ଭୁବନେଶ୍ବର: ଖଣିଜ ନିଲାମ ନିୟମାବଳୀ ପ୍ରଣୟନ ହେବା ପରେ ଆଜି ପର୍ଯ୍ୟନ୍ତ ରାଜ୍ୟରୁ ୫ଟି ଖଣି ନିଲାମ ହୋଇସାରିଲାଣି। ଆହୁରି ୨ଟି ଖଣି ନିଲାମ ପ୍ରକ୍ରିୟା ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ। ଆସନ୍ତା ୭ ତାରିଖରେ ସେ ନେଇ ଶୁଣାଣି ହେବ। ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଆସନ୍ତା ମାର୍ଚ ସୁଦ୍ଧା ଆହୁରି ନୂଆ ୧୬ଟି ଖଣିଗୁଡ଼ିକର ନିଲାମ ହେବ। ସେହି ଖଣିଗୁଡ଼ିକ ଜି-୨ ପର୍ଯ୍ୟାୟକୁ ଉନ୍ନୀତ ହୋଇ ନିଲାମଯୋଗ୍ୟ ଅବସ୍ଥାରେ ରହିଛି। ଖଣି ଓ ଖଣିଜ ଉନ୍ନୟନ ଆଇନ(ଏମ୍ଏମ୍ଡିଆର)ରେ ସଂଶୋଧନ ହେବା ପରେ ଖଣିଗୁଡ଼ିକ ନିଲାମ ହେବ। ଫଳରେ ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଆସିବ। କିନ୍ତୁ ଏ ବାବଦରେ ଗତ ଦୁଇବର୍ଷରେ ରାଜ୍ୟ ରାଜକୋଷକୁ ଆସିଛି ମାତ୍ର ୧୯.୫୪ କୋଟି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଲେ ଯେ, ୧୬ଟି ଖଣି ନିଲାମଯୋଗ୍ୟ ଅର୍ଥାତ୍ ଜି-୨ ପର୍ଯ୍ୟାୟକୁ ଯାଇସାରିଛି। ନିଲାମ ପ୍ରକ୍ରିୟା ଖୁବ୍ଶୀଘ୍ର ଆରମ୍ଭ ହେବ। ଆସନ୍ତା ମାର୍ଚ ମାସ ଶେଷ ସୁଦ୍ଧା ସେହି ଖଣିଗୁଡ଼ିକ ନିଲାମ ହେବ। ଏମ୍ଏମ୍ଡିଆର(ସଂଶୋଧନ) ଆଇନ ଅନୁଯାୟୀ ୨୦୨୦ ସୁଦ୍ଧା ୩୧ଟି ଖଣିର ଲିଜ୍ ଅବଧି ସରିବ। ଫଳରେ ଆଗାମୀ ୨୦୨୦ ବେଳକୁ ରାଜ୍ୟର ଖଣି ଅର୍ଥନୀତି ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଖଣି ନିଲାମ ପ୍ରକ୍ରିୟା ତ୍ବରାନ୍ବିତ କରାଯାଉଛି। ନିଲାମଯୋଗ୍ୟ ଖଣିଗୁଡ଼ିକ ହେଉଛି ସୁନ୍ଦରଗଡ଼ ଜିଲ୍ଲାର ନେତ୍ରାବନ୍ଧ(ପଶ୍ଚିମ) ଲୁହାପଥର ଖଣି, ସୁନ୍ଦରଗଡ଼ର ରେଙ୍ଗାଲବେଡ଼ା ଉତ୍ତର ପଶ୍ଚିମ ଲୁହାପଥର ବ୍ଲକ, ବରଗଡ଼ର ବେହେରା ଭାଞ୍ଜିପାଲୀ ଚୂନପଥର ବ୍ଲକର ପୁନଃନିଲାମ, ନୂଆପଡ଼ାର ଗରମୁରାହ ଚୂନପଥର ବ୍ଲକ, ମାଲକାନଗିରିର ଉସ୍କାଲ୍ଭାଗୁ ଚୂନପଥର ବ୍ଲକର ପୁନଃନିଲାମ, କେନ୍ଦୁଝରର କାଲିମାଟି ମାଙ୍ଗାନିଜ୍ ବ୍ଲକ, କେନ୍ଦୁଝରର ଉଞ୍ଚାବାଲି ଲୁହାପଥର ଓ ମାଙ୍ଗାନିଜ୍ ଖଣି, ସୁନ୍ଦରଗଡ଼ର ଧୋଲ୍ତାପାହାଡ଼ ଲୁହାପଥର ବ୍ଲକ, ସୁନ୍ଦରଗଡ଼ର ଖଟକୁର୍ବାହାଲ ଚୂନପଥର ଓ ଡୋଲୋମାଇଟ୍ ଖଣି, ସୁନ୍ଦରଗଡ଼ର ମୁଣ୍ଡାମାରୁଣୀ ଲୁହାପଥର ବ୍ଲକ, କେନ୍ଦୁଝରର ଗନ୍ଧଲପଡ଼ା ଲୁହାପଥର ଖଣି, ରାୟଗଡ଼ାର ନାରିଙ୍ଗିପଙ୍ଗା ଗ୍ରାଫାଇଟ୍ ବ୍ଲକ, ବଲାଙ୍ଗୀରର ପିପଲମୁଣ୍ଡା ଗ୍ରାଫାଇଟ୍ ବ୍ଲକ, ସୁନ୍ଦରଗଡ଼ର ଝୁମ୍କା ପଥିରିପୋଷୀ ଲୁହାପଥର ବ୍ଲକ, ରାୟଗଡ଼ାର ଜଗ୍ଦଲ୍ପୁର ଗ୍ରାଫାଇଟ୍ ବ୍ଲକ ଓ ସୁନ୍ଦରଗଡ଼ ଜିଲ୍ଲାର ରେଙ୍ଗାଲ୍ବେଡ଼ା ଉତ୍ତର ପୂର୍ବ ଲୁହାପଥର ବ୍ଲକ୍।
ଦେଶର ପ୍ରଥମ ଖଣି ଭାବେ ସୁନ୍ଦରଗଡ଼ ଜିଲ୍ଲାର ଘୋରାବୁର୍ହାଣି-ସାଗାସାହି ଲୁହାପଥର ବ୍ଲକ୍ ନିଲାମ ହୋଇଥିଲା। ଏହି ଖଣିରେ ୯୯.୫୯ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ରହିଛି। ନିଲାମରେ ଯୋଗ୍ୟ ବିବେଚିତ ମେସର୍ସ ଏସାର ଷ୍ଟିଲ୍ ପ୍ରାଥମିକ ଦେୟ (ଅପ୍ଫ୍ରଣ୍ଟ) ଭାବେ ପ୍ରଥମ କିସ୍ତିରେ ୯ କୋଟି ୨୬ ଲକ୍ଷ ୨୪,୬୦୦ ଟଙ୍କା ଜମା କରିଛି। ପରବର୍ତୀ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାର ୯୮.୬୯ ନିୟୁତ ଟନ୍ର କୋଟ୍ଟାମେଟା ଚୂନପଥର ବ୍ଲକ୍କୁ ଡାଲ୍ମିଆ ସିମେଣ୍ଟ କମ୍ପାନିକୁ ଦିଆଯାଇଛି। ଏଥିପାଇଁ ଡାଲ୍ମିଆ ସିମେଣ୍ଟ ଜମା କରିଛି ୨ କୋଟି ୩୮ ଲକ୍ଷ ୧୫,୬୯୨ ଟଙ୍କା। ସେହିପରି ସୁନ୍ଦରଗଡ଼ ଜିଲ୍ଲାର କାଲାମଙ୍ଗ େଵଷ୍ଟ ଲୁହାପଥର ବ୍ଲକ୍କୁ ନିଲାମରେ ମେସର୍ସ ଭୂଷଣ ପାଵାର ଆଣ୍ତ ଷ୍ଟିଲ୍କୁ ଦିଆଯାଇଛି। ଏହି ଖଣିରେ ୯୨.୮୫ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ରହିଛି। ଏଥିପାଇଁ କମ୍ପାନି ଅପ୍ଫ୍ରଣ୍ଟ ଜମା କରିଛି ୪ କୋଟି ୪୬ ଲକ୍ଷ ୬୯,୪୬୦ ଟଙ୍କା। ନିଲାମ ପ୍ରକ୍ରିୟାରେ ସୁନ୍ଦରଗଡ଼ ଜିଲ୍ଲାର ନେତ୍ରାବନ୍ଧ ପାହାଡ଼ ଲୁହାପଥର ବ୍ଲକ୍କୁ ମେସର୍ସ ଭୂଷଣ ପାଵାର ଆଣ୍ତ ଷ୍ଟିଲ୍କୁ ଲିଜ୍ ଦିଆଯାଇଛି। ଏହି ଖଣିରେ ୮୧.୯୭୩ ନିୟୁତ ଟନ୍ର ଲୁହାପଥର ଗଚ୍ଛିତ। ଏହି ଲିଜ୍ ପାଇଁ କମ୍ପାନି ଦେଇଛି ୩ କୋଟି ୪୩ ଲକ୍ଷ ୨୫,୪୩୨ ଟଙ୍କା। ତେବେ କେନ୍ଦୁଝର ଜିଲ୍ଲାର ଲର୍ସଦା ପାଚେରି ମାଙ୍ଗାନିଜ୍ ବ୍ଲକ୍ ଲିଜ୍ କମ୍ପୋଜିଟ୍ ଲାଇସେନ୍ସ ସୂତ୍ରରେ ମେସର୍ସ ତ୍ରିବେଣୀ ଆର୍ଥ ମୁଭର୍ସକୁ ଦିଆଯାଇଥିଲେ ହେଁ ଏଥିପାଇଁ କମ୍ପାନି କୌଣସି ଅପ୍ଫ୍ରଣ୍ଟ ଟଙ୍କା ଜମା କରିନଥିବା ଖଣି ବିଭାଗ ଦର୍ଶାଇଛି। ସର୍ଭେରୁ ଏହି ଖଣିରେ ୧୧.୦୬ ନିୟୁତ ଟନ୍ର ମାଙ୍ଗନିଜ୍ ଗଚ୍ଛିତ ଥିବା ଜଣାଯାଇଛି। ଏ ସମସ୍ତ ନିଲାମ ପ୍ରକ୍ରିୟାରେ ଅପ୍ଫ୍ରଣ୍ଟ ଅର୍ଥ ଭାବେ ମିଳିଛି ମୋଟ ୧୯ କୋଟି ୫୪ ଲକ୍ଷ ୩୫,୧୮୪ ଟଙ୍କା।
ଉଲ୍ଲେଖଯୋଗ୍ୟ, ଏସାର କମ୍ପାନିକୁ ନିଲାମ ସୂତ୍ରରେ ଖଣି ମିଳିବାର ଦୁଇବର୍ଷରୁ ଅଧିକ ଗଡ଼ିିଲାଣି। ଅନ୍ୟ ୪ ଟି ଖଣି ବି ନିଲାମ ହୋଇସାରିଛି। କିନ୍ତୁ ଖଣିଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରିନାହିଁ। କାରଣ ଖଣିଗୁଡ଼ିକ କାର୍ଯ୍ୟକ୍ଷମ ନିମନ୍ତେ ଆବଶ୍ୟକ ଖଣି ଯୋଜନା(ପ୍ଲାନ), ପରିବେଶ ଓ ଜଙ୍ଗଲ ମଞ୍ଜୁରି କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ିରହିଛି। ଖଣିଗୁଡ଼ିକ କାର୍ଯ୍ୟକ୍ଷମ ହେଲେ, ରାଜ୍ୟ ରାଜକୋଷକୁ ଶହ ଶହ କୋଟି ଆସିବ। ଶହ ଶହ ସ୍ଥାନୀୟ ଲୋକ ନିଯୁକ୍ତି ସୁଯୋଗ ପାଇବେ। କିନ୍ତୁ ଏ ଦିଗରେ କେନ୍ଦ୍ର ସରକାର କିଛି ଠୋସ୍ ପଦକ୍ଷେପ ନେଉନାହାନ୍ତିି। କେନ୍ଦ୍ରୀୟ ନେତାଙ୍କଠାରୁ ଆରମ୍ଭକରି ଖଣି ମନ୍ତ୍ରାଳୟର ସଚିବ ପର୍ଯ୍ୟନ୍ତ ଓଡ଼ିଶାକୁ ଦେଶର ଖଣି ରାଜଧାନୀ କହି ପ୍ରଶଂସାରେ ପୋତି ପକାଉଛନ୍ତି। କିନ୍ତୁ ରାଜ୍ୟରେ ଖଣିଜ ବିକାଶ ଦିଗରେ ସେମାନେ କାହିଁକି ଉଦାସୀନତା ଦେଖାଉଛନ୍ତି, ବୁଝାପଡ଼ୁନାହିଁ।
୬ଟି ଖଣି ଲିଜ୍ ବାତିଲ ହେବ: ମନ୍ତ୍ରୀ
ଭୁବନେଶ୍ବର: ସୁପ୍ରିମ କୋର୍ଟଙ୍କ ଆଦେଶ ଅବମାନନା କରିଥିବା ୬ଟି ଖଣି ଲିଜ୍ ବାତିଲ କରାଯିବ। ଆଜି ଏ ନେଇ ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଲେ ଯେ ବେଆଇନ ଖଣି କାରବାରରେ ଜଡ଼ିତ ଥାଇ ୨୦୧୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ଜରିମାନ ଦେଇନଥିବା ଖଣି ଲିଜ୍ଗୁଡ଼ିକୁ ବାତିଲ କରିବାକୁ ସୁପ୍ରିମ କୋର୍ଟ ଆଦେଶ ଦେଇଥିଲେ। ତଦନୁଯାୟୀ ୩୧ଟି ଖଣି ଲିଜ୍ ତରଫରୁ ଜରିମାନା ପୈଠ ହୋଇନାହିଁ। ସେହି ଲିଜ୍ଗୁଡ଼ିକୁ ବାତିଲ କରାଯାଇଛି। ସେହି ଖଣି ଲିଜ୍ଗୁଡ଼ିକ ହେଉଛି ଭଞ୍ଜ ମିନେରାଲ୍ ଲିମିଟେଡ୍, ଲୁହାପଥର ଓ ମାଙ୍ଗାନିଜ୍ ଖଣି, ଏମ୍.ଆର.ଦାସ ଦେଓଝର ଲୁହାପଥର ଖଣି, ମିନେରାଲ୍ ଟ୍ରେଡିଂ ସିଣ୍ଡିକେଟ୍ ଭୋଳାବେଡ଼ା ଲୁହାପଥର ଖଣି, ଅର୍ଜୁନ ଲୋଧା ବାଲାଗୋଡ଼ ଲୁହାପଥର ଓ ମାଙ୍ଗାନିଜ୍ ଖଣି ଓ ବି.ଡି. ପଟ୍ଟନାୟକ କଳାପର୍ବତ ଲୁହାପଥର ଖଣି। ଏଥିସହିତ, ଆହୁରି ଅଧିକ ଖଣି ଲିଜ୍ ବାତିଲ ହେବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।