ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ୱେବ୍ସାଇଟ୍ରେ ୨୦୧୫-୧୬ କୃଷି ଗଣନାର ପ୍ରଥମ ପର୍ଯ୍ୟାୟ ଫଳାଫଳ ରିପୋର୍ଟ ସ୍ଥାନିତ ହୋଇଛି। ୨୦୧୦-୧୧ ପରେ ଏହା ହେଉଛି ୧୦ମ କୃଷି ଗଣନା ରିପୋର୍ଟ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏହି ସର୍ବଭାରତୀୟ ରିପୋଟ ପ୍ରକାଶ ପାଇଛି। ଏଥିରେ ଓଡ଼ିଶା ସମେତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ତଥ୍ୟ ସନ୍ନିବେଶିତ ହୋଇଛି। ଓଡ଼ିଶା ଭଳି କୃଷିପ୍ରଧାନ ରାଜ୍ୟ ପାଇଁ ଏହି ରିପୋର୍ଟର ଗୁରୁତ୍ବ ଅଧିକ। କିନ୍ତୁ ଏ ନେଇ ରାଜ୍ୟ ସରକାରଙ୍କ ନିକଟରେ କୌଣସି ଖବର ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପ୍ରଥମ ପର୍ଯ୍ୟାୟ ରିପୋର୍ଟରେ ବିଭିନ୍ନ ଶ୍ରେଣୀର ଚାଷୀ ଏବଂ ସେମାନଙ୍କ ଅଧୀନରେ ଥିବା ବିଭିନ୍ନ କିସମର ଚାଷଜମିର ପରିସଂଖ୍ୟାନ ଦିଆଯାଇଛି। ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ରାଜ୍ୟରେ ନାମମାତ୍ର ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଚାଷଜମି ପରିମାଣ ଉଦ୍ବେଗଜନକ ଭାବେ କମିବାରେ ଲାଗିଛି। ୨୦୧୦-୧୧ କୃଷି ଗଣନାରେ ମୋଟ ଚାଷୀଙ୍କ ସଂଖ୍ୟା ଥିଲା ୪୬ ଲକ୍ଷ ୬୭,୪୬୬। ୨୦୧୫-୧୬ରେ ଏହି ସଂଖ୍ୟା ୪୮ ଲକ୍ଷ ୪୫,୮୫୦କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ କେବଳ ନାମମାତ୍ର ଚାଷୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ୨୦୧୦-୧୧ରେ ନାମମାତ୍ର ଚାଷୀଙ୍କ ସଂଖ୍ୟା ୩୩.୬୮ ଲକ୍ଷ ଥିବା ବେଳେ ୨୦୧୫-୧୬ରେ ଏହା ୩୬.୩୭ ଲକ୍ଷକୁ ବଢ଼ିଛି। ଅନ୍ୟପକ୍ଷରେ ୨୦୧୦-୧୧ କୃଷି ଗଣନା ରିପୋର୍ଟ ତୁଳନାରେ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୮.୮୭ ଲକ୍ଷକୁ, ଅର୍ଧମଧ୍ୟମ ଚାଷୀଙ୍କ ସଂଖ୍ୟା ୨.୮୭ ଲକ୍ଷକୁ, ମଧ୍ୟମ ଚାଷୀଙ୍କ ସଂଖ୍ୟା ୪୯ ହଜାର ଓ ବୃହତ୍ ଚାଷୀଙ୍କ ସଂଖ୍ୟା ୪ ହଜାରକୁ ହ୍ରାସ ପାଇଛି। ସେ ପଟେ ଦେଖିଲେ ରାଜ୍ୟରେ ଚାଷଜମି ପରିମାଣ ଗତ ୫ ବର୍ଷ ଭିତରେ କମିଛି। ୨୦୧୦-୧୧ କୃଷି ଗଣନା ରିପୋର୍ଟରେ ମୋଟ ୪୮.୫୨ ଲକ୍ଷ ହେକ୍ଟର ଚାଷଜମି ଥିଲା। କିନ୍ତୁ ଗତ ୨୦୧୫-୧୬ ରିପୋର୍ଟ ଅନୁସାରେ ଏହି ପରିମାଣ ୪୬.୧୯ ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି। ଗତ ୫ ବର୍ଷରେ ଚାଷୀ ପ୍ରତିଶତ ୪.୨୫ ବଢ଼ିଥିବା ବେଳେ ଚାଷଜମି ପରିମାଣ ୪.୮୦ ପ୍ରତିଶତ କମିଛି। ବିଶେଷ କରି ବୃହତ୍ ଚାଷୀଙ୍କ ୮୬ ହଜାର ହେକ୍ଟର ଜମି, ମଧ୍ୟମ ବର୍ଗ ଚାଷୀଙ୍କ ୨.୮୪ ଲକ୍ଷ ହେକ୍ଟର ଜମି, ଅର୍ଧମଧ୍ୟମ ଚାଷୀଙ୍କ ୭.୮୮ ଲକ୍ଷ ହେକ୍ଟର ଜମି ଓ ୧୪.୦୪ ହେକ୍ଟର ଜମି ହ୍ରାସ ପାଇଛି।
ରାଜ୍ୟରେ ଉଭୟ ନାମମାତ୍ର ଚାଷୀଙ୍କ ସଂଖ୍ୟା ବୃଦ୍ଧି ଘଟିବା ଏବଂ ଚାଷଜମି ହ୍ରାସ ପାଇବା କୃଷିର ବିକାଶ ପ୍ରତି ଆଦୌ ଶୁଭଙ୍କର ନୁହେଁ। ବଡ଼ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଲେ କୃଷି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ, ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ହେବା ଦ୍ବାରା ଅଭିବୃଦ୍ଧି ଘଟିଥାଏ। ପଞ୍ଜାବ, ହରିୟାଣା, ଗୁଜରାଟ, ମହାରାଷ୍ଟ୍ର ଆଦି ରାଜ୍ୟ ଏହାର ଉଦାହରଣ। କିନ୍ତୁ ରାଜ୍ୟରେ ନାମମାତ୍ର ଚାଷୀଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବାରୁ ସେମାନେ କେବଳ ସରକାରୀ ଯୋଜନାର ହିତାଧିକାରୀ ସାଜିବା ସାର ହୋଇଥାଏ। ରାଜ୍ୟରେ ଚାଷଜମି ପରିମାଣ କ୍ରମଶଃ ହ୍ରାସ ପାଉଛି। ଗତ କୃଷି ଗଣନା ତୁଳନାରେ ୨୦୧୫-୧୬ ରିପୋର୍ଟରେ ରାଜ୍ୟରେ ପ୍ରାୟ ୨.୩୩ ଲକ୍ଷ ହେକ୍ଟର ଚାଷଜମି କମିଛି। ଏହାର ଅର୍ଥ ହେଉଛି ଚାଷଜମି ପଡ଼ିଆ ପଡ଼ିଛି କିମ୍ବା ଶିଳ୍ପାୟନ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି। କୃଷି ପ୍ରତି କୃଷକ ବିମୁଖ ହେବାର ମଧ୍ୟ ଏହା ପ୍ରମୁଖ ଲକ୍ଷଣ। ଏପରି କି ସରକାରଙ୍କ ଭୂମିକାକୁ ମଧ୍ୟ ବାଦ୍ ଦେଇହେବ ନାହିଁ। ଶିଳ୍ପାୟନ ପ୍ରତି ସରକାର ଅଗ୍ରାଧିକାର ଦେଉଥିବା ଯୋଗୁଁ ରାଜ୍ୟରେ କୃଷି ଅର୍ଥନୀତି ନିମ୍ନମୁଖୀ ହେଉଥିବା ସମ୍ଭାବନାକୁ ଅସ୍ବୀକାର କରିହେବ ନାହିଁ।