ବରଗଡ଼ : ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ ରବିବାର ବର୍ଣ୍ଣାଢ଼୍ୟ ଭାବେ ସ୍ଥାପନ କରାଯାଇଛି। ଧାର୍ଯ୍ୟ ଲଗ୍ନ ମାର୍ଗଶୀର ଶୁକ୍ଳପକ୍ଷ ପଞ୍ଚମୀ ତିଥି ସନ୍ଧ୍ୟାରେ ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ସେଠାରୁ ଦେବୀଙ୍କର ଧଣ୍ଡାମାଳ ଧରି ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୋଭାଯାତ୍ରା ସ୍ଥାନୀୟ ହାଟପଦା ସ୍ଥିତ ଧନୁଯାତ୍ରା ସଂଚାରମଣ୍ଡଳୀ ସ୍ଥଳକୁ ପହଞ୍ଚିବା ପରେ ସେଠାରେ ରାଜପୁରୋହିତ ଶିବଶଂକର ଦାଶଙ୍କ ଦ୍ଵାରା ଅଷ୍ଟକଳା ନାଗ ପୂଜା ସମ୍ପନ୍ନ ହୋଇଥିଲା। ବରଗଡ଼ ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ ଓ ଆରକ୍ଷୀ ଅଧୀକ୍ଷକ ଯୁଗଳ କିଶୋର ଯୁଗ୍ମ ଭାବେ ପୂଜାରେ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପାରମ୍ପାରିକ ପୂଜାର୍ଚ୍ଚନା ପରେ ଶୁଭଧ୍ୱଜ ସ୍ଥାପନ ହୋଇ ବିଧିବଦ୍ଧ ଭାବରେ ଧନୁଯାତ୍ରା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁଭସ୍ତମ୍ଭ ସ୍ଥାପନ ଉତ୍ସବରେ ଏଡିଏମ୍ ଯୁଧିଷ୍ଠିର ନାଏକ, ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା, ଉପପୌରାଧ୍ୟକ୍ଷ କଳ୍ପନା ମାଝୀ, ରାଜ ଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ, ଧନୁଯାତ୍ରା ମହୋତ୍ସବ କମିଟି ସଂପାଦକ ସୁରେଶ୍ୱର ଶତପଥୀ, କିଶୋର ମିଶ୍ର, ଶ୍ୟାମସୁନ୍ଦର ଅଦାବର, ଗୋପାଳ ଦାଶ, ନାରାୟଣ ଭୋଇ, ସୁଶୀଲ ମହାପାତ୍ର, ହରଦୀପ ସିଂହଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଉପସ୍ଥିତ ଥିଲେ। ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୩ ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଅନୁଷ୍ଠିତ ହେବ।