ଭୁବନେଶ୍ୱର : ଚାଷ ଓ ଚାଷୀ ପାଇଁ ଶାସକ ଦଳର ସଭ୍ୟମାନେ ଚିତ୍କାର କରୁଛନ୍ତି। କେତେବେଳେ ରାସ୍ତା ଉପରେ ତ କେତେବେଳେ ବିଧାନସଭାରେ। ଆଜି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆସିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଥିଲା। କିନ୍ତୁ ଶାସକ ଦଳ ସଭ୍ୟମାନଙ୍କର ଏଥି ପ୍ରତି ଖାତିର୍ ନ ଥିଲା। ଆଲୋଚନା ବେଳେ ସେମାନଙ୍କ ଦୁର୍ବଳ ଉପସ୍ଥିତି ହିଁ ପ୍ରମାଣ କରୁଥିଲା ଯେ ଶାସକ ଦଳ ସଭ୍ୟମାନଙ୍କ ଚାଷ ଓ ଚାଷୀଙ୍କ ପାଇଁ କେତେ ଦରଦ? ସେମାନେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି କେତେ ସଚେତନ?
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ପ୍ରଶ୍ନକାଳରେ ବିଧାନସଭା ଗୃହ ଭରପୂର ଥିଲା। କିଛି ହାତଗଣତି ବିଧାୟକଙ୍କୁ ବାଦ୍ ଦେଲେ ପ୍ରାୟ ସମସ୍ତେ ଉପସ୍ଥିତ ଥିଲେ। ଉଭୟ ଶାସକ ଓ ବିରୋଧୀ ପଟର ସିଟ୍ ଭରପୂର ଲାଗୁଥିଲା। ପ୍ରଶ୍ନକାଳ ପରେ ବିଧାୟକମାନେ ଉଠିବା ଆରମ୍ଭ କଲେ। ଆଜି ଚାଷ ପ୍ରସଙ୍ଗରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା। କିନ୍ତୁ ସେଥି ପ୍ରତି ଶାସକ ଦଳ ସଭ୍ୟମାନଙ୍କର ଖାତିର୍ ନ ଥିଲା।
୧୨ଟା ପୂର୍ବରୁ ଆଲୋଚନା ଆରମ୍ଭ ହେଲା। ୩ଟା ପରେ ସରିଲା। ତିନି ଘଣ୍ଟାରୁ ଅଧିକ ସମୟ ଆଲୋଚନା ଚାଲିଲା। କିନ୍ତୁ ଉପସ୍ଥିତି ହାର ଅତ୍ୟନ୍ତ ଲଜ୍ଜ୍ୟାଜନକ ଥିଲା। ଛଅ ଭାଗରୁ ଭାଗେ ବିଧାୟକ ବି ଗୃହରେ ଉପସ୍ଥିତ ନ ଥିଲେ। ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ଶାସକ ଦଳର ମାତ୍ର ୧୭/୧୮ ସଭ୍ୟ ଉପସ୍ଥିତ ଥିଲେ। ମନ୍ତ୍ରୀ ଥିଲେ ଦୁଇ ଜଣ। ନିଜେ କୃଷି ମନ୍ତ୍ରୀ ଓ ତାଙ୍କ ସହ ଅର୍ଥ ମନ୍ତ୍ରୀ। ବିରୋଧୀ ଦଳର ସଭ୍ୟଙ୍କ ଉପସ୍ଥିତି ବି ନୈରାଶ୍ୟଜନକ ଥିଲା। କଂଗ୍ରେସର ଥିଲେ ୭ ଜଣ ଓ ବିଜେପିର ଥିଲେ ୩ ଜଣ।
ବିଧାୟକମାନଙ୍କର ଏପରି ଆଚରଣ ଆଶ୍ଚର୍ଯ୍ୟଜନକ ଥିଲା। ପ୍ରଥମ ଦୁଇ ଦିନ ଚାଷ ପ୍ରସଙ୍ଗରେ ଗୃହରେ ହୋ ହଲ୍ଲା କରି ମୁଲତବୀ କରିଦେବାକୁ ଶାସକ ଦଳ ତା’ର ତାକତ୍ ଦେଖାଇଥିଲେ। ଆଉ ବିରୋଧୀ ଦଳ ବି। ଉଦ୍ୟମରେ ସମସ୍ତେ ସଫଳ ହେଲେ। ଗୃହରେ କିଛି ଆଲୋଚନା ହେଲାନି, ସରକାରୀ ଅର୍ଥ ବରବାଦ ହେଲା। କିନ୍ତୁ ଯେଉଁଦିନ ଆଲୋଚନା ହେଲା, ସେଥିରେ ବସି ବାସ୍ତବ ସମସ୍ୟା ଶୁଣିବା ଓ କହିବା ପାଇଁ କାହାର ଆଗ୍ରହ ହେଲାନି।
ଆଲୋଚନା ସମୟରେ ବିଧାୟକମାନେ ଯେ ଗୁରୁତ୍ୱପୂର୍ଣ୍ଣ କାମରେ ବାହାରକୁ ଚାଲିଯାଇଥିଲେ, ତାହା ନୁହେଁ। କିଛି ବିଧାୟକ ଲବିରେ ବସିଥିଲେ। ଆଉ କିଛି ବିଧାୟକ କରିଡର୍ରେ ଚକ୍କର କାଟୁଥିଲେ। ଆଉ କିଛି ବାହାରେ ବୁଲାବୁଲି କରୁଥିଲେ। କିନ୍ତୁ ଚାଷ ପାଇଁ କାହାରି ସମୟ ନ ଥିଲା।