ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ତଥା ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ଚାଲିଥିବା ରାଜନୀତିକୁ ନେଇ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଗଭୀର କ୍ଷୋଭ ବ୍ୟକ୍ତ କରିଛନ୍ତି। ଶଙ୍କରାଚାର୍ଯ୍ୟ ଏଥର ରାଜ୍ୟ ବିଜେପି ଉପରେ ଅସନ୍ତୋଷ ଝାଡିଛନ୍ତି। ଜଗଦ୍ଗୁରୁ ସିଧା ସିଧା କହିଛନ୍ତି, ଏମିତି ବି ଦିନଥିଲା, ଯେତେବେଳେ ବିଜୁ ଜନତା ଦଳ ବିଜେପି ସହଯୋଗରେ ଶାସନ କରୁଥିଲା। ଆଇନମନ୍ତ୍ରୀ ବିଜେପିରୁ ହିଁ ଥିଲେ। ଏବେ ପ୍ରଶ୍ନ ଉଠୁଛି, ବିଜେପି ସମର୍ଥିତ ବିଜୁ ଜନତା ଦଳର ଶାସନ କାଳରେ ଯେତେବେଳେ ବିଜେପିର ବି ସହଭାଗିତା ଥିଲା ଓ ବିଜେପିର ଆଇନମନ୍ତ୍ରୀ ଥିଲେ, ସେତେବେଳେ ଶ୍ରୀମନ୍ଦିର ଅବ୍ୟବସ୍ଥା ଦୂର କରିବା ପାଇଁ କି ପଦକ୍ଷେପ ନିଆଯାଇଥିଲା?
Sambad is now on WhatsApp
Join and get latest news updates delivered to you via WhatsApp
ଶଙ୍କରାଚାର୍ଯ୍ୟଙ୍କର ଏଭଳି ମନ୍ତବ୍ୟ ରାଜ୍ୟ ବିଜେପିକୁ ଅକଳରେ ପକାଇ ଦେଇଛି। ତତ୍କାଳୀନ ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କିନ୍ତୁ ଆତ୍ମରକ୍ଷା କୌଶଳ ସ୍ୱରୂପ ନିଜ ସପକ୍ଷରେ ଯୁକ୍ତି ରଖିଛନ୍ତି। କହିଛନ୍ତି, ଶ୍ରୀମନ୍ଦିର ପରିଚାଳନାରେ ଆସିଥିବା ସଂସ୍କାର ତାଙ୍କରି ସମୟରେ ହିଁ ହୋଇଥିଲା। ଏପରିକି ତାଙ୍କ କାର୍ଯ୍ୟକାଳ ସମୟରେ କୌଣସି ବଡ଼ ଧରଣର ବିଭ୍ରାଟ ଘଟିନାହିଁ।
ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ଦଳର ନେତାମାନେ ଏହି ପ୍ରସଙ୍ଗରେ ସମଗ୍ର ରାଜ୍ୟରେ ବିକ୍ଷୋଭ କରୁଛନ୍ତି। ଏଣେ ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ଲାଗି ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏସବୁକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ଚର୍ଚ୍ଚାରେ ରହିଛି। ଯଦିଓ ଦୀର୍ଘ ୯ ବର୍ଷ ଧରି ଆଇନ ବିଭାଗ ବିଜେପି ହାତରେ ଥିଲା, ତଥାପି ଶ୍ରୀମନ୍ଦିର ଅବ୍ୟବସ୍ଥାର ଦାୟିତ୍ୱ ନେବା କ୍ଷେତ୍ରରେ ଦଳ ପଛଘୁଞ୍ଚା ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ବିବାଦକୁ ଟାଣୁଛି। ହେଲେ ଶ୍ରୀମନ୍ଦିର ପରିଚାଳନାରେ ବିଭିନ୍ନ ଅବ୍ୟବସ୍ଥା ନେଇ ବାରମ୍ବାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କାଠଗଡାରେ ଛିଡା କରିଆସୁଥିଲେ ହେଁ, ପୁରୀ ଶଙ୍କରାଚାର୍ଯ୍ୟ ପ୍ରଥମଥର ଲାଗି ବିଜେପିକୁ ଅତ୍ୟନ୍ତ ଶାଣିତ ଢଙ୍ଗରେ ତାର ଦାୟିତ୍ୱ ସଂପର୍କରେ ସଚେତନ କରାଇବାକୁ ଉଦ୍ୟମ କରିଛନ୍ତି।