ରେଡିଓ ଚକ୍‌ଲେଟ୍‌ ଅଲ୍‌ରାଉଣ୍ଡର, ଋତୁପର୍ଣ୍ଣା ସିଜିନ୍‌ -୨ ବିଜେତା

ଭୁବନେଶ୍ବର: ସୁମଧୁର ଗୀତରେ ଗୁଞ୍ଜରି ଉଠୁଥିଲା ପ୍ରେକ୍ଷାଳୟ। ଭାବ ରାଇଜକୁ ନେଇ ଯାଉଥିଲା ଭାବସ୍ପର୍ଶୀ ଅଭିନୟ। କିଏ ନୃତ୍ୟରେ ତଲ୍ଲୀନ କରୁଥିଲା ତ କିଏ ‘ରାପ୍‌’ର ତଡ଼କାରେ ମନ ତାଜା କରିଦେଉଥିଲା। ଗୀତ, ସଂଗୀତ, ନୃତ୍ୟ ଓ ଅଭିନୟକୁ ନେଇ ‌କଲେଜ୍‌ ପଢ଼ୁଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାଲିଥିଲା କଡ଼ା ଟକ୍କର। ଅବସର ଥିଲା ରେଡିଓ ଚକ୍‌ଲେଟ୍‌ ୧୦୪ ଏଫ୍‌ଏମ୍‌ର ‘ଅଲ୍‌ରାଉଣ୍ଡର ସିଜିନ୍‌-୨ର ଗ୍ରାଣ୍ଡ୍‌ ଫିନାଲେ’। ମଂଚରେ ତାଙ୍କର ପ୍ରତିଭା ହିଁ ବୟାନ କରିଦେଉଥିଲା ସେମାନେ ଗୋଟେ ଗୋଟେ ଅଲ୍‌ରାଉଣ୍ଡର। କଟକ ଓ ଭୁବନେଶ୍ବରର ୯ଟି କଲେଜ୍‌ରୁ କୃତିତ୍ବ ଅର୍ଜନ କରି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୃତୀ ପ୍ରତିଯୋଗୀମାନେ ଆଜି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପ୍ରତିଭା ପ୍ରଦର୍ଶନ କରିଥିଲେ। ଗ୍ରାଣ୍ଡ ଫିନାଲେରେ ରେଭେନ୍‌ସା ବିଶ୍ବବିଦ୍ୟାଳୟର ଋତୁପର୍ଣ୍ଣା ନାୟକ ଗୀତରେ ବିଚାରକଙ୍କ ମନ ଜିଣି ଅଲ୍‌ରାଉଣ୍ଡର ସିଜିନ୍‌-୨ର ବିଜେତା ହୋଇଥିଲେ। ଏଥିସହ ନୃତ୍ୟରେ ସି.ଭି ରମଣ କଲେଜ୍‌ର ସାଗର ସ୍ବରୂପ ପ୍ରଥମ ରନର୍ସଅପ୍‌ ହୋଇଥିବା ବେଳେ ହାଇଟେକ୍‌ କଲେଜ୍‌ର ଗିରୀଶ ଚନ୍ଦ୍ର ସେନାପତି ଦ୍ବିତୀୟ ରନର୍ସଅପ୍ ହୋଇଥିଲେ। ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ‘ମୋ କଲେଜ’ର ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସନାୟକ ଏବଂ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତୀ ବିଜେତାଙ୍କୁ ପୁରସ୍କୃତ କରିଥିଲେ। ଅଭିନେତା ତଥା ଖ୍ୟାତିସମ୍ପନ୍ନ ନୃତ୍ୟଶିଳ୍ପୀ ହରିହର ଓ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ବିଚାରକ ଭାବେ ଯୋଗଦେଇ ପ୍ରତିଭାର ମୂଲ୍ୟାଙ୍କନ କରିଥିଲେ।

ମନ୍ତ୍ରୀ କ୍ୟାପ୍‌ଟେନ ମିଶ୍ର ଯୁବକମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି ଦୃଢ଼ ସଂକଳ୍ପ ଓ ସାହସର ସହ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ବିଧାୟକ ଶ୍ରୀ ପଟ୍ଟନାୟକ କହିଥିଲେ ଈଶ୍ବରଙ୍କ ଆଶୀର୍ବାଦ ଥିଲେ ‌ହିଁ ଜଣେ ରକ୍ତଦାନ କରିପାରେ। ତେଣୁ ଯୁବକମାନେ ରକ୍ତଦାନ ଭଳି ମହତ୍‌ ଦାନ ଧାରାରେ ସାମିଲ୍‌ ହେବାକୁ କହିଥିଲେ। ମୋ କଲେଜର ଅଧ୍ୟକ୍ଷ ଶ୍ରୀ ଦାସନାୟକ ରେଡିଓ ଚକ୍‌ଲେଟ୍‌ର ଏହି ଅଭିନବ ଉଦ୍ୟମକୁ ପ୍ରଶଂସା କରିଥିଲେ। ଟ୍ରାଫିକ୍‌ ଡିସିପି ସାଗରିକା ନାଥ ନିଜେ ଆଇପିଏସ୍‌ ହେବାର ସଫଳ ଯାତ୍ରା ବାବଦରେ କହିବା ସହ ଟ୍ରାଫିକ୍‌ ନିୟମ ମାନିବା ଏବଂ ପ୍ରତ୍ୟେକ ଯୁବକ ୫ ଜଣଙ୍କୁ ଟ୍ରାଫିକ୍‌ ନିୟମ ବାବଦରେ ସଚେତନ କରିବାକୁ କହିଥିଲେ। ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କହିଲେ, ଏବେ କେବଳ କଟକ ଓ ଭୁବନେଶ୍ବରକୁ ନେଇ ଅଲ୍‌ରାଉଣ୍ଡର ପ୍ରତିଯୋଗିତା ହେଉଥିବା ବେଳେ ଆଗକୁ ସମଗ୍ର ରାଜ୍ୟରେ କରାଯିବ। ବିଦ୍ୟାଳୟସ୍ତରରେ ମଧ୍ୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ସହ ‘ଜୁନିୟର ଅଲ୍‌ରାଉଣ୍ଡର’ ପ୍ରତିଯୋଗିତା କରାଯିବ ବୋଲି ସେ ସୂଚନା ଦେଇଥିଲେ। କଣ୍ଠଶିଳ୍ପୀ ପ୍ରଜ୍ଞା ଏହି ଅବସରରେ ଲୋକପ୍ରିୟ ଗୀତ ଗାଇ ଛାତ୍ରଛାତ୍ରୀଙ୍କ ମନୋରଂଜନ କରିବା ସହ ନଚାଇଥିଲେ। ଆର୍‌‌.ଜେ ଅନିଲ୍‌ ଓ ଆର୍‌.ଜେ କୋମଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହି ଅବସରରେ ପ୍ରାୟୋଜକ ‘ବଜାର କୋଲକାତା’ ଓ ‘ଗ୍ରିନ୍‌ ଚିଲିଜ୍‌’କୁ କୃତଜ୍ଞତା ସହ ଏଲ୍‌ଆଇସି ଭୁବନେଶ୍ବରର ଡିଭିଜନାଲ୍‌ ମ୍ୟାନେଜର ଏ.କେ ସାହୁ, ବିଦ୍ୟା ଷ୍ଟଡି ସେଣ୍ଟରର ନିର୍ଦେଶକ ଅଜିତ କୁମାର ଦାସ, ଆଇଏଏମ୍‌ଓ ବଜାରର ସହ ପ୍ରତିଷ୍ଠାତା ସୁନିଲ ମେହେର, ୯୯ ବେକର୍ସ ଷ୍ଟ୍ରିଟ୍‌ର ମ୍ୟାନେଜର ପରିଣୟଙ୍କୁ ସମ୍ବର୍ଧିତ କରାଯାଇଥିଲା। ରେଡିଓ ଚକ୍‌ଲେଟର କାର୍ଯ୍ୟକ୍ରମ ମୁଖ୍ୟ ସଂଗ୍ରାମ ମିଶ୍ର, ସୌମିତ୍ରୀ, ଶ୍ରୀକାନ୍ତ, ଐଶ୍ବର୍ଯ୍ୟା, ଅରୁଣ, ସତ୍ୟ, ସୁନିଲ, ହାଡ଼ୁ ଓ ସୁବ୍ରତଙ୍କ ସମେତ ସମସ୍ତ ଆର୍‌.ଜେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର