ବାଲେଶ୍ୱର/ଗାନ୍ଧିଛକ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନ୍ତିମ ପର୍ଯ୍ୟାୟ ବିଲ ପାଶ କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ। ଗିରଫ ଅଧିକାରୀ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସାହାଡ଼ା ପିଇଓ ଅହଲ୍ୟା ଜେନା। ଗତକାଲି ଏହି ଅଭିଯୋଗ ପାଇବା ପରେ ସମ୍ପୃକ୍ତ ଅଧିକାରୀଙ୍କ ନାଁରେ ବାଲେଶ୍ୱର ଭିଜିଲାନ୍ସରେ ୫୫/୨୦୧୭ରେ ମାମଲା ରୁଜୁ ହୋଇଥିଲା। ଆଜି ଭିଜିଲାନ୍ସ ଏସପି ସୁନୀଲ କୁମାର ସେନାପତିଙ୍କ ନିର୍ଦେଶ କ୍ରମେ ଏକ ଟିମ୍ ସେଠାକୁ ପିଇଓ ଅହଲ୍ୟା ଜେନାଙ୍କୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସିଂଲା ଥାନା ଅଧୀନ ସାହାଡ଼ା ପଞ୍ଚାୟତ ବୁଝଡିହା ଗାଁର ବାସିନ୍ଦା ଶୁକ୍ରାଚାର୍ଯ୍ୟ ମଲ୍ଲିକ ହେଉଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜଣେ ହିତାଧିକାରୀ। ଏହି ଯୋଜନାରେ ସେ ୧ ଲକ୍ଷ ୨୦ହଜାର ଟଙ୍କା ପାଇବାକୁ ଥିବାବେଳେ ଏବେ କେବଳ ଅନ୍ତିମ ପର୍ଯ୍ୟାୟ ବିଲ୍ ବାବଦକୁ ୩୦ହଜାର ଟଙ୍କା ପାଇବାର ଥିଲା। ଏଥିପାଇଁ ସେ ଗତକାଲି ସାହାଡ଼ା ପଞ୍ଚାୟତ ଯାଇ ପିଇଓ ଅହଲ୍ୟା ଜେନାଙ୍କୁ ଦେଖା କରିଥିଲେ। ସେ ଏହି ବିଲ ପାଶ କରାଇ ଦେବାକୁ ତାଙ୍କ ୧ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଶ୍ରୀ ମଲ୍ଲିକ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଆଜି ଶ୍ରୀ ମଲ୍ଲିକଙ୍କ ଠାରୁ ପିଇଓ ଉକ୍ତ ଟଙ୍କା ନେଉଥିବା ଯୋଜନା ମୁତାବକ ସେଠାରେ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।