ଭୁବନେଶ୍ବର : ନଭେମ୍ବର ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୮’। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ମହୋତ୍ସବରେ ବିଭିନ୍ନ ବିଭାଗ ମନ୍ତ୍ରୀ, ସାଂସଦ, ବିଧାୟକ, ଭୁବନେଶ୍ବର ମେୟର, ବିଭାଗୀୟ ପ୍ରମୁଖ ଶାସନ ସଚିବ, ୟୁନିସେଫ୍ର ପ୍ରତିନିଧି, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ଭାରତ ନିର୍ଦେଶକ ପ୍ରମୁଖ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାବ୍ୟତୀତ ‘ବେଟି ବଚାଓ: ବେଟି ପଢ଼ାଓ’, ସ୍ବଚ୍ଛ ବିଦ୍ୟାଳୟ, ଗୁଣାତ୍ମକ ଶିକ୍ଷା ପାଇଁ ଉଜ୍ଜ୍ବଳ, ପରିବେଶ ସୁରକ୍ଷା, ଶ୍ରୁତିଲିଖନ, ହସ୍ତାକ୍ଷର ବକ୍ତୃତା, ରଚନା, ଚିତ୍ରକଳା, ବିତର୍କ ପ୍ରତିଯୋଗିତା କରାଯିବ। ଏଥିସହ ବର୍ଜ୍ୟବସ୍ତୁର ବ୍ୟବହାର, ବିଜ୍ଞାନ କୌତୁଳ କର୍ମଶାଳା, ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ପ୍ରଦର୍ଶନୀର ଆୟୋଜନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ୩୦ ଜିଲ୍ଲାର ପ୍ରାଥମିକ ଓ ମାଧ୍ୟମିକସ୍ତରୀୟ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟସ୍ତରରେ ବକ୍ତୃତା, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବା ପାଇଁ ପ୍ରତ୍ୟେକ ଶିକ୍ଷାମଣ୍ଡଳରୁ ପ୍ରତି ବିଭାଗ ପାଇଁ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମଣ୍ଡଳସ୍ତରରେ ସମ୍ପୃକ୍ତ ଶିକ୍ଷା ପରିଦର୍ଶକ ମନୋନିତ କରି ୩ ହଜାର ଶିକ୍ଷାର୍ଥୀଙ୍କୁ ରାଜ୍ୟସ୍ତରକୁ ପଠାଇଛନ୍ତି। ଶିଶୁ ଦିବସ ସକାଳୁ ଏକ ମାରାଥନ ବିଜୁ ପଟ୍ଟନାୟକ ପାର୍କରୁ ଉତ୍ସବ ସ୍ଥଳୀ ପର୍ଯ୍ୟନ୍ତ ରାସ୍ତା ଅତିକ୍ରମ କରିବ। ଏଥିରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗନେବେ। ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାର କର୍ମଶାଳାର ଆୟୋଜନ ହେବ। ଏବର୍ଷ ଉତ୍ସବରେ ସ୍ବତନ୍ତ୍ର ଭାବେ ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଛି ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।