଣ କିମ୍ବା ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହେଲେ, ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ଉକ୍ତ ସ୍ଥାନକୁ ସୁରକ୍ଷିତ ଭାବେ ନିଆଯିବା ସମ୍ପର୍କରେ ଆଜି କମିସନରେଟ୍ ପୁଲିସ ବୈଠକରେ ନିଷ୍ପତ୍ତି ହୋଇଛି।