କ୍ରସର୍ ବନ୍ଦ ପରେ ନିର୍ମାଣ ସାମଗ୍ରୀ ଯୋଗାଣ ମାନ୍ଦା : ରୋଜଗାର ହରାଇ ବେକାର ହୋଇ ଘରେ ବସିଛନ୍ତି ଟ୍ରକ ପରିବହନ ଉପରେ ନିର୍ଭର କରୁଥିବା ଡ୍ରାଇଭର୍, ଖଲାସୀଙ୍କ ସମେତ ୮ଶହ ଲୋକ
ନିମାପଡ଼ା : ଖୋର୍ଧା ଜିଲ୍ଲାରେ ଚିପ୍ସ, ମେଟାଲ, ମୋରମ୍ ଆଦି ଲଘୁ ଖଣିଜ ପଦାର୍ଥ ଉତ୍ତୋଳନରେ ଅନିୟମିତତା ଧରାପଡ଼ିବା ପରେ ସେଠାରେ କ୍ରସର୍ ଓ ପଥର ଖଣିଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ତେବେ ଏହାର ପ୍ରଭାବ ନିମାପଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି। ନିମାପଡ଼ା ଅଞ୍ଚଳରେ ଏହି ସବୁ ନିର୍ମାଣ ସାମଗ୍ରୀ ମିଳୁନାହିଁ। ଫଳରେ ଏହି ଅଞ୍ଚଳରେ ସରକାରଙ୍କ ଦ୍ବାରା ହେଉଥିବା ରାସ୍ତାଘାଟ, କୋଠାବାଡ଼ି ଏବଂ ବ୍ରିଜ୍ କାମଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଘର ନିର୍ମାଣରେ ଅସୁବିଧା ଉପୁଜିଛି। କେବଳ ସେତିକି ନୁହେଁ, ଫନିରେ ଏହି ଅଞ୍ଚଳରେ ଶତାଧିକ ସରକାରୀ ଅଫିସ ଏବଂ ସ୍କୁଲ୍ ଘର କ୍ଷତିଗ୍ରସ୍ତ ହୋଇଛି। ଚିପ୍ସ ଏବଂ ମେଟାଲ୍ ମିଳୁ ନଥିବାରୁ ଏହିସବୁ କ୍ଷତିଗ୍ରସ୍ତ ସ୍କୁଲ୍ ଏବଂ ଅଫିସ୍ ଗୃହଗୁଡ଼ିକର ପୁନନିର୍ମାଣ ମଧ୍ୟ ହୋଇ ପାରୁ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଖୋର୍ଧା ଜିଲ୍ଲାର ପଥର ଖଣି ଓ କ୍ରସର୍ଗୁଡ଼ିକରୁ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ ଏବେ ବନ୍ଦ ହୋଇଯାଇଛି। ନିମାପଡ଼ା ଅଞ୍ଚଳର ବହୁ ଟ୍ରକ୍ ଚାଳକ ସେଠାରେ ନିୟୋଜିତ ଥିଲେ। ନିମାପଡ଼ା ଟ୍ରକ୍ ମାଲିକ ସଂଘର ସଂପାଦକ ମିହିର ରଞନ ଦାଶ କହିଛନ୍ତି ଯେ କେବଳ ନିମାପଡ଼ାରେ ଶହେରୁ ଅଧିକ ଟ୍ରକ୍ ବନ୍ଦ ହୋଇଯାଇଛି। ଟ୍ରକ ପରିବହନ ଉପରେ ନିର୍ଭର କରୁଥିବା ଡ୍ରାଇଭର୍, ଖଲାସୀଙ୍କ ସମେତ ୮ଶହ ଲୋକ ବେକାର ହୋଇ ଘରେ ବସିଛନ୍ତି। ପୁରୀ ଜିଲ୍ଲାପାଳ ଏହି ସମାସ୍ୟା ପ୍ରତି ଦୃଷ୍ଟି ଦେଇ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହେଉଛି।