ଭୁବନେଶ୍ବର : ବାତ୍ୟା ‘ଫନି’ ମାଡ଼ରେ ବିଗିଡ଼ି ଯାଇଛି ଖୋର୍ଧା ଜିଲ୍ଲାର ବିଦ୍ୟାଳୟ ଅବସ୍ଥା। ପୂର୍ବ ସ୍ଥିତିକୁ କେବେ ଫେରିବ କହିବା ମୁସ୍କିଲ। ଯୁଆଡ଼େ ଚାହିଁଲେ ଏବେ କେବଳ ବାତ୍ୟାର ପ୍ରତିଛବି ଦେଖିବାକୁ ମିଳୁଛି। କେଉଁଠି ସ୍କୁଲ ଆଜବେଷ୍ଟ୍ସ ଉଡ଼ି ଯାଇଛି ତ ଆଉ କେଉଁଠି ପାଚେରି ଭାଙ୍ଗି ପଡ଼ିଛି। ବାତ୍ୟାର ୩୭ ଦିନ ପରେ ବି ଜିଲ୍ଲାର ଅଧିକାଂଶ ବ୍ଲକର ବିଦ୍ୟାଳୟ ସ୍ଥିତିରେ କିଛି ବି ସୁଧାର ଆସିନି। ଜିଲ୍ଲାରେ ଥିବା ୯୧୦ ବିଦ୍ୟାଳୟ ମଧ୍ୟରୁ କିଛି କ୍ୟାମ୍ପସରେ ଏବେ ବି ଅଳିଆ ଆବର୍ଜନା ପଡ଼ି ରହିଛି। ପାଚେରି ଭାଙ୍ଗିଛି। କେତେକ କ୍ୟାମ୍ପସ ଭିତରେ ଗଛ ଡ଼ାଳ ପଡ଼ି ରହିଛି। ଆଉ କେତେକ ବିଦ୍ୟାଳୟ ପାଚେରି ଉପରେ ଗଛ ପଡ଼ି ଭାଙ୍ଗି ଯାଇଛି। ଆଉ ୯ ଦିନ ପରେ ସ୍କୁଲ ଖୋଲିବାକୁ ଥିବାରୁ ଏହା ପୂର୍ବରୁ କ୍ୟାମ୍ପସର ପୂର୍ବାବସ୍ଥା ଫେରାଇ ଆଣିବା ଏବେ ପ୍ରଶାସନ ପାଇଁ ଆହ୍ବାନ ସୃଷ୍ଟି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ତଥ୍ୟ ଅନୁଯାୟୀ, ଖୋର୍ଧା ଜିଲ୍ଲାରେ ୧୩୨ ହାଇସ୍କୁଲ ଓ ୭୭୮ ପ୍ରାଥମିକ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ଅଧିକାଂଶ ବାତ୍ୟା ମାଡ଼ରେ ପ୍ରଭାବିତ ହୋଇଛି। ୧୩୪ ଶ୍ରେଣୀଗୃହ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ୨୦୯ ଶ୍ରେଣୀଗୃହ ଅଧା କ୍ଷତିଗ୍ରସ୍ତ ହୋଇଛି। ସେଗୁଡ଼ିକର ମରାମତି କରିବା ଏ ପର୍ଯ୍ୟନ୍ତ ସମ୍ଭବପର ହୋଇ ନାହିଁ। ଅର୍ଥ ପ୍ରତିବନ୍ଧକ ସାଜିଥିବାରୁ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ କରାଯାଇପାରୁ ନଥିବା ଜଣାପଡ଼ିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି, ବାତ୍ୟା ପ୍ରଭାବିତ ଜିଲ୍ଲା ଓ ବ୍ଲକସ୍ତରୀୟ ଶିକ୍ଷା ଅଧିକାରୀଙ୍କୁ ନୋଟିସ୍ ଜାରି ହୋଇଛି। ଅଗ୍ନିଶମ ବିଭାଗର ଅଧିକାରୀଙ୍କ ସହାୟତା ନେଇ ଯୁଦ୍ଧକାଳୀନ ଭିତ୍ତିରେ କ୍ୟାମ୍ପସରୁ ଗଛ କାଟିବାକୁ କୁହାଯାଇଛି। ସ୍କୁଲ ଖୋଲିବା ପୂର୍ବରୁ କ୍ୟାମ୍ପସ ସଫା କରିବାକୁ ବିଭାଗୀୟ ଶାସନ ସଚିବ ଅଗ୍ନିଶମ ବିଭାଗକୁ ଚିଠି ଲେଖିଛନ୍ତି। ବିଶେଷକରି କ୍ୟାମ୍ପସରେ ପଡ଼ି ରହିଥିବା ଗଛ ଉଠାଇ ନେବାକୁ କୁହାଯାଇଛି। ସେମାନେ ମଧ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସ୍କୁଲ କୋଠାଗୁଡ଼ିକର ମରାମତି କରିବାକୁ ବି ବିଭିନ୍ନ ବିଭାଗକୁ କୁହାଯାଇଥିବା ଅଧିକାରୀଜଣକ ସୂଚନା ଦେଇଛନ୍ତି।
ଖୋର୍ଧା ଜିଲ୍ଲାରେ ପ୍ରଭାବିତ ସ୍କୁଲ ସ୍ଥିତିରେ ସୁଧାର ଆସିନଥିଲେ ମଧ୍ୟ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଓ ଭୁବନେଶ୍ବର ବ୍ଲକ ଅଧୀନରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକର କ୍ଷୟକ୍ଷତି ଭରଣା କରିବାକୁ ଉଦ୍ୟମ ଚାଲିଛି। ବିଏମ୍ସି ଓ ଭୁବନେଶ୍ବର ବ୍ଲକରେ ପ୍ରାୟ ୨୪୦ ବିଦ୍ୟାଳୟ ବାତ୍ୟା ମାଡ଼ରେ ପ୍ରଭାବିତ ହୋଇଥିଲା। ଫୁଲନଖରାସ୍ଥିତ ଲାଲ ବାହାଦୂର ନୋଡାଲ ବିଦ୍ୟାଳୟ, ସେକ୍ଟର-୬ ସରକାରୀ ବିଦ୍ୟାଳୟ, ନହରକଣ୍ଟାସ୍ଥିତ ମହାରଥା ବିଦ୍ୟାପୀଠ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ସେଗୁଡ଼ିକର ମରାମତି ଦିଗରେ ପଦକ୍ଷେପ ନିଆଯାଇଛି। ପାଚେରି ଉପରେ ପଡ଼ି ଯାଇଥିବା ଗଛଗୁଡ଼ିକୁ କଟା ଯାଇଛି। ସ୍କୁଲ ପରିସରକୁ ସଫେଇ କରାଯାଇଛି। କେତେକ ସ୍ଥାନରେ ଏବେ ବି ଗଛ ଗଣ୍ଡି ପାଚେରି ଉପରେ ପଡ଼ି ରହିଥିବା ଦେଖିବାକୁ ମିଳୁଛି। ଆଉ କେତେକ ବିଦ୍ୟାଳୟ ବାହାରେ ଅଳିଆ ଜମା ହୋଇଛି। ୧୯ ତାରିଖରୁ ସ୍କୁଲ ଖୋଲୁଛି। ଏଥିସହ ମୌସୁମୀ ବର୍ଷା ବି ଆରମ୍ଭ ହେବ। ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ସ୍କୁଲ ଖୋଲିବା ପୂର୍ବରୁ ଅଳିଆ, ଆବର୍ଜନା ଉଠାଇବାକୁ ଅଭିଭାବକମାନେ ଦାବି କରିଛନ୍ତି।
ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସସ୍ମିତା ମାଳି କହିଛନ୍ତି ଯେ ସ୍କୁଲ ଖୋଲିବା ପୂର୍ବରୁ ସବୁ କ୍ୟାମ୍ପସରେ ସଫେଇ ଶେଷ କରାଯିବ। କ୍ୟାମ୍ପସରେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକ କଟା ସରିଛି। କ୍ୟାମ୍ପସର ପରିସ୍କାର ଓ ପରିଚ୍ଛନ୍ନତା ପ୍ରତି ଗୁରୁତ୍ବ ଦିଆଯାଇଛି। ପାଠପଢ଼ା ଯେମିତି ପ୍ରଭାବିତ ନ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉଦ୍ୟମ ଲାଗି ଏବେ ବହୁ କ୍ୟାମ୍ପସ ସ୍ବାଭାବିକ ସ୍ଥିତିକୁ ଫେରିଛି। ଆଉ ଯାହା କିଛି ବାକି ରହିଛି ଆସନ୍ତା୧୯ ତାରିଖ ପୂର୍ବରୁ ଶେଷ ହେବ।