ଭୁବନେଶ୍ୱର : ରାଜ୍ୟକୁ ମିଳିଥିବା ୬ଟି ମଡେଲ ଡିଗ୍ରି କଲେଜ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ ସହିତ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ କହିଛନ୍ତି । ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ବିଷ୍ଣୁପଦ ସେଠୀ ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସରକାର ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଯୋଜନାରେ ଓଡିଶାକୁ ୬ଟି ମଡେଲ ଡିଗ୍ରି କଲେଜ ମଞ୍ଜୁର କରିଛନ୍ତି। ଏଗୁଡିକ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ, ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର, ଗଜପତି ଜିଲ୍ଲାର କାଶୀନଗର, କନ୍ଧମାଳ ଜିଲ୍ଲାର ବାଲିଗୁଡା, କଳାହାଣ୍ଡି ଜିଲ୍ଲାର ଜୁନାଗଡ ଓ କୋରାପୁଟ ଜିଲ୍ଲାର ସିମିଳିଗୁଡା ଠାରେ ପ୍ରତିଷ୍ଠା ହେବ । ମଡେଲ ଡିଗ୍ରି କଲେଜ ଗୁଡିକ ସଂକ୍ରାନ୍ତରେ ସୂଚନା ଦେଇ ଶାସନ ସଚିବ ଶ୍ରୀ ସେଠୀ କହିଛନ୍ତି ଯେ ଏହି କଲେଜ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ ସହିତ ଅଗ୍ରାଧିକାର ଭିତ୍ତିିିରେ ଜମି ଯୋଗାଇ ଦିଆଯିବା ଆବଶ୍ୟକ । ସହରାଞ୍ଚଳରେ ମଡେଲ ଡିଗ୍ରି କଲେଜପାଇଁ ୫ଏକର ଓ ଗ୍ରାମାଞ୍ଚଳରେ ୧୦ଏକର ଜମି ଆବଶ୍ୟକ । କଲେଜ ପ୍ରତିଷ୍ଠା ହେବାକୁ ଥିବା ସ୍ଥାନଠାରୁ ୧୦ କିଲୋମିଟର ମଧ୍ୟରେ ଅନୁରୂପ କୌଣସି କଲେଜ ନଥିବା ଆବଶ୍ୟକ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ମଡେଲ ଡିଗ୍ରି କଲେଜ ଗୁଡିକ ଗ୍ରାମାଞ୍ଚଳରେ ପ୍ରତିଷ୍ଠା ଉପରେ ଅଗ୍ରାଧିକାର ଦିଆଯାଉଛି । ତେଣୁ ଜିଲ୍ଲାପାଳମାନେ ସେଭଳି ସ୍ଥାନ ଚିହ୍ନଟ କରିବା ଆବଶ୍ୟକ ଯେଉଁଠାରେ ପୂର୍ବରୁ କୌଣସି ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ନଥିବ । ସ୍ଥାନ ଚିହ୍ନଟ ସମୟରେ ସେଠାକୁ ଯେଭଳି ଉପଯୁକ୍ତ ଯୋଗାଯୋଗ ବ୍ୟବସ୍ଥା ଥିବ ସେଥିପ୍ରତି କର୍ତ୍ତୃପକ୍ଷ ଧ୍ୟାନଦେବାକୁ କୁହାଯାଇଛି ।
ପ୍ରତ୍ୟେକ ମଡେଲ ଡିଗ୍ରିି କଲେଜର ନିର୍ମାଣ ପାଇଁ ୧୨ କୋଟି ଟଙ୍କା ବ୍ୟୟ ହେବ । ଏଥିରେ ପ୍ରଶାସନିକ ଭବନ ସହିତ ଶିକ୍ଷକ ଗୃହ, ଶ୍ରେଣୀ କକ୍ଷ, ପରୀକ୍ଷାଗାର, କମ୍ପ୍ୟୁଟର ଗୃହ, ଛାତ୍ରାବାସ ଆଦି ରହିବ । ଏହି କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାର ସର୍ବାଧିକ ୭କୋଟି ୮୦ ଲକ୍ଷ ଟଙ୍କାର ଦେବେ। ଅବଶିଷ୍ଟ ଅର୍ଥ ରାଜ୍ୟ ସରକାର ତାଙ୍କର ଅଂଶଧନ ବାବଦକୁ ବହନ କରିବେ । ରାଜ୍ୟ ସରକାର ମଧ୍ୟ ଏଥିପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ପୂର୍ବରୁ ରୁସା-୧ ଯୋଜନାରେ ଓଡିଶାକୁ ମିଳିଥିବା ମଡେଲ ଡିଗ୍ରି କଲେଜ ପାଇଁ ରାଜ୍ୟ ସରକାର ତାଙ୍କର ଅଂଶଧନ ବାବଦ ଅର୍ଥ ବହନ କରିଛନ୍ତି। ଏହି କଲେଜ ଗୁଡିକରେ ରାଜ୍ୟ ସରକାର ଛାତ୍ରୀନିବାସ ଓ ଛାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଶୌଚାଳୟ ସହିତ ଭିନ୍ନକ୍ଷମମାନଙ୍କ ପାଇଁ ସୁବିଧା ସୁଯୋଗ ଲାଗି ବ୍ୟବସ୍ଥା କରିବାକୁ କହିଛନ୍ତି । ଏଥିପ୍ରତି ଦୃଷ୍ଟି ଦେବାକୁ ସଚିବ ଶ୍ରୀ ସେଠୀ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ କହିଥିବା ଜଣାଯାଇଛି । ଏହି ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସହିତ ଶିକ୍ଷକ ଛାତ୍ରଙ୍କ ଅନୁପାତ ୧:୧୫ ରଖିବାକୁ କୁହାଯାଇଛିା କଲେଜ କ୍ୟାମ୍ପସ୍ ୱାଇଫାଇ ହେବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଲାଗି ଇଣ୍ଟରନେଟ୍ ସୁବିଧା ରହିବ।