ଭୁବନେଶ୍ବର: ଜଳବାୟୁ ପରିବର୍ତନ ଭୟଙ୍କର ରୂପ ଧାରଣ କଲାଣି। ତେଣୁ ବିପର୍ଯ୍ୟୟ ବେଶି ଦୂର ନୁହେଁ, ବରଂ ୨୦୩୯ ମସିହା ବେଳକୁ ସ୍ଥିତି ଅସମ୍ଭାଳ ହେବ। ଉତ୍ତର ମେରୁରେ ବରଫ ତରଳିବା ପରେ ସେଠାରୁ ତେଲ ବାହାରୁଥିବା ଦେଖି ତା’ଉପରେ ଅନେକ ଦେଶ ଆଖି ପକାଇଲେଣି। ବରଫ ଆମ ଦ୍ବାର ଦେଶରେ କବାଟ ଠକ୍ଠକ୍ କଲାଣି। ତଥାପି ଆମେ ଶିଖିବା ଓ ସଚେତନ ହେବାକୁ ପ୍ରସ୍ତୁତ ନାହୁଁ। ଏମିତି ସମୟ ଆସିବ, ଯେବେ ଜଳବାୟୁ ପରିବର୍ତନର ଭୟଙ୍କର ରୂପ ଆମକୁ ହଠାତ୍ ସାମ୍ନା କରିବାକୁ ପଡ଼ିବ। ଏହା କହିଛନ୍ତି ବିଶିଷ୍ଟ ପରିବେଶବିତ୍ ତଥା ପୂର୍ବତନ ସୂଚନା କମିସନର ପ୍ରଫେସର ରାଧାମୋହନ। ଓଡ଼ିଶାର ପିସ୍ ନେଟ୍ୱର୍କ ପକ୍ଷରୁ ଅନ୍ୟ ସଂଗଠନର ମିଳିତ ଆନୁକୂଲ୍ୟରେ ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶାରେ ଅନୁଷ୍ଠିତ ବିଶ୍ବ ଶାନ୍ତି ଦିବସ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଜଳବାୟୁ ପରିବର୍ତନର ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆକ୍ସନ ଏଡ୍ର ଆଞ୍ଚଳିକ ପ୍ରବନ୍ଧକ ଦେବବ୍ରତ ପାତ୍ର, ଅକ୍ସଫାମ୍ର ଆଞ୍ଚଳିକ ମୁଖ୍ୟ ଅକ୍ଷୟ କୁମାର, ମାଷ୍ଟର ପିସ୍ ଇଣ୍ଡିଆର ଜାତୀୟ ସଂଯୋଜକ ମନୋରଂଜନ ମିଶ୍ର, ବିଜୟ କୁମାର ସିଂହ, ଯୋଶେଫ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜଳବାୟୁ ପରିବର୍ତନ ଓ ବିଶ୍ବ ଶାନ୍ତି ସ୍ଥାପନ ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଆଜି ସକାଳେ ଶାନ୍ତି ପଦଯାତ୍ରାକୁ ବିଧାୟକ ଅନନ୍ତ ନାରାୟଣ ଜେନା ଉଦ୍ଘାଟନ କରିଥିଲେ।