କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ଇଡିର ତୀବ୍ର ବିରୋଧ: ‘ନିର୍ବାଚନ ପ୍ରଚାର ମୌଳିକ ଅଧିକାର ନୁହେଁ’

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆସନ୍ତାକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ୍‌ ଦାଖଲ କରିବ। ପ୍ରଥମ ଥର ପାଇଁ ଇଡି ଚାର୍ଜସିଟ୍‌ରେ କେଜ୍ରିୱାଲଙ୍କୁ ଅବକାରୀ ନୀତି ମାମଲାରେ ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ ଭାବେ ଦର୍ଶାଯିବ। ଅନ୍ୟପକ୍ଷେ ସୁପ୍ରିମ୍‌କୋର୍ଟ ମଧ୍ୟ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ପ୍ରସଙ୍ଗରେ ଆସନ୍ତାକାଲି ରାୟ ଶୁଣାଇବେ। ଏହା ପୂର୍ବରୁ ଇଡି ଆଜି କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ବିରୋଧ କରିଛି। ନିର୍ବାଚନ ପାଇଁ ପ୍ରଚାର କରିବା ଏକ ମୌଳିକ ଅଧିକାର ନୁହେଁ ବୋଲି ଇଡି ଆଜି ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏକ ସତ୍ୟପାଠରେ ଦର୍ଶାଇଛି। ଇଡିର ଉପନିର୍ଦ୍ଦେଶକ ଭାନୁପ୍ରିୟା ଆଜି ସୁପ୍ରିମ୍‌କୋର୍ଟରେ ଏହି ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ କୁହାଯାଇଛି ଯେ ନିର୍ବାଚନ ପାଇଁ ପ୍ରଚାର ଅଧିକାର ମୌଳିକ, ସାମ୍ବିଧାନିକ କିମ୍ବା ନ୍ୟାୟିକ ଅଧିକାର ନୁହେଁ।

ଇଡି ଯୁକ୍ତି ଦର୍ଶାଇଛି ଯେ କୌଣସି ଅଭିଯୁକ୍ତ ରାଜନେତାଙ୍କୁ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ଦିଆଯାଇନାହିଁ। ଅନ୍ତରୀଣ ଜାମିନ ପ୍ରସଙ୍ଗରେ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଇଡି କହିଛି, ଆପ୍‌ ନେତା ପୂର୍ବରୁ ବି ଏହି ସମାନ କାରଣ ଦର୍ଶାଇ ସମନ ଏଡ଼ାଇ ଯାଇଥିଲେ। ଇଡି କହିଛି, ଯଦି ନିର୍ବାଚନ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ମିଳିବ ତେବେ କୌଣସି ରାଜନେତାଙ୍କୁ ଗିରଫ କରିହେବନି କି ଜେଲ୍‌ରେ ରଖିହେବନି। ଏଭଳି କ୍ଷେତ୍ରରେ ଯଦି କେଜ୍ରିୱାଲଙ୍କ ପାଇଁ କୌଣସି ସ୍ବତନ୍ତ୍ର ପଦକ୍ଷେପ ନିଆଯିବ ତଥା ଯଦି କେଜ୍ରିୱାଲଙ୍କୁ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ଦିଆଯାଏ ତେବେ ଏହା ଆଇନ ଏବଂ ସମାନତା ପାଇଁ ବିପଜ୍ଜନକ ହେବ। ଇଡି କହିଛି ଯେ ଅରବିନ୍ଦ କେଜ୍ରିୱାଲ କିମ୍ବା ଅନ୍ୟ କୌଣସି ରାଜନେତା ସାଧାରଣ ନାଗରିକଙ୍କଠାରୁ ଉପରେ କୌଣସି ସ୍ବତନ୍ତ୍ର ମାନ୍ୟତା ଦାବି କରିପାରିବେ ନାହିଁ। ଏହାଦ୍ବାରା ଦେଶରେ ୨ଟି ଶ୍ରେଣୀ ସୃଷ୍ଟି ହେବ। ଗୋଟିଏ ହେଉଛି ସାଧାରଣ ଲୋକ ଯେଉଁମାନେ ଆଇନ ମାନିବାପାଇଁ ବାଧ୍ୟ ଏବଂ ଅନ୍ୟଟି ହେଉଛି ରାଜନେତା ଯେଉଁମାନେ ଅନ୍ତରୀଣ ଜାମିନ ନେଇ ଆଇନରୁ ଖସି ଯାଇପାରିବେ। ଉଲ୍ଲେଖଯୋଗ୍ୟ, ଅବକାରୀ ନୀତି ମାମଲାରେ କେଜ୍ରିୱାଲ ଗତ ମାର୍ଚ୍ଚ ୨୧ ତାରିଖରେ ଇଡି ଦ୍ବାରା ଗିରଫ ହୋଇଥିଲେ। ଏବେ ସେ ଦିଲ୍ଲୀର ତିହାର ଜେଲ୍‌ରେ ଅଛନ୍ତି। ଉଲ୍ଳେଖଯୋଗ୍ୟ, ବୁଧବାର ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଇଡି ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେରେନାଲ ଏସଭି ରାଜୁଙ୍କୁ ଶୁକ୍ରବାର କୋର୍ଟରେ ତଥ୍ୟ ସହ ଉପସ୍ଥିତ ରହିବାକୁ କହିଥିଲେ।

ସମ୍ବନ୍ଧିତ ଖବର