ବଡ଼ମୂଳ ଜୈବ ପର୍ଯ୍ୟଟନ ଦେଲା କୋଟିଏ ଟଙ୍କାର ଆୟ
୧ ହଜାର ଗ୍ରାମବାସୀଙ୍କୁ ସ୍ବାବଲମ୍ବୀ କରିଛି ଜୈବ ପର୍ଯ୍ୟଟନ, ଦିନେ ଶିକାରୀ ଥିଲେ, ଏବେ ସଂରକ୍ଷକ
ଭୁବନେଶ୍ବର: ଓଡ଼ିଶା ମାଟି ତା’କୋଳରେ ଜୈବ ପର୍ଯ୍ୟଟନ ରୂପରେ ଅମୂଲ ରତ୍ନ ସାଇତିଛି। ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ଯେ କୋଟିକୋଟି ଟଙ୍କା ଆୟ ଦେଇପାରେ ତା’ର ଉଦାହରଣ ସାଜିଛି ସାତକୋଶିଆର ବଡ଼ମୂଳ ଜୈବ ପର୍ଯ୍ୟଟନ ପ୍ରକଳ୍ପ। ଚଳିତ ବର୍ଷ ୧ କୋଟି ଟଙ୍କାର ଆୟ କରିଛି ଏହି ପ୍ରକଳ୍ପ। ଓଡ଼ିଶାରେ କୌଣସି ଗୋଟିଏ ଗ୍ରାମ ଜୈବ ପର୍ଯ୍ୟଟନ କ୍ଷେତ୍ରରୁ ଏତେ ଟଙ୍କାର ଆୟ କରିବା ଇତିହାସରେ ପ୍ରଥମ। ଏହା ହିଁ ଜୈବ ପର୍ଯ୍ୟଟନର ମୂଲ୍ୟବୋଧ ସମ୍ପର୍କରେ ସୂଚେଇ ଦେଇଛି। ନୟାଗଡ଼ ପୂର୍ବରୁ ମନ୍ଦିର ଏବଂ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପାଇଁ ପରିଚିତ ଥିଲା। ୨୦୧୬ ମସିହାରେ ବନ ବିଭାଗ ସାତକୋଶିଆରେ ଜୈବ ପର୍ଯ୍ୟଟନ ପ୍ରକଳ୍ପର ଶୁଭାରମ୍ଭ କଲା। ମହାନଦୀ କୂଳରେ ୯ଟି ଟେଣ୍ଟ୍ ସହ ସାତକୋଶିଆ ବାଲୁକା ରିସୋର୍ଟ ଓ ପ୍ରକୃତି ଶିବିର ସମେତ ପାହାଡ଼ ତଳି ଅଞ୍ଚଳରେ ୭ଟି କୁଡ଼ିଆ କରି ପର୍ଯ୍ୟଟକଙ୍କୁ ପ୍ରକୃତି କୋଳରେ ସମୟ ବିତାଇବା ପାଇଁ ସୁଯୋଗ ସୃଷ୍ଟି କରିଥିଲା। ୨୦୧୬-୧୭ରେ ଏହା ୨୭ ଲକ୍ଷ ଟଙ୍କା ଏବଂ ୨୦୧୭-୧୮ରେ ୬୦ ଲକ୍ଷ ଟଙ୍କା ଆୟ କରିଥିଲା। ତେବେ ୨୦୧୮-୧୯ ମସିହାରେ ଏହା ୧କୋଟି ୩୦ ହଜାର ଛୁଇଁଥିଲା। ଚଳିତ ବର୍ଷ ୩ହଜାର ପର୍ଯ୍ୟଟକ ଏଠାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ଥିଲେ ବିଦେଶୀ ପର୍ଯ୍ୟଟକ। ଜର୍ମାନି, ଫ୍ରାନ୍ସ ଓ ବ୍ରିଟେନ୍ ସମେତ ଅନ୍ୟ ଦେଶରୁ ପର୍ଯ୍ୟଟକ ଏଥିପ୍ରତି ଆକର୍ଷିତ ହୋଇଥିଲେ। ଜୈବ ପର୍ଯ୍ୟଟନ ଏବଂ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଏପରି ସଫଳତା ସମ୍ପୃକ୍ତ ଗାଁ’କୁ ମଡେଲ୍ ଗାଁ ଭାବେ ପରିଗଣିତ କରିଛି। ଶିମିଳିପାଳ, ଭିତରକନିକା, ଚିଲିକା, ଫୁଲବାଣୀ ଓ କୋରାପୁଟରେ ମଧ୍ୟ ଅନୁରୂପ ସୁଯୋଗ ରହିଛି। ସଂପ୍ରତି ଓଡ଼ିଶାରେ ଗ୍ରାମବାସୀଙ୍କ ଦ୍ବାରା ୪୦ଟି ପ୍ରକୃତି ଶିବିର ପରିଚାଳିତ ହେଉଛି। ଜୈବ ପର୍ଯ୍ୟଟନ ପ୍ରକଳ୍ପ ରାଜ୍ୟକୁ ୫.୬ କୋଟି ଟଙ୍କାର ଆୟ ଦେଇଛି। ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ୧ ହଜାରରୁ ଅଧିକ ଗ୍ରାମବାସୀ ଏହା ଦ୍ବାରା ଆର୍ଥିକ ସ୍ବାବଲମ୍ବୀ ହୋଇପାରିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଗ୍ରାମବାସୀଙ୍କ ଦ୍ବାରା ପରିଚାଳିତ ଓଡ଼ିଶାକୁ ଜୈବ ପର୍ଯ୍ୟଟନ କ୍ଷେତ୍ରରୁ ୯୦ ପ୍ରତିଶତ ଅଧିକ ଆୟ ପ୍ରାପ୍ତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବେଠିଆ ସାହିର ୨୮ ଜଣ ଗ୍ରାମବାସୀଙ୍କ ଦ୍ବାରା ବଡ଼ମୂଳରେ ପ୍ରକୃତି ଶିବି ପରିଚାଳିତ ହେଉଛି। ଏହି ପ୍ରକଳ୍ପରୁ ୬ଟି ଗ୍ରାମ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ପୂର୍ବରୁ ଏହି ଗ୍ରାମର ଲୋକେ ମଜୁରି ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଥିଲେ। ବନ୍ୟଜନ୍ତୁଙ୍କ ଶିକାର କରି ମାଂସ ବିକି ଚଳୁଥିଲେ। ମାତ୍ର ଏବେ ଏହା ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିଛି ବୋଲି ମହାନଦୀ ୱାଇଲ୍ଡ ଲାଇଫ୍ ଡିଭିଜନ୍ର ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି। ଏହା କେବଳ ସେମାନଙ୍କୁ ରୋଜଗାର ଦେଇନି ବରଂ ବନ୍ୟ ଜଙ୍ଗଲ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ସଫଳତା ଦେଖିବାକୁ ମିଳିଛି। ଏଠାରେ ଆଉ ଜଙ୍ଗଲକୁ ନିଆଁ ଲଗାଯାଉନାହିଁ କି ବନ୍ୟଜନ୍ତୁ ଶିକାର ୩ ବର୍ଷ ହେଲା ହେଉନାହିଁ। ଏହାଦ୍ବାରା ପ୍ରତ୍ୟେକ ପରିବାର ୧.୫ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପକୃତ ହୋଇପାରିଛନ୍ତି। ଶିକାରୀ ଏବେ ବନ ସଂରକ୍ଷକ ପାଲିଛନ୍ତି। ବଡ଼ମୂଳ ପ୍ରକୃତି ଶିବିରରେ ରହିବା ସହ ବୋଟିଂ, ସ୍ପୋର୍ଟ୍ସ, ସାଇକେଲ୍ ଚାଳନା, ଟ୍ରେକିଂ, ଚାଷ ଭୂମି ଭ୍ରମଣ, ଗ୍ରାମ୍ୟ ଭ୍ରମଣ, କ୍ୟାନୋପି ୱାକ୍ର ସୁଯୋଗ ମିଳୁଛି।