ରିଜର୍ଭ ବ୍ୟାଙ୍କକୁ ସୁପ୍ରିମ କୋର୍ଟଙ୍କ ଚେତାବନୀ: ନିର୍ଦେଶ ଉଲ୍ଲଂଘନ କରିଛ

ବ୍ୟାଙ୍କ ଯାଞ୍ଚ ତଥ୍ୟ ଆବେଦନକାରୀଙ୍କୁ ଦିଅ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସୁପ୍ରିମ କୋର୍ଟ ଆଜି ଏକ କଡ଼ା ନିର୍ଦେଶ ଦେଇଛନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ବ୍ୟାଙ୍କ ଯାଞ୍ଚ ସମ୍ପର୍କିତ ତଥ୍ୟ ଆରଟିଆଇ ଆବେଦନକାରୀଙ୍କୁ ପ୍ରଦାନ କରିବା ଲାଗି କହିଛନ୍ତି। ଯଦି ଆରଟିଆଇ ଆଇନ ଅନୁଯାୟୀ ତଥ୍ୟ ଦେବାକୁ ମନା କରାଯିବାର ନିୟମ ନାହିଁ ତାହେଲେ ତାହାକୁ ଦେବା ଲାଗି ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟର ବିଚାରପତି ଏଲ୍. ‌ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେନ୍ଦ୍ରୀୟ ବ୍ୟାଙ୍କକୁ ବ୍ୟାଙ୍କ ସମ୍ପର୍କିତ ସୂଚନା ପ୍ରଦାନ ନେଇ ରହିଥିବା ନୀତିର ସମୀକ୍ଷା କରିବାକୁ କହିଛନ୍ତି। ରିଜର୍ଭ ବ୍ୟାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାରେ ସୁପ୍ରିମ କୋର୍ଟ କୌଣସି ନିର୍ଦେଶ ଦେଇ ନଥିଲେ ବି କେନ୍ଦ୍ରୀୟ ବ୍ୟାଙ୍କକୁ ସତର୍କ କରାଇ ଦେଇଛନ୍ତି। କହିଛନ୍ତି ନିର୍ଦେଶ ଉଲ୍ଲଂଘନ କରିଛ। ଆରଟିଆଇ ଆଇନକୁ ପାଳନ କରି ତଥ୍ୟ ପ୍ରଦାନ ପାଇଁ ତୁମକୁ ଶେଷ ସୁଯୋଗ ଦିଆଯାଉଛି। ଆରଟିଆଇ ଆଇନ ଅନୁଯାୟୀ ତଥ୍ୟ ପ୍ରଦାନ କରିବାକୁ ରିଜର୍ଭ ବ୍ୟାଙ୍କ ମନା କରିବା ପରେ ଖଣ୍ଡପୀଠ ଏହାକୁ ଗୁରୁତ୍ବର ସହିତ ନେଇଛନ୍ତି। ଆଗକୁ ଏ ନେଇ କୌଣସି ଉଲ୍ଲଂଘନ ହେଲେ ତାହାକୁ ଗମ୍ଭୀରତାର ବିଷୟ ଭାବେ ବିଚାର କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଗତ ଜାନୁଆରିରେ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ରିଜର୍ଭ ବ୍ୟାଙ୍କକୁ ଅଦାଲତ ଅବମାନନା ନୋଟିସ ଦିଆଯାଇଥିଲା। ଆରଟିଆଇ ଆଇନରେ ବ୍ୟାଙ୍କ ଗୁଡ଼ିକର ବାର୍ଷିକ ଯାଞ୍ଚ ରିପୋର୍ଟକୁ ଆବେଦନକାରୀଙ୍କୁ ଦେବା ଲାଗି ପୂର୍ବରୁ ସୁପ୍ରିମ କୋର୍ଟ ଏବଂ କେନ୍ଦ୍ରୀୟ ସୂଚନା ଆୟୋଗ ନିର୍ଦେଶ ଦେଇଥିଲେ। ଉଭୟ ଦର୍ଶାଇଥିଲେ, ଯଦି କୌଣସି ତଥ୍ୟ ଆରଟିଆଇରେ ଦେବାକୁ ମନା କରାଯାଇ ନାହିଁ ତାହେଲେ ତାହାକୁ ଦେବାକୁ ରିଜର୍ଭ ବ୍ୟାଙ୍କ ମନା କରିପାରିବ ନାହିଁ। ଆରଟିଆଇ ଆବେଦନକାରୀ ଏସ ସି ଅଗ୍ରୱାଲଙ୍କ ପକ୍ଷରୁ ରିଜର୍ଭ ବ୍ୟାଙ୍କ ବିରୋଧରେ ଅଣାଯାଇଥିବା ଅଦାଲତ ଅବମାନନା ମାମଲାର ଶୁଣାଣି ଖଣ୍ଡପୀଠ କରିବାବେଳେ ଉପରୋକ୍ତ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର